ଭୁବନେଶ୍ୱର:3/7- ଭୁବନେଶ୍ୱର ମହାନଗର ନିଗମ ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ମାଡ଼ ଘଟଣାରେ ବିଜେପି ନେତା ଜଗନ୍ନାଥ ପ୍ରଧାନ ଗିରଫ ହୋଇଛନ୍ତି । ସେ ଗୁରୁବାର ରାତିରେ ନାଟକୀୟ ଢ଼ଙ୍ଗରେ ତାଙ୍କ ସମର୍ଥକଙ୍କ ଗହଣରେ ଡିସିପି ଅଫିସ ଆସି ଆତ୍ମସମର୍ପଣ କରିଥିଲେ। ଏହାପରେ ତାଙ୍କୁ ଗିରଫ ଦର୍ଶାଯାଇଥିଲା। କ୍ୟାପିଟାଲ ହସ୍ପିଟାଲରେ ସ୍ୱାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟ ତାଙ୍କ ଜାମିନ ଆବେଦନକୁ ନାମଂଜୁର କରି ୧୪ ଦିନ ପାଇଁ ଝାରପଡ଼ା ଜେଲ ହାଜତକୁ ପଠାଇ ଦେଇଛନ୍ତି। ପ୍ରାଥମିକ ପ୍ରମାଣ ଆଧାରରେ ତାଙ୍କୁ ଗିରଫ କରାଯାଇଛି ବୋଲି ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି।

ବିଏମସି ଅତିରିକ୍ତ କମିସନର ରତ୍ନାକର ସାହୁଙ୍କୁ ଅମାନୁଷିକ ଆକ୍ରମଣ ଘଟଣାରେ ତାଙ୍କୁ ମାଷ୍ଟର ମାଇଣ୍ଡ କୁହାଯାଉଥିଲା। ଏହି ମାମଲାରେ ପୂର୍ବରୁ ପାଞ୍ଚ ଜଣଙ୍କୁ ପୁଲିସ ଗିରଫ କରିଥିଲା। ଜଗନ୍ନାଥ ପ୍ରଧାନଙ୍କ ଗିରଫ ଦାବିରେ ସମୂହ ଛୁଟିରେ ରହିଥିବା ଓଏଏସ୍ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଛନ୍ତି । ସଂଘ ସଭାପତି ଜ୍ୟୋତିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି। ସୋମବାର ଭୁବନେଶ୍ୱର ମହାନଗର ନିଗମର ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ତାଙ୍କ କାର୍ଯ୍ୟାଳୟରେ ଆକ୍ରମଣ କରାଯାଇଥିଲା। ଘଟଣାରେ ସମ୍ପୃକ୍ତ ୫ଜଣଙ୍କୁ ପୁଲିସ ଗିରଫ କରିଥିଲା । ଆଜି ଜଗନ୍ନାଥ ଗିରଫ ହେବାପରେ ଏହି ସଂଖ୍ୟା ଛଅକୁ ବୃଦ୍ଧି ପାଇଛି । ପୂର୍ବରୁ ଗିରଫ ସଞ୍ଜୀବ ମିଶ୍ର , ସଚ୍ଚିକାନ୍ତ ସ୍ୱାଇଁ , କର୍ପୋରେଟର ଅପରୂପ ନାରାୟଣ ରାଉତ, ରଶ୍ମୀ ରଞ୍ଜନ ମହାପାତ୍ର ଓ ଦେବାଶିଷ ପ୍ରଧାନଙ୍କୁ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରିଥିଲେ।
ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବି କରି ଓଏଏସ ସଂଘ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଥିଲା । ଜଗନ୍ନାଥଙ୍କ ଗିରଫ ପରେ ସମୂହ ଛୁଟିରେ ଥିବା ଓଏଏସ ସଂଘ ଆନ୍ଦୋଳନ ପ୍ରତ୍ୟାହାର କରିଛି।