ଭୁବନେଶ୍ୱର:୧୭/୧୧-ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ଵାରା ୨୦୨୭ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା ଓ ଗୃହତାଲିକା ପ୍ରସ୍ତୁତି କାର୍ଯ୍ୟକ୍ରମର ପ୍ରାକ୍-ପରୀକ୍ଷଣ ଓଡିଶାରେ ଥିବା ଜନଗଣନା ନିର୍ଦ୍ଦେଶାଳୟ ଦ୍ଵାରା ରାଜ୍ୟ ସରକାରଙ୍କ ମିଳିତ ସମନ୍ଵୟରେ କରାଯାଉଛି। ରାଜ୍ୟର ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ତହସିଲର ୨୦ଟି ରାଜସ୍ୱ ଗ୍ରାମରେ ଓ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ତହସିଲର ୪୪ଟି ରାଜସ୍ୱ ଗ୍ରାମରେ ଏବଂ ଭୂବନେଶ୍ଵର ମହାନଗର ନିଗମ ୱାର୍ଡ ନମ୍ବର ୨୨ ଓ କଟକ ମହାନଗର ନିଗମ ୱାର୍ଡ ନମ୍ବର ୧୭ରେ ନଭେମ୍ବର ୧୦ ତାରିଖରୁ ନଭେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଛି।

ଏହି ସମୟ ଅବଧି ମଧ୍ୟରେ ଗଣନାକାରୀ ଆପଣଙ୍କ ଗୃହକୁ ପରିଦର୍ଶନ କରି ଗୃହରେ ନମ୍ବର ଦେବେ ଓ ଗୃହଗଣନା ତଥ୍ୟ ସଂଗ୍ରହ କରିବେ। ୨୦୨୭ ଜନଗଣନାର ବିଶେଷତ୍ଵ ହେଉଛି ଡିଜିଟାଲ ତଥ୍ୟ ସଂଗ୍ରହ ଓ ସ୍ଵ-ଗଣନା ପୋର୍ଟାଲର ବ୍ୟବହାର କରି ନିଜେ ନିଜର ତଥ୍ୟ ପ୍ରଦାନ କରିପାରିବାର ପ୍ରାବଧାନ ବା ସୁବିଧା ସହିତ ଡିଜିଟାଲ ଲେଆଉଟ ମ୍ୟାପିଂ ଆପରେ ପ୍ରତ୍ୟେକ ଘରକୁ ଜିଓ ଟ୍ୟାଗ କରାଯିବ ଓ ଜନଗଣନା ତଥ୍ୟର ତୁରନ୍ତ ପ୍ରସାର କରାଯାଇ ପାରିବ।
ଭାରତ ସରକାରଙ୍କ ମହା ରେଜିଷ୍ଟ୍ରାର ଓ ଜନଗଣନା ଆୟୁକ୍ତଙ୍କ ସୌଜନ୍ୟରୁ ଗଣନାକାରୀ ଜନସାଧାରଣଙ୍କ ଗୃହକୁ ପରିଦର୍ଶନ କରି ଗୃହର ଅବସ୍ଥା,ଗୃହରେ ଥିବା ସୁବିଧା ସୁଯୋଗ, ପରିବାର ଦ୍ଵାରା ବ୍ୟବହୃତ ଉପକରଣ ଇତ୍ୟାଦିର ତଥ୍ୟ ସଂଗ୍ରହ କରିବେ। ତେଣୁଏହି କାର୍ଯକ୍ରମରେ ସ୍ଥାନୀୟ ପ୍ରଶାସନ ଓ କର୍ତ୍ତବ୍ୟରତ ଜନଗଣନା ଅଧିକାରୀଙ୍କୁ ସହଯୋଗ ପ୍ରଦାନ କରିବା ସହ ଯେଉଁ ଅଞ୍ଚଳଗୁଡିକରେ ପ୍ରାକ୍-ପରୀକ୍ଷଣ କାର୍ଯ୍ୟକ୍ରମ ରହିଛି ସେହି ଅଞ୍ଚଳର ଜନସାଧାରଣଙ୍କୁ ସହଯୋଗ ନିମନ୍ତେ ଜନଗଣନା ନିର୍ଦ୍ଦେଶାଳୟ ଓଡିଶା ପକ୍ଷରୁ ନିବେଦନ କରାଯାଉଛି ।