-ଆଶା ଦିଦି ଶିବାନୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
-ଭଲ କାମ କରିଥିବାରୁ ଉଚ୍ଚ ପ୍ରଶଂସା କଲେ,
-ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ମଞ୍ଜୁର
ଭୁବନେଶ୍ୱର:୨୬ ଅକ୍ଟୋବର ୨୦୨୪
କେନ୍ଦ୍ରାପଡା ଜିଲା ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆଶା ଦିଦି ଶିବାନୀ ମଣ୍ଡଳଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟେଲିଫୋନ ଯୋଗେ କଥାହୋଇ ବାତ୍ୟା ସମୟରେ ମାନବିକତାର ପ୍ରକୃତ ନିଦର୍ଶନ ଦେଖାଇଥିବାରୁ ତାଙ୍କୁ ଧନ୍ୟବାଦ ଦେଇଥିଲେ। ତାଙ୍କୁ ତୁରନ୍ତ ପୁରସ୍କାର ସ୍ୱରୂପ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହ ମଞ୍ଜୁର କରାଯାଇଛି।
ସୂଚନାଯୋଗ୍ୟ ଯେ କେନ୍ଦ୍ରାପଡା ଜିଲା ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଆଶା ଦିଦି ଶିବାନୀ ବାତ୍ୟା ପୂର୍ବରୁ ଖସାମୁଣ୍ଡା ଗାଁର ଲୋକମାନଙ୍କୁ ଆଶ୍ରୟସ୍ଥଳୀକୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରିବାର ଦାୟିତ୍ୱ ନେଇଥିଲେ। ଏହି ଦାୟିତ୍ୱ ସେ ସୁନ୍ଦରଭାବେ ନିର୍ବାହ କରିଛନ୍ତି। ଗାଁର ପକ୍ଷାଘାତ ରେଗରେ ଆକ୍ରାନ୍ତ ଜନୈକା ବୟସ୍କା ମହିଳା ପ୍ରବଳ ବର୍ଷା ଯୋଗୁଁ ଆଶ୍ରୟସ୍ଥଳକୁ ଯାଇ ପାରୁନଥିଲେ। ଶିବାନୀ ଦିଦି ତାଙ୍କୁ ନିଜ ପିଠିରେ ପକାଇ ଦେଢ କିଲୋମିଟର ଦୂରରେ ଥିବା ଆଶ୍ରୟସ୍ଥଳକୁ ବୋହି ନେଇ କର୍ତ୍ତବ୍ୟ ପାଳନ କ୍ଷେତ୍ରରେ ସମସ୍ତଙ୍କ ପାଇଁ ପ୍ରେରଣା ଓ ଉଦାହରଣ ସୃଷ୍ଟି କରିଛନ୍ତି।
ମୁଖ୍ୟମନ୍ତ୍ରୀ ତାଙ୍କ ସହ ଫୋନରେ କଥା ହେବା ପରେ ଜାଣିବାକୁ ପାଇଲେ ଯେ ସେଦିନ ସେ ସମୁଦାୟ ୭ଜଣ ବୟସ୍କ ଏବଂ ୨ ଜଣ ପ୍ରସୂତୀଙ୍କୁ ପିଠିରେ ବୋହି ଆଶ୍ରୟସ୍ଥଳକୁ ନେଇଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କର ଏହି ଉତ୍ସର୍ଗୀକୃତ ସେବାର ଉଚ୍ଚ ପ୍ରଶଂସା କରିବା ସହିତ କହିଥିଲେ ଯେ ସରକାର ଏବଂ ମୁଁ ବ୍ୟକ୍ତିଗତ ଭାବେ ତୁମ କାମ ଉପରେ ବହୁତ ଖୁସି। ମହାପ୍ରଭୁ ଶ୍ରୀ ଜଗନ୍ନାଥ ତୁମକୁ ସବୁବେଳେ ଭଲରେ ରଖନ୍ତୁ। ବିପଦ ବେଳେ ତୁମେ ସମସ୍ତଙ୍କୁ ଏହି ଭଳି ସାହାଯ୍ୟ କରୁଥାଅ। ମୁଖ୍ୟମନ୍ତ୍ରୀ ତାଙ୍କ ପରିବାରର ଭଲମନ୍ଦ ବିଷୟରେ ବୁଝିଥିଲେ ଏବଂ ତାଙ୍କର ଘର ନଥିବାରୁ ଟେଲିଫୋନ ଯୋଗେ ରାଜନଗର ବିଡିଓଙ୍କୁ ତାଙ୍କୁ ତୁରନ୍ତ ଏକ ଘର ଯୋଗାଇ ଦେବା ପାଇଁ ନିର୍ଦେଶ ଦେଇଥିଲେ। ତାହା ଦିନକ ମଧ୍ୟରେ ତାଙ୍କୁ ମିଳିଛି। ଏହା ସହିତ ଶିବନୀଙ୍କୁ ଅନ୍ୟାନ୍ୟ ଆବଶ୍ୟକ ସହାୟତା ଯୋଗାଇଦେବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।
