ବିବାହିତା ମହିଳାଙ୍କ ସହମତିରେ ଘରକୁ ଯାଇ
ଶାରୀରିକ ସମ୍ପର୍କ ରଖିବା ଅପରାଧିକ ଅନୁପ୍ରବେଶ ନୁହେଁ
ଭୁବନେଶ୍ୱର:୨୭/୨- ଓଡ଼ିଶା ହାଇକୋର୍ଟ ସହମତିରେ ଶାରୀରିକ ସମ୍ପର୍କ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଅଦାଲତ ରାୟରେ ଉଲ୍ଲେଖ କରିଛନ୍ତି ବିବାହିତା ମହିଳାଙ୍କ ସହମତିରେ ତାଙ୍କ ଘରକୁ ଯିବା ‘ଅପରାଧିକ ଅନୁପ୍ରବେଶ’ ନୁହେଁ। ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରି ଜଣେ ବ୍ୟକ୍ତିଙ୍କୁ ଗୃହ-ଅନୁପ୍ରବେଶ ମାମଲାରୁ ଦୋଷମୁକ୍ତ କରିଛନ୍ତି ଓଡ଼ିଶା ହାଇକୋର୍ଟ। କୋର୍ଟ କହିଛନ୍ତି ଯେ, ଯଦି ଜଣେ ବିବାହିତା ମହିଳାଙ୍କ ସହମତିରେ ଜଣେ ବ୍ୟକ୍ତି ତାଙ୍କ ଘରକୁ ଯାଆନ୍ତି ଏବଂ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହେ ତେବେ ତାକୁ ଅପରାଧିକ ଅନୁପ୍ରବେଶ କୁହାଯାଇପାରିବ ନାହିଁ।
୨୦୨୧ ମସିହାର ଏକ ମାମଲାରେ ଅଭିଯୁକ୍ତ ଅଜିତ କିଷାନଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ହୋଇଥିଲା। ସ୍ୱାମୀଙ୍କ ଅନୁପସ୍ଥିତିରେ ଜଣେ ମହିଳାଙ୍କ ଘରେ ପଶି ଦୁଷ୍କର୍ମ କରିଥିବା ଅଭିଯୋଗ କରାଯାଇଥିଲା। ଟ୍ରାଏଲ କୋର୍ଟରେ ତଦନ୍ତ ପରେ ଦୁଷ୍କର୍ମ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରାଯାଇଥିଲା। କାରଣ ସମ୍ପର୍କଟି ଉଭୟଙ୍କ ସହମତିରେ ଥିଲା। କିନ୍ତୁ କେବଳ ସ୍ୱାମୀଙ୍କ ଅନୁପସ୍ଥିତିରେ ମହିଳାଙ୍କ ଘରକୁ ଯାଇଥିବାରୁ ଟ୍ରାଏଲ କୋର୍ଟ ତାଙ୍କୁ ଧାରା ୪୫୦ ଅନୁଯାୟୀ ୫ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଥିଲେ। ଏହି ଦଣ୍ଡାଦେଶ ବିରୋଧରେ ହାଇକୋର୍ଟରେ ହୋଇଥିବା ଆବେଦନର ଶୁଣାଣି କରି ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀ ୧୩ ଫେବୃଆରୀ ୨୦୨୬ରେ ଉପରୋକ୍ତ ନିଷ୍ପତ୍ତି ଶୁଣାଇଛନ୍ତି। ହାଇକୋର୍ଟ ଅଭିଯୁକ୍ତଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଛନ୍ତି ଏବଂ ତାଙ୍କୁ ତୁରନ୍ତ ଜେଲରୁ ଖଲାସ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ରାୟ ପରେ ବର୍ତ୍ତମାନ ସହମତିଭିତ୍ତିକ ସମ୍ପର୍କ ଏବଂ ବ୍ୟକ୍ତିଗତ ଗୋପନୀୟତାକୁ ନେଇ ସାରା ଦେଶରେ ଚର୍ଚ୍ଚା ଜୋର ଧରିଛି।