ଭୁବନେଶ୍ୱର:୧୩/୧-ପ୍ରସିଦ୍ଧ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ଅର୍ପିତା ଚୌଧୁରୀ ଓ ସୋମେଶ ଶତପଥୀଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି। ଅର୍ପିତା ଓ ସୋମେଶଙ୍କ ପକ୍ଷରୁ କରଯାଇଥିବା ଆଗୁଆ ଜାମିନ ଆବେଦନର ଶୁଣାଣି କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ କେସ୍ ଡାଏରୀ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମାମଲାରେ ଏତଲାକାରୀ ହ୍ୟୁମାନ ସାଗରଙ୍କ ମା’ ସେଫାଳି ସୁନାଙ୍କୁ ପକ୍ଷଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କମିଶନରେଟ ପୋଲିସ ଅର୍ପିତା ଓ ସୋମେଶଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।




ଆସନ୍ତା ଫେବୃଆରୀ ୧୬ତାରିଖରେ ପରବର୍ତ୍ତୀ ଶୁଣାଣି ହେବ। ସୂଚନାଯାଗ୍ୟ ଯେ ଗତ ଡିସେମ୍ବର ୨୧ତାରିଖରେ ସେଫାଳି ସୁନା ପୁଅର ମୃତ୍ୟୁ ପାଇଁ ଅର୍ପିତା ଓ ସୋମେଶଙ୍କ ସମେତ ୯ ଜଣ ଦାୟୀ ବୋଲି ଅଭିଯୋଗ କରି ମର୍କତନଗର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ଅର୍ପିତା ଚୌଧୁରୀ ଓ ସୋମେଶ ଶତପଥୀ ଆଗୁଆ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।