
ଭୁବନେଶ୍ୱର:୧୭/୧୧- ଓଡ଼ିଶା ସଙ୍ଗୀତ ତଥା ଓଲିଉଡ଼ ଜଗତର ପ୍ରସିଦ୍ଧ ଗାୟକ ହ୍ୟୁମାନ ସାଗରଙ୍କର ମାତ୍ର ୩୪ ବର୍ଷ ବୟସରେ ପରଲୋକ ଘଟିଛି। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର ରାତି ୯ଟା ୮ ମିନିଟରେ ତାଙ୍କର ଦେହାନ୍ତ ହୋଇଛି। ଏହି ସ୍ୱନାମଧନ୍ୟ କଣ୍ଠଶିଳ୍ପୀଙ୍କ ଅକାଳ ମୃତ୍ୟୁକୁ ନେଇ ରାଜ୍ୟର ସଙ୍ଗୀତପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।
ଅସୁସ୍ଥତା କାରଣରୁ କିଛି ଦିନ ତଳେ ହ୍ୟୁମାନ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ମାତ୍ର ତାଙ୍କ ଅବସ୍ଥା ଅଧିକ ଖରାପ ହୋଇପଡ଼ିଲା। ଅତି ସଙ୍କଟାପନ୍ନ ଅବସ୍ଥାରେ ଗତ ୧୪ ତାରିଖରେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଲିଭର, କିଡନୀ ସମେତ ଏକାଧିକ ଅଙ୍ଗ ଅଚଳ ହୋଇପଡ଼ିଥିଲା। ଡାକ୍ତର ଶ୍ରୀକାନ୍ତ ବେହେରାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ ତାଙ୍କର ଜୀବନ ବଞ୍ଚାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ। ମାତ୍ର ସବୁ ଚେଷ୍ଟା ବିଫଳ ହୋଇଥିଲା।
ହ୍ୟୁମାନ ୧୯୯୦ ମସିହା ନଭେମ୍ବର ୨୫ ତାରିଖରେ ଟିଟିଲାଗଡ଼ରେ ଜନ୍ମ ଗ୍ରହଣ କରିଥିଲେ। ୨୦୧୨ ମସିହାରେ ସେ ତରଙ୍ଗ ଭଏସ୍ ଅଫ ଓଡ଼ିଶା ସିଜିନ-୨ରେ ଭାଗ ନେଇ ବିଜୟୀ ହୋଇଥିଲେ। ୨୦୧୫ରେ ତରଙ୍ଗ ପ୍ରଡକ୍ସନର ଫିଲ‘ତୁ ହିଁ ତୁ’ରେ ସଙ୍ଗୀତ ଗାଇଥିଲେ। ଏହା ବେଶ ସଫଳତା ହାସଲ କରିଥିଲା ଓ ତାଙ୍କୁ ସଫଳତାର ଶୀର୍ଷରେ ପହଞ୍ଚାଇଥିଲା। ସେ ୧୯ଟି ଓଡ଼ିଆ ଫିଲ୍ମ ସମେତ ଅନେକ ଆଲବମ ସଙ୍ଗୀତରେ କଣ୍ଠଦାନ କରିଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି।