‘ହର୍ ଘର୍ ଜଲ୍’ ଲକ୍ଷ୍ୟ ପୂରଣ ପାଇଁ
ଓଡିଶାରେ ରୋଡମ୍ୟାପ ପ୍ରସ୍ତୁତ- ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:୨୪/୩- ଓଡିଶାରେ ଜଳ ଜୀବନ ମିଶନ ୨.୦ର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ ନୂଆଦିଲ୍ଲୀ ଠାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ନୂଆଦିଲ୍ଲୀରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ସି.ଆର୍ ପାଟିଲ ଓ ରାଷ୍ଟ୍ରମନ୍ତ୍ରୀ ବି. ସୋମନ୍ନା ଉପସ୍ଥିତ ଥିଲେ।

ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ପାଇଁ ଜଳ ଜୀବନ ମିଶନ ଆରମ୍ଭ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଜଣାଇ କହିଥିଲେ ଯେ, ଦେଶର ୭୭.୩ ପ୍ରତିଶତ ପରିବାରକୁ ଏପର୍ଯ୍ୟନ୍ତ ଟ୍ୟାପ ସଂଯୋଗ ମିଳିଛି। କେନ୍ଦ୍ର କ୍ୟାବିନେଟ ଦ୍ୱାରା ଏହି ମିଶନର ସମ୍ପ୍ରସାରଣ ୨୦୨୮ ପର୍ଯ୍ୟନ୍ତ ଅନୁମୋଦନ ମିଳିଥିବା ଓ ‘ହର ଘର ଜଳ’ ଲକ୍ଷ୍ୟ ପୂରଣ ପାଇଁ ଏହା ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ। ସେ କହିଥିଲେ, ଜଳ ଜୀବନ ମିଶନ ୨.୦ ଅନୁଯାୟୀ ରାଜ୍ୟ ସରକାର ଏକ ସ୍ପଷ୍ଟ ରୋଡମ୍ୟାପ୍ ପ୍ରସ୍ତୁତ କରିଛନ୍ତି। ସୁଜଳମ ଭାରତ ପ୍ଲାଟଫର୍ମ ମାଧ୍ୟମରେ ପ୍ରାୟ ୫,୦୦୦ ଗ୍ରାମୀଣ ପାଇପ ଜଳ ଯୋଜନା ପ୍ରସ୍ତୁତ କରାଯାଇଛି ଓ ସମସ୍ତ ଯୋଜନାର ବିତ୍ତୀୟ ସମନ୍ୱୟ ସମ୍ପନ୍ନ ହୋଇଛି। ଓଡିଶାରେ ପ୍ରତ୍ୟେକ ବ୍ୟକ୍ତି ପାଇଁ ଦିନକୁ ୭୦ ଲିଟର ପାନୀୟ ଜଳ ବ୍ୟବସ୍ଥା କରାଯାଇଥିବା ବେଳେ ଏହି ମିଶନରେ ରାଜ୍ୟ ସରକାର ପ୍ରାୟ ୪୦ ପ୍ରତିଶତ ଅର୍ଥ ଖର୍ଚ୍ଚ କରୁଛନ୍ତି। ବସୁଧା ହେଲ୍ପଲାଇନ, ହ୍ୱାଟ୍ସଆପ ସେବା ଓ ଡିଜିଟାଲ ଗ୍ରୀଭାନ୍ସ ପ୍ଲାଟଫର୍ମ ମାଧ୍ୟମରେ ସିଟିଜେନ-ସେଣ୍ଟ୍ରିକ୍ ସେବାକୁ ଶକ୍ତିଶାଳୀ କରାଯାଇଛି।
ଗ୍ରାମସ୍ତରରେ ଜନସାଧାରଣଙ୍କ ଭାଗୀଦାରି ବୃଦ୍ଧି ପାଇଛି ଓ ୩୦ଟି ଜିଲ୍ଲାରୁ ୨୫ଟି ଜିଲ୍ଲାରେ “ଜଳ ଅର୍ପଣ ଦିବସ” ସଫଳତାର ସହିତ ପାଳନ ହୋଇଛି। ବାକି ସବୁ ଜିଲ୍ଲାରେ ମଧ୍ୟ ଶୀଘ୍ର କରାଯିବ। ଏହି ମିଶନ ମହିଳାମାନଙ୍କ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆଣିଛି, କାରଣ ବର୍ତ୍ତମାନ ସମୟରେ ସେମାନଙ୍କୁ ପାଣି ପାଇଁ ଦୂରକୁ ଯିବାକୁ ପଡୁନାହିଁ। ଓଡିଶାରେ ଜଳ ଶକ୍ତି ଅଭିଯାନ ଏକ ଜନ ଆନ୍ଦୋଳନର ରୂପ ନେଇଛି। ଏହା ଅନ୍ତର୍ଗତ ୨.୨୧ ଲକ୍ଷ ଜଳ ସଂରକ୍ଷଣ ଓ ବର୍ଷାଜଳ ସଂଗ୍ରହ ଷ୍ଟ୍ରକ୍ଚର, ୪୩ ହଜାରରୁ ଅଧିକ ଜଳାଶୟ ପୁନରୁଦ୍ଧାର, ୪୨ ହଜାର ଭୂଗର୍ଭ ଜଳ ପୁନର୍ଭରଣ ଓ ୨ ଲକ୍ଷରୁ ଅଧିକ ୱାଟରଶେଡ କାର୍ଯ୍ୟ ସମ୍ପନ୍ନ ହୋଇଛି। ସେହିପରି ୨ କୋଟିରୁ ଅଧିକ ଗଛ ରୋପଣ କରାଯାଇଛି। ଏହି ଅବସରରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଶ୍ରୀ ସି. ଆର ପାଟିଲ କହିଥିଲେ ଯେ ୨୦୨୪ ମସିହାରୁ ଆରମ୍ଭ ହୋଇଥିବା ଏହି ଯୋଜନା ୨୦୨୬-୨୦୨୮ ପର୍ଯ୍ୟନ୍ତ ଜଳ ଜୀବନ ମିଶନ ୨.୦ ମାଧ୍ୟମରେ ସମ୍ପ୍ରସାରିତ କରାଗଲା। ଏହି ମିଶନ ମହିଳାଙ୍କ ଜୀବନରେ ସୁଧାର ଆଣିବ। ଓଡ଼ିଶାରେ ଯେଉଁଠାରେ ପାଣିର ଅଭାବ ରହିଛି ସେଠାରେ ପାଣିର ଉପଲବ୍ଧତାକୁ ସୁନିଶ୍ଚିତ କରିବା ଏହି ମିଶନ।