ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ନିର୍ଦ୍ଦେଶ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର:୨୪/୩- କାର୍ଯ୍ୟରେ ସନ୍ଦେହ, ସଚ୍ଚୋଟତା ବା ସାଧୁତାର ଅଭାବ ଥିବା ଅପାରଗ ଅଧିକାରୀ ଓ କର୍ମଚାରୀଙ୍କୁ ସେମାନଙ୍କର ପ୍ରକୃତ ଅବସର ଗ୍ରହଣ ସମୟ ପୂର୍ବରୁ ସରକାରୀ ସେବାରୁ ବହିଷ୍କାର କରିବା ନେଇ ସାଧାରଣ ପ୍ରଶାସନଓ ସାଧାରଣ ଅଭିଯୋଗ (ଜିଏପିଜି) ବିଭାଗର ସର୍କୁଲାରକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ନିର୍ଦ୍ଦେଶଦେଇଛନ୍ତି।
ଏ ସଂପର୍କରେ ରହିଥିବା ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ସେ ଆଜି ସମସ୍ତ ବିଭାଗକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।ମୁଖ୍ୟ ଶାସନ ସଚିବ ଆଜି ସରକାରଙ୍କ ସମସ୍ତବିଭାଗର ସଚିବମାନଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତିଯେ, ଓଡ଼ିଶା ସେବା କୋର୍ଡ ନିୟମ -୭୧( ଧାରା-କ)ଅନୁଯାୟୀ ସରକାରୀ କର୍ମଚାରୀଙ୍କ ଅକାଳ ଅବସର(ପ୍ରି-ମାଚ୍ୟୁରରିଟାୟରମେଣ୍ଟ)ମାମଲାର ସମାଧାନ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ଏବଂ ପ୍ରଶାସନିକ ଦକ୍ଷତାକୁ ସୁନିଶ୍ଚିତ କରିବା ନିମନ୍ତେ ଜିଏଓପିଜି ବିଭାଗର ସର୍କୁଲାର ନଂ୨୭୦୩୭ ତାରିଖ ୨୪.୦୯.୨୦୧୯ରେ ନିର୍ଦ୍ଦେଶନାମା ଜାରି କରାଯାଇଛି।
ତେବେ ଉପରୋକ୍ତ ସର୍କୁଲାରରେ ଦର୍ଶାଯାଇଥିବା ଏହି ନିୟମଗୁଡ଼ିକୁ ଅନେକ ବିଭାଗ ସମ୍ପୂର୍ଣ୍ଣ ଭାବେ ପାଳନ କରୁନଥିବା ସରକାରଙ୍କ ନଜରକୁ ଆସିଛି।ଫଳରେ ଯେଉଁ ଉଦ୍ଦେଶ୍ୟରେ ଏହି ନିର୍ଦ୍ଦେଶନାମା ଜାରିକରାଯାଇଛି, ତାହା ଫଳପ୍ରଦ ନ ହେବା ସହ ସଚ୍ଚୋଟତା ଓଦକ୍ଷତାର ମାନରେ ସ୍ପଷ୍ଟଅଭାବ ଥିବା ଅଧିକାରୀ ଓ କର୍ମଚାରୀମାନେ ସରକାରୀ ଚାକିରିରେ ରହିଛନ୍ତି। ଏହା କେବଳ ବ୍ୟବସ୍ଥାରେ ଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁନାହିଁ ବରଂ ଜନସ୍ୱାର୍ଥ ପାଇଁ ମଧ୍ୟ ଅତ୍ୟନ୍ତ କ୍ଷତିକାରକ ସାବ୍ୟସ୍ତ ହେଉଛି।
ତେଣୁ କାର୍ଯ୍ୟରେ ସନ୍ଦେହଜନକ ସଚ୍ଚୋଟତା ଏବଂ ଅପାରଗତା ଥିବା ବ୍ୟକ୍ତିମାନଙ୍କୁ ସରକାରୀ ସେବାରୁ ହଟାଇ ସରକାରୀ କାର୍ଯ୍ୟାଳୟ ଗୁଡ଼ିକର ପ୍ରଭାବଶାଳୀ କାର୍ଯ୍ୟକାରିତା ନିମନ୍ତେ ଜିଏଓପିଜି ବିଭାଗର ଏହି ସର୍କୁଲାରରେ ଜାରିହୋଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ନିୟମିତ ସମୀକ୍ଷା ବୈଠକ ଆୟୋଜନ ସୁନିଶ୍ଚିତ କରିବାକୁ ସେ ସମସ୍ତ ସଚିବଙ୍କୁ ନିର୍ଦ୍ଦେଶ ଦେବା ସହ ନିଜ ନିଜ ଅଧୀନରେ କାର୍ଯ୍ୟ କରୁଥିବା ସମସ୍ତ ବିଭାଗୀୟ ମୁଖ୍ୟମାନଙ୍କୁ ଏ ସଂପର୍କରେ ନିର୍ଦ୍ଧାରିତ ସମୟରେ ସମୀକ୍ଷା ବୈଠକ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।