ଭୁବନେଶ୍ୱର:୨୨/୫- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯାଜପୁରର କଳିଙ୍ଗନଗର ଠାରେ ୧ ଲକ୍ଷ ୧୫ ହଜାର କୋଟି ଟଙ୍କାର ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଶୁଭ ଉଦ୍ଘାଟନ କରିଛନ୍ତି। ସେ ସମୁଦାୟ ୨୦ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ଟି ନୂତନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି । ଏହା ଦ୍ୱାରା ପ୍ରାୟ ୩୬ ହଜାର ନୂତନ ନିଯୁକ୍ତି ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ, ଆଜି ପ୍ରାୟ ୪୯ ହଜାର କୋଟି ଟଙ୍କାର ପ୍ରକଳ୍ପର ଶୁଭ ଉଦ୍ଘାଟନ ଏବଂ ପ୍ରାୟ ୬୬ ହଜାର କୋଟି ଟଙ୍କାର ପ୍ରକଳ୍ପର ଭିତ୍ତି ପ୍ରସ୍ତର ସ୍ଥାପନ ଯାଜପୁର ଜିଲ୍ଲାରେ କରାଯାଇଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହି କାର୍ଯ୍ୟକ୍ରମ, ଶିଳାନ୍ୟାସ ନୁହେଁ, କି ଉଦ୍ଘାଟନ ନୁହେଁ, ଏହା ହେଉଛି ସମୃଦ୍ଧ ଓଡ଼ିଶାର ଭବିଷ୍ୟତର ନିର୍ମାଣ । ଏହିସବୁ ପ୍ରକଳ୍ପ ଯୋଗୁଁ ୩୬ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି ଏବଂ ରାଜ୍ୟରେ ନିଯୁକ୍ତିର ଏକ ନୂଆ ଲହର ସୃଷ୍ଟି ହୋଇଛି। ଆମ ସରକାର ନିଜର ଦୃଢ ଇଚ୍ଛା ଶକ୍ତିର ନିଦର୍ଶନ ଦେଖାଇଛନ୍ତି । ମାତ୍ର ୧୧୩ ଦିନ ମଧ୍ୟରେ ସରକାର ପ୍ରତିଶୃତି ପୂରଣ କରିଛନ୍ତି । ଯେଉଁ ସବୁ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେଲା ସେ ସମସ୍ତ ପ୍ରକଳ୍ପ ମେକ୍-ଇନ୍-ଓଡିଶା କନ୍କ୍ଲେଭରେ ସ୍ୱାକ୍ଷରିତ ହୋଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହା କେବଳ ଚାକିରି ନୁହେଁ, ଯୁବବର୍ଗଙ୍କ ପାଇଁ ଏହା ସ୍ୱାଭିମାନ, ଏହା ନୂଆ ଓଡ଼ିଶାର ନୂଆ ପରିଚୟ। ଏହା ସମୃଦ୍ଧ ଓଡିଶାର ଅୟମାରମ୍ଭ।

ସେ କହିଥିଲେ, ରାଜ୍ୟର ଶିଳ୍ପ ବିକାଶର ଏନ୍ତୁଡିଶାଳ ହେଉଛି ଶିଳ୍ପ ସମୃଦ୍ଧ କଳିଙ୍ଗ ନଗର। ଶିଳ୍ପ ବିକାଶରେ ଅଗ୍ରଣୀ ଭୂମିକା ଗ୍ରହଣ କରି ରାଜ୍ୟ ପାଇଁ ଏହି ଅଂଚଳ ଏକ ଦୃଷ୍ଟାନ୍ତ ପାଲଟିଛି । ମେକ୍ ଇନ୍ ଓଡ଼ିଶା କନକ୍ଲେଭ-ଉତ୍କର୍ଷ ଓଡ଼ିଶାର ଚମତ୍କାର ସଫଳତା ବଳରେ ୧୭ ଲକ୍ଷ କୋଟି ଟଙ୍କାର ନିବେଶ ଆମେ ପାଇଥିଲୁ। ଆଉ ଆଜି, ବାସ୍ତବତା ଭୂମିରେ ଦୃଶ୍ୟମାନ ହେଉଛି ଯେ ଓଡ଼ିଶା ଆଉ କେବଳ ସମ୍ଭାବନାର ଭୂମି ନୁହେଁ, ଏହା ହେଉଛି ସୀମାହୀନ ସୁଯୋଗର ଭୂମି।

ଏହି ଅବସରରେ ସମବାୟ ଓ ହସ୍ତତନ୍ତ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା, କୋରେଇ ବିଧାୟକ ଆକାଶଦାସ ନାୟକ, ବଡଚଣା ବିଧାୟକ ଅମର ନାୟକ ପ୍ରମୁଖଙ୍କ ସମେତ ରାଜ୍ୟର ବିଭିନ୍ନ ଶିଳ୍ପ ସଂସ୍ଥାର ଶିଳ୍ପପତିମାନେ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମରେ ଶିଳ୍ପ ବିଭାଗ ଅତିରିକ୍ତ ଶାସନ ସଚିବ ସ୍ୱାଗତ ଭାଷଣ ଦେଇଥିବା ବେଳେ ଜିଲ୍ଲାପାଳ ଧନ୍ୟବାଦ ଦେଇଥିଲେ।