ଭୁବନେଶ୍ୱର:୨୫/୧୨- ବାଜପେୟୀଜୀଙ୍କ ସୁଶାସନର ମନ୍ତ୍ର ଏବଂ ମୋଦୀଜୀଙ୍କ ପ୍ରଶାସନିକ ସଂସ୍କାରକୁ ପାଥେୟ କରି ଆମ ୧୮ ମାସର ସରକାର ଓଡିଶାର ସାଢେ ଚାରି କୋଟି ଲୋକଙ୍କ କଲ୍ୟାଣ ପାଇଁ କାର୍ଯ୍ୟରତ ରହିଛି ବୋଲି ଆଜି ସୁଶାସନ ଦିବସ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସିଏମ୍ ଡ୍ୟାସବୋର୍ଡ, ଓସ୍ୱାସ ବ୍ୟବସ୍ଥାକୁ ଜିଲ୍ଲା ଓ ବ୍ଲକସ୍ତର ପର୍ଯ୍ୟନ୍ତ ସଂପ୍ରସାରଣ ଏବଂ ଉନ୍ନତମାନର ଚିକିତ୍ସାସେବା ଓ ଜଳଯୋଗାଣ ତଥ୍ୟ ପାଇଁ ଜନସେବାରେ ସମର୍ପିତ ‘ଆମ ସାଥୀ ୟୁନିଫାଏଡ୍ ହ୍ୱାଟସ୍ଆପ୍ ଚାଟ୍ବଟ୍’ର ଲୋକାର୍ପଣ କରିଥିଲେ।

ଭୁବନେଶ୍ୱର ଓୟୁଏଟି କୃଷିଶିକ୍ଷା ସଦନ ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବାଜପେୟୀଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଥିଲେ ଯେ, ଅଟଳ ବିହାରୀ ବାଜପେୟୀ ଥିଲେ ଜଣେ ପ୍ରବୀଣ ରାଜନୀତିଜ୍ଞ, କବି, ଲେଖକ ଏବଂ ଭାରତୀୟତାର ଦାର୍ଶନିକ। ରାଜନୈତିକ ନୀତି ଓ ଆଦର୍ଶର ସେ ଥିଲେ ଶ୍ରେଷ୍ଠ ବ୍ରାଣ୍ଡ ଆମ୍ବାସଡର। ରାଜନୀତିକୁ କେବେ ହେଲେ ସେ ଏକ ପେସା ଭାବେ ଗ୍ରହଣ କରିନଥିଲେ। ଜନସେବା ଏବଂ ରାଷ୍ଟ୍ରସେବାକୁ ନିଜର ଧର୍ମ ଭାବେ ଗ୍ରହଣ କରି ସାମାଜିକ ଜୀବନରେ ସେ ନିଜକୁ ଉତ୍ସର୍ଗୀକୃତ କରିଥିଲେ।
ଶାସକ ପକ୍ଷ ହେଉ ଅଥବା ବିରୋଧୀ ପକ୍ଷ ରାଷ୍ଟ୍ରହିତକୁ ସେ ସବୁବେଳେ ଗୁରୁତ୍ୱ ଦେଉଥିଲେ। ଦେଶର ବିକାଶରେ ତାଙ୍କର ଅତୁଳନୀୟ ଅବଦାନ ରହିଛି। ସ୍ୱର୍ଣ୍ଣଚତୁର୍ଭୂଜ, ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା, ସର୍ବଶିକ୍ଷା ଅଭିଯାନ ଭଳି ଅନେକ ଯୁଗାନ୍ତକାରୀ ପଦକ୍ଷେପ ସ୍ୱର୍ଗତ ବାଜପେୟୀଙ୍କ ପରିକଳ୍ପିତ। ବାଜପେୟୀଜୀଙ୍କ ଏହି ସବୁ ଉତ୍ତମ ପ୍ରଶାସନିକ ବ୍ୟବସ୍ଥା ଯୋଗୁ ତାଙ୍କ ପ୍ରତି ସମ୍ମାନ ଜଣାଇ ତାଙ୍କ ଜୟନ୍ତୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁଶାସନ ଦିବସ ଭାବେ ଉତ୍ସର୍ଗ କରିଛନ୍ତି। ଓଡିଶା ପ୍ରତି ସ୍ୱର୍ଗତ ବାଜପେୟୀଙ୍କ ପ୍ରମୁଖ ଅବଦାନ ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଅଟଳଜୀଙ୍କ ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ୱରରେ ଏମ୍ସ ଖୋଲାଯାଇଥିଲା । ଓଡିଶାରେ ପ୍ରତିଷ୍ଠା ପାଇଥିବା ଇଷ୍ଟକୋଷ୍ଟ ରେଲୱେ, ପାରାଦୀପ ତୈଳ ବିଶୋଧନାଗାର, ପାରାଦୀପ-ହରିଦାସପୁର ରେଳପଥ ପରି ମେଗା ପ୍ରକଳ୍ପ ମାନଙ୍କରେ ଅଟଳଜୀଙ୍କ ସ୍ୱାକ୍ଷର ରହିଛି।

ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଉପଲକ୍ଷେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ଏକ ଫଟୋଚିତ୍ର ପ୍ରଦର୍ଶନୀ ମୁଖମନ୍ତ୍ରୀ ଉଦ୍ଘାଟନ କରି ବୁଲି ଦେଖିଥିଲେ। ବିଭାଗ ପକ୍ଷରୁ ଅନୁଷ୍ଠିତ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗୀତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମ ପୂର୍ବରୁ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଏମ୍ସ ପରିସରରେ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ।