ଭୁବନେଶ୍ୱର, ୧୨/୧୧: (ଆମ ପ୍ରତିନିଧି) ଓଡ଼ିଶା ସରକାରୀ ଭାଷା ଅଧିନିୟମ-୧୯୫୪ ଅନୁଯାୟୀ ଓଡ଼ିଆ ଭାଷାରେ ସମସ୍ତ ସରକାରୀ କାମ କରିବାକୁ ପଦକ୍ଷେପ ନିଆଯାଇଥିଲା । ଓଡ଼ିଶାରେ ବିଭିନ୍ନ ବିଭାଗର ପ୍ରଚଳିତ ସରକାରୀ ଚିଠିପତ୍ର ସାଧାରଣ ଲୋକ ବୁଝିବା ଭଳି ଓଡ଼ିଆ ଭାଷାରେ ଲେଖାଯିବା ଉପରେ ତତ୍କାଳୀନ ସରକାର ଗୁରୁତ୍ୱ ଦେଇଥିଲେ । ଲକ୍ଷ୍ୟ ଥିଲା ଓଡ଼ିଆ ଭାଷା ବିକାଶର ପ୍ରକ୍ରିୟାକୁ ଗତିଶୀଳ କରିବା ।
ଏଥିପାଇଁ୧୯୮୫ ମସିହାରେ ତତ୍କାଳୀନ ସରକାର ସରକାରୀ ଭାଷା ସହଚର ପ୍ରକାଶ କରିଥିଲେ । ଏଥିରେ ଓଡ଼ିଆରେ ଚିଠିପତ୍ର ଉପରେ ଅନେକ ତଥ୍ୟ ପ୍ରଦାନ କରାଯାଇଥିଲା । କିଛି ନମୁନା ଚିଠି ମଧ୍ୟ ପ୍ରକାଶ ପାଇଥିଲା । ପର୍ଯ୍ୟାପ୍ତ ସଂଖ୍ୟାରେ ଛପାଯାଇଥିବା ଏହି ବହି ସମସ୍ତ ସରକାରୀ କାର୍ଯ୍ୟାଳୟକୁ ଦିଆଯାଇଥିଲା । ଏହା ପୋଥି ବାଇଗଣ ହୋଇ ରହିଲା ।
ଦୀର୍ଘବର୍ଷ ବ୍ୟବଧାନ ପରେ ପରବର୍ତ୍ତୀ ସରକାର ସମୟରେ ୨୦୧୭ରେ ପୁନର୍ବାର ଏହାର ଦ୍ୱିତୀୟ ତଥା ପରିବର୍ଦ୍ଧିତ ସଂସ୍କରଣ ପ୍ରକାଶ ପାଇଥିଲା । ଏହା ମଧ୍ୟ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ପଠାଯାଇଥିଲା । ୧୧୯ ପୃଷ୍ଠାର ଏହି ପରିବର୍ଦ୍ଧିତ ସଂସ୍କରଣ ପ୍ରକାଶନ ଦାୟିତ୍ୱ ସରକାରଙ୍କ ଆଧୁନିକୀକରଣ ଉଦଯୋଗ କେନ୍ଦ୍ରକୁ ଦିଆଯାଇଥିଲା । ଏଥିରେ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ସହଯୋଗ କରିଥିଲା । ଲକ୍ଷ ଲକ୍ଷ ବହି ଛପାଯାଇ କେବଳ ସରକାରୀ କାର୍ଯ୍ୟାଳୟକୁ ଯୋଗାଇ ଦିଆଯାଇଥିଲା । ଓଡ଼ିଶା ସରକାରଙ୍କ ବିଧି ବିଭାଗ ଦ୍ୱାରା ଏହା ସଙ୍କଳିତ ହୋଇଥିଲା । ଏସବୁ ବାବୁଙ୍କ ଡଷ୍ଟବିନ୍କୁ ଚାଲି ଯାଇଥିଲା ।
ସୂଚନାଯୋଗ୍ୟ ଯେ ଓଡ଼ିଆ ଭାଷାର ସହଜ ଓ ସରଳ ବ୍ୟବହାର ପାଇଁ ବିଧି ବିଭାଗ ଦ୍ୱାରା ସରକାରୀ ଭାଷା ସହଚର(୧୯୮୫), ଆଦର୍ଶ ଟିପ୍ପଣୀ ଓ ଚିଠା(୧୯୯୩) ଏବଂ ବିଧି ବିଭାଗ ଅନୁମୋଦନ କ୍ରମେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ୱାରା କାର୍ଯ୍ୟାଳୟ ନଥି(୨୦୧୨) ପ୍ରକାଶିତ ହୋଇଥିଲା ।
୨୦୨୪ ରେ ନୂଆ ସରକାର ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରାଯିବ ବୋଲି ଘୋଷଣା କରିଛନ୍ତି । ବହୁ ସରକାରୀ ଅଫିସର ଓ କର୍ମଚାରୀ ଓଡ଼ିଆ ଜାଣିନଥିବା କହନ୍ତି । ଓଡ଼ିଆରେ ଚିଠିପତ୍ର ସେମାନଙ୍କ ପସନ୍ଦକୁ ଆସେନି । ଇଂରାଜୀରେ ଚିଠିପତ୍ର ଦେବାକୁ ପରାମର୍ଶ ଦେଇଥାଆନ୍ତି । ଚିଠିର ପ୍ରାପ୍ତି ସ୍ୱୀକାର ବ୍ୟବସ୍ଥା ଅଘୋଷିତ ଭାବେ କେବେଠୁ ବନ୍ଦ ହୋଇଗଲାଣି । ସରକାରୀ ବାବୁମାନେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ କରିବେ ଏ ବିଶ୍ୱାସ କରିହେଉନି । ରାଜ୍ୟ ସରକାରଙ୍କ ଏହି ନିର୍ଦେଶ କାର୍ଯ୍ୟକାରୀ ହେବ ନା ୩୯ବର୍ଷ ଧରି ପୋଥି ବାଇଗଣ ପରି ପଡି ରହିବ ତାହା ସମୟ କହିବ । ଏହା କେବଳ ଘୋଷଣା ଓ ନୂଆ ଓଡ଼ିଆ ଭାଷା ସହଚର ପରି ବହି ଛପାଯାଇ ସରକାରୀ ସ୍ତରରେ ବଣ୍ଟାଯିବାରେ ସୀମିତ ରହିବନାହିଁ ତ? ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ପରେ ଓଡ଼ିଆଙ୍କ ମନରେ ଏ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝି ଦାୟିତ୍ୱ ନେବାପରେ କରିଥିବା ଘୋଷଣା ଆଧାରରେ ଉପରୋକ୍ତ ରିପୋର୍ଟ ପ୍ରକାଶ କରାଯାଇଥିଲା । ଆଜି ୨୦୨୪ ମସିହା ନଭେମ୍ବର ୧୨ ତାରିଖରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ପାଇଁ ଆରମ୍ଭ ହୋଇଥିବା ଦୁଇଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ସରକାରୀ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ୱାରା ଆଉ ଏକ ‘ପ୍ରଶିକ୍ଷଣ ପୁସ୍ତିକା’ ଉନ୍ମୋଚିତ ହୋଇଛି ।
ପୂର୍ବ ପୁସ୍ତିକାଗୁଡ଼ିକ ବହୁଳ ସଂଖ୍ୟାରେ ରାଜ୍ୟବ୍ୟାପି ସରକାରୀ କର୍ମଚାରୀଙ୍କୁ ଦିଆଯାଇଥିଲା । ଏଥିରେ ଓଡ଼ିଆ ଭାଷାରେ ସରକାରୀ କାର୍ଯ୍ୟ ପାଇଁ ଅନେକ ତଥ୍ୟ ରହିଥିଲା । ସେସବୁ ସରକାରୀ କର୍ମଚାରୀ ନିଜଠୁ ଦୂରେଇ ରଖିବା ଯୋଗୁଁ ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ବାଧାପ୍ରାପ୍ତ ହୋଇଥିବା ଅସ୍ୱୀକାର କରି ହେବନାହିଁ ।
ଏବେ ନୂତନ ଭାବେ ପ୍ରକାଶିତ ପ୍ରଶିକ୍ଷଣ ପୁସ୍ତିକାରେ ଯେଉଁସବୁ ବିଷୟ ରହିଛି ତାହା ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରକୁ ଅଧିକ ପ୍ରଭାବଶାଳୀ କରିପାରିବ । ଏହାକୁ କେତେଜଣ ସରକାରୀ ଅଧିକାରୀ ପାଳନ କରିବେ ତାହା ଆଗକୁ ଜଣାପଡ଼ିବ ।
ସିବିଏସଇର ଦୁଇ ଟପର ଛାତ୍ରୀ ଟିନା ଓ ଆଲିଶାଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:୧୭/୪- ସିବିଏସଇ୧୦ମ ଶ୍ରେଣୀ ପରୀକ୍ଷାରେ ୫୦୦ରୁ ୫୦୦ ମାର୍କ ରଖି ସଫଳତା ହାସଲ କରିଥିବା ଟିନା ରଥ ଏବଂ ଆଲିଶା ବିଶ୍ୱାଳ ମୁଖ୍ୟମନ୍ତ୍ରୀଙ୍କୁ ଲୋକସେବା ଭବନରେ ଭେଟିଥିଲେ।...
Read more
