ଭୁବନେଶ୍ୱର, (୪/୧୨): ଆସନ୍ତା ୭ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ୩୯ତମ ଜାତୀୟ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ୍ ଅନୁଷ୍ଠିତ ହେବ। ପାଞ୍ଚ ଦିନ ଧରି ହେବାକୁ ଥିବା ଏହି ପ୍ରତିଯୋଗିତାରେ ପ୍ରାୟ ୨୦୦୦ କ୍ରୀଡ଼ାବିତ ଭାଗ ନେଉଥିବାର ସୂଚନା ମିଳିଛି।

ହରିୟାଣାରୁ ସର୍ବାଧିକ ୧୫୦ ଜଣ କ୍ରୀଡ଼ାବିତ ଏହି ପ୍ରତିଯୋଗିତାରେ ଭାଗନେବେ। ସେହିପରି ଓଡ଼ିଶାରୁ ସର୍ବମୋଟ ୭୮ ଜଣ କ୍ରୀଡ଼ାବିତ ପ୍ରତିଯୋଗିତାରେ ଭାଗ ନେବେ। ଓଡ଼ିଶାରୁ ଭାଗ ନେଉଥିବା କ୍ରୀଡ଼ାବିତ୍ ମାନଙ୍କ ମଧ୍ୟରୁ ୪୩ ଜଣ ପୁରୁଷ କ୍ରୀଡ଼ାବିତ ରହିଥିବା ବେଳେ ୩୫ ଜଣ ମହିଳା କ୍ରୀଡ଼ାବିତ ରହିଛନ୍ତି।
ପ୍ରକାଶଯୋଗ୍ୟ ଯେ, ଚଳିତ ବର୍ଷ ଓଡ଼ିଶାରେ ୨୭ତମ ନ୍ୟାସନାଲ ଫେଡେରେସନ ସିନିୟର ଆଥଲେଟିକ୍ସ, ୭୦ତମ ଓଡ଼ିଶା ରାଜ୍ୟ ସିନିୟର ଓ ଜୁନିୟର ଆଥଲେଟିକ୍ସ ଚମ୍ପିୟାନସିପ୍ ଏବଂ ୩୫ତମ ଇଷ୍ଟଜୋନ୍ ଜୁନିୟର ଆଥଲେଟିକ୍ସ ଚାମ୍ପିୟାନସିପ୍ ଆଦି କ୍ରୀଡ଼ା ପ୍ରତିଯୋଗିତା ମଧ୍ୟ ଆଗରୁ ଅନୁଷ୍ଠିତ ହୋଇସାରିଛି।