-ଗଣମାଧ୍ୟମର ତତ୍ପରତା ପାଇଁ ଓଡ଼ିଶାର ଏକ କୋଟିରୁ ଉର୍ଦ୍ଧ୍ଵ ମହିଳାଙ୍କ ପାଖରେ ସୁଭଦ୍ରା ପହଞ୍ଚି ପାରିଛି
-ଯୋଜନାର ସଫଳ ରୂପାୟନ ପାଇଁ ଗଣମାଧ୍ୟମକୁ ଧନ୍ୟବାଦ ଦେଲେ ପ୍ରଭାତୀ
ଭୁବନେଶ୍ୱର, ତା୨୫/୦୪-ସୁଭଦ୍ରା ଯୋଜନା ଉପରେ ଭୁବନେଶ୍ୱରରେ ଆୟୋଜିତ ଗଣମାଧ୍ୟମ ସହ ଆଲୋଚନା କାର୍ଯ୍ୟକ୍ରମରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ସୁଭଦ୍ରା ଯୋଜନାର ସଫଳ ରୂପାୟନ ପାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଧନ୍ୟବାଦ ଦେବା ସହ ଏହି ଯୋଜନାକୁ ଆହୁରି ଉନ୍ନତ କରିବା ପାଇଁ ସେମାନଙ୍କ ଠାରୁ ସୁଚିନ୍ତିତ ମତାମତ ଗ୍ରହଣ କରିଛନ୍ତି। ଭୁବନେଶ୍ୱରରେ ଅନେକ ଆବେଦନକାରିଣୀ ଏପର୍ଯ୍ୟନ୍ତ ଯୋଜନାର ସୁଫଳ ପାଇନଥିବା ସମ୍ପର୍କରେ ସାମ୍ବାଦିକ ସରୋଜ ରଞ୍ଜନ ପଟ୍ଟାନାୟକଙ୍କ ନିର୍ଦିଷ୍ଟ ପ୍ରଶ୍ନର ଉତ୍ତର ଦେଇ ସେ ଏ କ୍ଷେତ୍ରରେ ୱାର୍ଡ ଅଫିସରଙ୍କ ଭୁଲ ରହୁଥିବା ସ୍ୱୀକାର କରିଛନ୍ତି। ୱାର୍ଡ ଅଫିସରଙ୍କ ମଧ୍ୟରେ ସମନ୍ୱୟ ରହୁ ନ ଥିବାରୁ ସୁଭଦ୍ରା ଯୋଜନାରୁ ସେମାନେ ବଂଚିତ ରହିଛନ୍ତି। ଏହାର ସର୍ଭେ ହେବ ବୋଲି ସେ କହିଥିଲେ।
ସୂଚନାଯୋଗ୍ୟ ଯେ ଭୁବନେଶ୍ୱରର ଅନେକ ଯୋଗ୍ୟ ଆବେଦନକାରିଣୀ ସମସ୍ତ ନୀତି ନିୟମ ଆଧାରରେ ଆବେଦନ କରିଥିଲେ ମଧ୍ୟ ଅନ ଲାଇନରେ ଦରଖାସ୍ତ ପ୍ରୋସେସିଂରେ ଥିବା ଦେଖିବାକୁ ମିଳୁଛି।
ଆଲୋଚନା ବେଳେ ସେ କହିଛନ୍ତି ଯୋଜନାରେ ଏସଓପି ତଥା ଗାଇଡଲାଇନକୁ ଘରେ ଘରେ ପହଞ୍ଚାଇବା ସହ ଜନସଚେତନତା ସୃଷ୍ଟି କରିବାରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଭିନ୍ନ ଦକ୍ଷତା ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ସୁଭଦ୍ରା ଯୋଜନାକୁ ଆହୁରି ସମୃଦ୍ଧ କରାଯିବ । ଗଣମାଧ୍ୟମ ପ୍ରତିନିଧିମାନଙ୍କ କେତେକ ପ୍ରଶ୍ନର ଉତ୍ତର ଦେଇ ସେ ସେମାନଙ୍କ ସୁଚିନ୍ତିତ ମତାମତ ଉପରେ ଆଗକୁ କାର୍ଯ୍ୟ କରାଯିବ ବୋଲି କହିଥିଲେ। ଖୁବ କମ ଦିନରେ ସୁଭଦ୍ରା ଯୋଜନାରେ ଏକ କୋଟିରୁ ଉର୍ଦ୍ଧ୍ଵ ହିତାଧିକାରୀଙ୍କୁ ଯୋଡି ଥିବାରୁ ମହିଳା ଶିଶୁ ବିକାଶ ବିଭାଗର ଅଧିକାରୀବୃନ୍ଦ ସମେତ ତୃଣମୂଳସ୍ତରରେ କାର୍ଯ୍ୟରତ ଅଙ୍ଗନବାଡି କର୍ମୀ ଓ ମୋ ସେବା କେନ୍ଦ୍ର, ଜନ ସେବା କେନ୍ଦ୍ର କର୍ମକର୍ତ୍ତାମାନଙ୍କୁ ସେ ଧନ୍ୟବାଦ ଜ୍ଞାପନ କରିଥିଲେ।
ଏହି କାର୍ଯ୍ୟକ୍ରମରେ ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଯୋଗ ଦେଇ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନେକ ବରିଷ୍ଠ ସାମ୍ବାଦିକ ତଥା ବିଭିନ୍ନ ପ୍ରମୁଖ ଗଣମାଧ୍ୟମ ସଂସ୍ଥାର ସମ୍ପାଦକ ଓ ସାମ୍ବାଦିକମାନେ ଯୋଗ ଦେଇଥିଲେ। ବୈଠକରେ ଉନ୍ନୟନ କମିଶନର ବିଭାଗର ନିର୍ଦ୍ଦେଶିକା ଓ ବିଭାଗୀୟ ପ୍ରମୁଖ ଅଧିକାରୀମାନେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।