-ମୁଣ୍ଡପିଛା ଋଣ ଭାର ୨୦,୧୭୭ଟଙ୍କା
-ଗେରୁଆ ରଙ୍ଗ ପାଇଁ ତିରିଶ ହଜାର କୋଟି ଟଙ୍କା ଅନୁମୋଦନ
ଭୁବନେଶ୍ୱର: ୧୩/୮- ବିଜେପି ସରକାର ଗୋଟିଏ ବର୍ଷ ତଳେ ଶପଥ ନେଲା ବେଳକୁ ପ୍ରତିଜ୍ଞା କରିଥିଲା ଆମ ସରକାର ଉତ୍ତରଦାୟୀ ସରକାର ହେବ। ଆମ ସରକାର ଲୋକଙ୍କ ସୁଖ ଦୁଃଖର ସରକାର ହେବ । କିନ୍ତୁ ଆଜି ରାଜ୍ୟର ଦୁରବସ୍ଥା ଆପଣଙ୍କ ଆଗରେ। ରାଜ୍ୟର କୋଣ ଅନୁକୋଣରେ ନାରୀ ପୋଡ଼ି, ଗଣ ଦୁଷ୍କର୍ମ, ନିର୍ଯ୍ୟାତନା ଜନିତ ଆତ୍ମହତ୍ୟା ଇତ୍ୟାଦି ହୃଦୟ ବିଦାରକ ଘଟଣା ଘଟୁଛି। ଏସବୁ ରୋକିବା ଦିଗରେ ସରକାର, ପ୍ରଶାସନ, ପୁଲିସ କାହାରି ତତ୍ପରତା ଆଦୌ ନାହିଁ। ଆଇନ ଶୃଙ୍ଖଳା ପରିସ୍ଥିତି ନର୍କଗାମୀ ହେଲାଣି। ରାଜ୍ୟର ଏଭଳି ଅବସ୍ଥା ବେଳେ ସରକାରୀ କୋଠାବାଡ଼ିର ରଙ୍ଗ ପରିବର୍ତ୍ତନ ନିଷ୍ପତ୍ତି ଦୁଃଖଦାୟକ। ଏହି ରଙ୍ଗ କାର୍ଯ୍ୟକ୍ରମ ପାଇଁ ସରକାର ଅତ୍ୟନ୍ତ ଜରୁରୀ ମନ୍ତ୍ରୀସ୍ତରୀୟ ବୈଠକ ବସାଇ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚର ବରାଦ କରିଛନ୍ତି । ସରକାରଙ୍କ ଏହି ରଙ୍ଗ ବଦଳା ବଦଖର୍ଚ୍ଚକୁ ନେଇ କଂଗ୍ରେସ ଭବନ ଠାରେ କଂଗ୍ରେସ ମିଡ଼ିଆ ସେଲ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।
ସରକାରଙ୍କ ନିରାଶଜନକ କାର୍ଯ୍ୟକଳାପ ଉପରେ ମୁଖପାତ୍ର ମନୋରଞ୍ଜନ ଦାଶ ନିଜ ମତ ରଖିଥିଲେ। ନୂତନ ରଙ୍ଗ କରିବା ନିଷ୍ପତ୍ତି ବିଷୟରେ ସମସ୍ତ ତଥ୍ୟ ପ୍ରକାଶ କରି ମୁଖପାତ୍ର ରଜନୀ କୁମାର ମହାନ୍ତି କହିଲେ ଯେ, ମନ୍ତ୍ରିମଣ୍ଡଳ ଏକ ଜରୁରୀ ସଭାରେ ସମସ୍ତ ସରକାରୀ କୋଠା ବାଡ଼ିର ରଙ୍ଗ ବଦଳାଇ ଏହାକୁ ଗେରୁଆ ରଙ୍ଗକୁ ପରିବର୍ତ୍ତିତ କରିବା ପାଇଁ ନିଷ୍ପତ୍ତି ନେଲେ। ଏହା ୨୦.୭.୨୦୨୫ ତାରିଖରେ ବିଭାଗକୁ ଦିଆଯାଇଥିବା ଚିଠିରୁ ଜଣାପଡିଛି। ୨୦୨୫-୨୬ ଆର୍ଥିକ ବର୍ଷରେ ସରକାରଙ୍କ ଉପରେ ମୋଟ ଋଣର ପରିମାଣ ୧,୩୪,୯୧୪ ଟଙ୍କା ହେଲା ବେଳକୁ ମୁଣ୍ଡପିଛା ଋଣର ଭାର ୨୦,୧୭୭ ଟଙ୍କା ଅଛି। ଏହା ୧୨.୭ ପ୍ରତିଶତ ସାମଗ୍ରିକ ଘରୋଇ ଉତ୍ପାଦନ ଅଟେ।

ପୂର୍ତ୍ତ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ଠାରୁ ପ୍ରକାଶ ଯେ ରଙ୍ଗ କାମ ପାଇଁ ମୋଟ ୩୦ ହଜାର କୋଟି ଟଙ୍କା ସରକାର ଅନୁମୋଦନ କରିଛନ୍ତି। ଯେଉଁ ଦଳ ପୂର୍ବ ସରକାରର ରଙ୍ଗମରା କାର୍ଯ୍ୟକ୍ରମକୁ ନେଇ ବିଧାନସଭାରେ ଗର୍ଜନ କରୁଥିଲା, ସେଇ ଦଳ ଶାସନକୁ ଆସିଲା ପରେ ସ୍ୱର ପରିବର୍ତ୍ତନ କିଭଳି ହୋଇଗଲା । ଆଗକୁ ପଞ୍ଚାୟତ, ନିର୍ବାଚନ ତେଣୁ ନୂତନ ରଙ୍ଗ କାର୍ଯ୍ୟକ୍ରମ କରି ୬/୭ ହଜାର କୋଟି ଟଙ୍କା ସରକାର ପିସି ମାଧ୍ୟମରେ ନିର୍ବାଚନ ଖର୍ଚ୍ଚ ସଂଗ୍ରହ କରିବାକୁ ଚାହୁଁଛନ୍ତି ବୋଲି ଆଶଙ୍କା ପ୍ରକାଶ କରିବା ସହ କହିଥିଲେ ଯେ, ପୁନଃ ରଙ୍ଗ କରିବା ଆବଶ୍ୟକତା ନ ଥିବା ବେଳେ ଋଣ ଭାରରେ ରାଜ୍ୟ ବୁଡ଼ିଥିଲା ବେଳେ ଏବଂ ନାରୀ ନିର୍ଯ୍ୟାତନା ଚରମ ସୀମାରେ ପହଁଚିଥିବାବେଳେ କେମିତି ତରବରରେ ଏତେ ବଡ଼ ବଦଖର୍ଚ୍ଚ ସରକାର କରୁଛନ୍ତି। ଏହି ନିଷ୍ପତ୍ତି ସରକାରଙ୍କୁ ସନ୍ଦେହ ଘେରକୁ ଆଣିଛି ବୋଲି ତାଙ୍କ ବିବୃତିରେ ଶ୍ରୀ ମହାନ୍ତି କହିଛନ୍ତି ।
ମୁଖପାତ୍ର କୃଷ୍ଣଚନ୍ଦ୍ର ପତି କହିଛନ୍ତି, ସରକାର ପୂର୍ବରୁ ବସ ରଙ୍ଗକୁ ଗେରୁଆକୁ ପରିବର୍ତ୍ତନ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିଛି । ପୁଣି ଓମଫେଡ଼ କ୍ଷୀର ପ୍ୟାକେଟର ରଙ୍ଗ ମଧ୍ୟ ବଦଳାଇ ଦିଆଯାଇଛି। ବର୍ତ୍ତମାନ ୩୦ ହଜାର କୋଟିର ରଙ୍ଗ ପରିବର୍ତ୍ତନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଦେଶ କଂଗ୍ରେସ ଏହାର ଦୃଢ ବିରୋଧ କରୁଛି ବୋଲି ସେମାନେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ମାନଙ୍କ ସହ କଂଗ୍ରେସ ନେତା ଚିନ୍ମୟ ସୁନ୍ଦର ଦାସ ମଧ୍ୟ ଉପସ୍ଥିତ ଥିଲେ।