ଭୁବନେଶ୍ୱର
9 November 2024
ଉଚ୍ଚଶିକ୍ଷା କ୍ଷେତ୍ରରେ ୨୦୨୪-୨୫ ଶିକ୍ଷା ବର୍ଷରେ ଜାତୀୟ ଶିକ୍ଷା ନୀତି ୨୦୨୦ କାର୍ଯ୍ୟକାରୀ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି।
ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଏବଂ ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡିକରେ ଏହି ନୂତନ ଶିକ୍ଷାନୀତି ପ୍ରବର୍ତ୍ତନ ପାଇଁ ସେ ଅନୁମୋଦନ ଦେଇଛନ୍ତି। ଏହି ପଦକ୍ଷେପ ରାଜ୍ୟର ଶିକ୍ଷା ପ୍ରଣାଳୀରେ ଅନେକ ପରିବର୍ତ୍ତନ ଆଣିବ।
ନୂତନ ଶିକ୍ଷା ନୀତି 2020 ଅନୁସାରେ ଓଡିଶାରେ ଚାରି ବର୍ଷର ସ୍ନାତକ କୋର୍ସ ଆରମ୍ଭ ହେବାକୁ ଯାଉଛି, ଯେଉଁଥିରେ ପ୍ରତ୍ୟେକ ବର୍ଷ ପରେ ଯୋଗ୍ୟ ଛାତ୍ରମାନଙ୍କୁ ସାର୍ଟିଫିକେଟ୍ , ଡିପ୍ଲୋମା , ଡିଗ୍ରୀ ଏବଂ ଡିଗ୍ରୀ ଅନର୍ସ୍ ପ୍ରଦାନ କରାଯିବ | ୟୂ.ଜି.ସି. ଦ୍ୱାରା ପ୍ରଦତ୍ତ କ୍ରେଡିଟ୍ ଫ୍ରେମ୍ୱର୍କ୍ ଆଧାରରେ ରାଜ୍ୟସ୍ତରୀୟ କ୍ରେଡିଟ୍ ଫ୍ରେମ୍ୱର୍କ୍ ପ୍ରସ୍ତୁତ ହୋଇଛି। ଏଥିରେ ଦକ୍ଷତା ବିକାଶ ଏବଂ ଇଣ୍ଟର୍ଣ୍ଣସିପ ପାଇଁ ସୁଯୋଗ ପ୍ରଦାନ ସହିତ ଉପଯୁକ୍ତ କ୍ରେଡିଟ ପ୍ରଦାନ କରାଯାଇଅଛି । କମ୍ୟୁନିଟି ସର୍ଭିସ୍ ଓ extra curricular activities, ଏନ.ସି.ସି. ଏନ.ଏସ.ଏସ. ଇତ୍ୟାଦି ପାଇଁ ମଧ୍ୟ କ୍ରେଡିଟ ପ୍ରଦାନ କରାଯିବ | ଏହାଦ୍ୱାରା ଛାତ୍ରଛାତ୍ରୀ ମାନେ ନିଜ ସ୍ୱେଛାରେ ତାଙ୍କର ବିଷୟ ଗୁଡିକ ଚୟନ କରି ଏକାଧିକ ଥର ପାଇଁ ଉଚ୍ଚ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ପ୍ରବେଶ ଓ ପ୍ରସ୍ଥାନ ସହିତ ୭ ବର୍ଷ ଭିତରେ ତାଙ୍କର ଡିଗ୍ରୀ କୋର୍ସକୁ ପୂର୍ଣ୍ଣ କରିପାରିବେ |
ନୂତନ ଶିକ୍ଷା ନୀତି 2020 ଅନୁସାରେ ଓଡିଶାର ଉଚ୍ଚ ଶିକ୍ଷା ବ୍ୟବସ୍ଥାକୁ ଅଧିକ ଗୁଣାତ୍ମକ, ସ୍ୱାୟତ୍ତ ଏବଂ ସମାବେଶୀ କରିବାକୁ ପଦକ୍ଷେପ ନିଆଯାଉଛି। ଏଥିରେ ଭିନ୍ନ ଯୋଜନାମାନଙ୍କ ମାଧ୍ୟମରେ ଅନୁସନ୍ଧାନ ଓ ନୂତନତାକୁ ବଢ଼ାଇବା, ପ୍ରାକ୍ଟିକାଲ୍ ଆଧାରିତ ଶିକ୍ଷାକୁ ଓ ଶିଳ୍ପ ସହିତ ଇଣ୍ଟର୍ନସିପ୍ ଆଦି ଦ୍ୱାରା ନିପୁଣତା ବଢ଼ାଇବା ଲକ୍ଷ୍ୟ କରାଯାଉଛି। ପାଠ୍ୟକ୍ରମକୁ ଅଧିକ ରୋଜଗାର ଭିତ୍ତିକ ଏବଂ ଶିଳ୍ପ ଆବଶ୍ୟକତା ଅନୁଯାୟୀ କରାଯିବ।
ଏଥିପାଇଁ ବର୍ତ୍ତମାନ ୪୦ଟି ସ୍ନାତକ ମୂଳ ବିଷୟ ପାଇଁ ବିସ୍ତୃତ ମଡେଲ୍ ସିଲାବସ୍ ସହିତ ୨ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ, ୧୧୨ଟି multi disciplinary ପାଠ୍ୟକ୍ରମ, ୧୪ଟି ଧନ୍ଦା ମୂଳକ ପାଠ୍ୟକ୍ରମ, ୫୬ଟି ମୂଲ୍ୟ ଯୁକ୍ତ ପାଠ୍ୟକ୍ରମ ଏବଂ ୮୪ଟି ଦକ୍ଷତା ବୃଦ୍ଧି ପାଠ୍ୟକ୍ରମ ଅନୁମୋଦନ କରାଯାଇଛି।
ଏହା ଦ୍ୱାରା ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ବିଶ୍ୱବିଦ୍ୟାଳୟ ଗୁଡିକ ନୂତନ ସିଲାବସ୍ ଓ କ୍ରେଡିଟ୍ ଫ୍ରେମ୍ୱର୍କ୍ ଅନୁଯାୟୀ ଜାତୀୟ ଶିକ୍ଷାନୀତି ଲାଗୁ କରିପାରିବେ।
