
ଭୁବନେଶ୍ୱର, ୧୫/୧୨: ରାଜ୍ୟର ଏକାଧିକ ଓଡ଼ିଆ ସମ୍ବାଦପତ୍ରର ସମ୍ପାଦକ ଭାବେ କାର୍ଯ୍ୟ କରିଥିବା ବର୍ଷିୟାନ ସାମ୍ବାଦିକ ଦୁଲାଲ ମିଶ୍ରଙ୍କର ଶନିବାର ଅପରାହ୍ନ ୩.୩୦ରେ କ୍ୟାପିଟାଲ ହସ୍ପିଟାଲରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା। ଗତ ବର୍ଷକ ତଳେ ସ୍ୱର୍ଗତ ମିଶ୍ରଙ୍କ ପତ୍ନୀ ଶୁଭ୍ରା ମିଶ୍ରଙ୍କ ପରଲୋକ ଘଟିଥିଲା। ସ୍ୱର୍ଗତ ମିଶ୍ର କେନ୍ଦ୍ରାପଡ଼ାସ୍ଥିତ ନିଜ ବାସଭବନ ଇଚ୍ଛାପୁରରେ ଅବସ୍ଥାନ କରୁଥିଲେ। ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲେ। ପୂର୍ବରୁ ହାଇଟେକ୍ ହସ୍ପିଟାଲରେ ସେ ଦୀର୍ଘ ଦେଢମାସ ଧରି ଚିକିତ୍ସିତ ହେବା ପରେ ଗତ ତିନିଦିନ ତଳେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଦୁଇପୁତ୍ର ଦେବାଶିଷ ଓ ଶୁଭାଶିଷ ଏବଂ ପୁତ୍ରବଧୂ ଉପସ୍ଥିତ ଥିଲେ। ସ୍ୱର୍ଗତ ମିଶ୍ର ଦୀର୍ଘବର୍ଷ ଧରି କଟକ ଓ ଭୁବନେଶ୍ୱରରେ ଅବସ୍ଥାନ କରି ବିଭିନ୍ନ ଓଡ଼ିଆ ସମ୍ବାଦପତ୍ର ସହ ଜଡ଼ିତ ଥିଲେ। ଦୈନିକ ସମ୍ବାଦପତ୍ର ‘ମାତୃଭୂମି’ର କଟକ ପ୍ରତିନିଧି ଭାବେ ନିଜର ଦକ୍ଷତା ପ୍ରଦର୍ଶନ କରିବା ବେଳେ ୧୯୭୧ ମସିହା ଭାରତ-ବାଲାଂଦେଶ ଯୁଦ୍ଧର ପ୍ରତ୍ୟକ୍ଷ ବିବରଣୀର ଖବର ରଣଭୂମିରୁ ସମ୍ବାଦପତ୍ରକୁ ଦେଉଥିଲେ। ପରବର୍ତ୍ତୀ ସମୟରେ ଭୁବନେଶ୍ୱରରୁ ପ୍ରକାଶିତ ଦୈନିକ ସମ୍ବାଦପତ୍ର ‘ଦିନଲିପି’ ଏବଂ ବାଲେଶ୍ୱରରୁ ପ୍ରକାଶିତ ଦୈନିକ ସମ୍ବାଦପତ୍ର ‘ଆଜିକାଲି’ର ସମ୍ପାଦକ ଓ ମୁଖ୍ୟ ସମ୍ପାଦକ ଭାବେ ଦୀର୍ଘଦିନ ଧରି ଦାୟିତ୍ୱ ସମ୍ପାଦନ କରିଥିଲେ। ସେ ଜଣେ ମେଳାପି, ସଚ୍ଚୋଟ, ନିରପେକ୍ଷ ଓ ନିର୍ଭୀକ ସାମ୍ବାଦିକ ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେ।