ଭୁବନେଶ୍ୱର:୧୦/୧୨-ଇଡକୋ ପ୍ରଦର୍ଶନୀ ପଡିଆରେ ୧୮ତମ ରାଜ୍ୟସ୍ତରୀୟ କଳିଙ୍ଗ ହର୍ବାଲ ମେଳା ୨୦୨୫ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ସମାରୋହରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଏହି କଳିଙ୍ଗ ହର୍ବାଲ ମେଳା କେବଳ ଏକ ମେଳା ନୁହେଁ ଏହା ଆମର ପରମ୍ପରା, ଆୟୁର୍ବେଦ ଐତିହ୍ୟ, ଜଙ୍ଗଲ ଓ ପ୍ରକୃତିର ଦାନକୁ ସମ୍ମାନ କରିବାର ଏକ ଅତ୍ୟନ୍ତ ଗର୍ବର ମଞ୍ଚ। ଏହା ଆମ ଓଡ଼ିଶା ମାଟିର, ଆମ ଜନତାଙ୍କ ଜ୍ଞାନ ଓ ସମ୍ପଦର ଏକ ଅପୂର୍ବ ପ୍ରଦର୍ଶନୀ।
ପ୍ରକୃତି ହେଉଛି ସବୁଠାରୁ ଶ୍ରେଷ୍ଠ ଚିକିତ୍ସାଳୟ। ଓଡ଼ିଶାର ଉଦ୍ଭିଦ ସମ୍ପଦ ଆମ ଦେଶରେ ଏକ ପ୍ରମୁଖ ସ୍ଥାନ ଅଧିକାର କରିଛି। ଆମ ଜଙ୍ଗଲରେ ଥିବା ଶତାଧିକ ଔଷଧୀୟ ବୃକ୍ଷ ଆଜି ଦେଶବ୍ୟାପୀ ପ୍ରସିଦ୍ଧ। ଏହି ସମ୍ପଦକୁ ସଂଗଠିତ କରିବା, ପ୍ରମାଣିତ ଆୟୁର୍ବେଦ ପ୍ରଣାଳୀକୁ ଗଢ଼ିତୋଳିବା ଏହି ମେଳାର ଏକ ବିଶେଷ ଲକ୍ଷ୍ୟ। ଆଜିର ଯୁଗରେ ଆମେ ମାନସିକ ଚାପ, ଦୂଷିତ ଆହାର, ପରିବେଶ ପ୍ରଦୂଷଣ ଆଦି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛୁ। ଏପରି ସମୟରେ ଆୟୁର୍ବେଦ ଆମର ଶାରୀରିକ ଓ ମାନସିକ ସମତାକୁ ପୁନଃସ୍ଥାପନ କରିବାରେ ସହାୟକ ହୋଇପାରିବ।

ଓଡ଼ିଶା ସରକାର ଔଷଧୀୟ ଉଦ୍ଭିଦର ଚାଷର ପ୍ରୋତ୍ସାହନ, ଗବେଷଣା, ପ୍ରଶିକ୍ଷଣ, ଏବଂ ଉତ୍ପାଦନର ବଜାରୀକରଣକୁ ନେଇ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଏକ ପେଡ ମା କେ ନାମ କାର୍ଯ୍ୟକ୍ରମ ଅଧିନରେ ଅନେକ ଔଷଧୀୟ ବୃକ୍ଷ ଲଗା ଯାଇଛି। ଓଡ଼ିଶାକୁ ଦେଶର ଅନ୍ୟତମ ଶୀର୍ଷ ଔଷଧୀୟ ଉଦ୍ଭିଦ ଉତ୍ପାଦର ବଜାର ହିସାବରେ ପରିଚିତ କରିବା ପାଇଁ କଳିଙ୍ଗ ହର୍ବସ ନାମରେ ବ୍ରାଣ୍ଡିଂ କରାଯାଇ ଏହାର ଗୁଣବତ୍ତା, ବିପଣନ ପାଇଁ ରାଜ୍ୟ ବାହାର ସଂସ୍ଥା ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଉଛି। ଗୁଣାତ୍ମକ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରିବା, ଗବେଷଣାକୁ ପ୍ରୋତ୍ସାହିତ କରିବା ଓ ସ୍ଥାନୀୟ ଚାଷୀମାନଙ୍କୁ ନ୍ୟାୟଯୁକ୍ତ ମୂଲ୍ୟ ପ୍ରଦାନ କରିବା କ୍ଷେତ୍ରରେ କାର୍ଯ୍ୟ କରିବ ବୋଲି ଆମେ ଆଶାବାଦୀ। କଳିଙ୍ଗ ହର୍ବାଲ ମେଳା ଏହି ଲକ୍ଷ୍ୟକୁ ଅଧିକ ଗତିଶୀଳ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ।
ବିଶିଷ୍ଟ ଅତିଥି ଭାବେ ମୁଖ୍ୟ ବନ ସଂରକ୍ଷକ ସୁରେଶ ପନ୍ଥ, ମୁଖ୍ୟ ବନ ସଂରକ୍ଷକ (ବନ୍ୟପ୍ରାଣୀ) ପ୍ରେମ କୁମାର ଝା ଏବଂ ଓଡିଶା ବନାଞ୍ଚଳ ଉନ୍ନୟନ ସମିତିର ପ୍ରକଳ୍ପ ନିର୍ଦେଶକ କେ. ମୁରୁଗେଶନ ସେମାନଙ୍କ ଅଭିଭାଷଣରେ ଔଷଧୀୟ ଉଦ୍ଭିଦର ସୁରକ୍ଷା ଏବଂ ପାରମ୍ପରିକ ଔଷଧ ବ୍ୟବସ୍ଥାକୁ ସାମଗ୍ରୀକ ଭାବରେ ଆଗକୁ ବଢ଼ାଇବାରେ ଏହି ଏହି ମେଳା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ଆଶା ପ୍ରକଟ କରିଥିଲେ। ପ୍ରାରମ୍ଭରେଔଷଧୀୟ ଉଦ୍ଭିଦ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ କାର୍ତ୍ତିକ ଭି ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପ ବନ ସଂରକ୍ଷକ ଦେବାପ୍ରିୟ କମ୍ପ ଧନ୍ୟବାଦ ଅର୍ପଣ କରିଥଲେ। ସମାରୋହରେ ବନ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ସରକାରୀ ଆୟୁର୍ବେଦିକ ଓ ହୋମିଓପାଥିକ ଡାକ୍ତର, ବୈଦ୍ୟ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀମାନେ ଯୋଗ ଦେଇଥିଲେ।
ଚଳିତ ବର୍ଷ ୧୩୦ରୁ ଅଧିକ ଷ୍ଟଲ ଏହି ମେଳାରେ ଅଂଶ ଗ୍ରହଣ କରିଛନ୍ତି। ନିଶୁଳ୍କ ଆୟୁର୍ବେଦ,ହୋମିଓପାଥିକ ଚିକିତ୍ସା, ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ କ୍ୱିଜ ସଚେତନତା ଅଭିଯାନ, ଔଷଧୀୟ ଉଦ୍ଭିଦ ସମ୍ବନ୍ଧୀୟ ବିଭିନ୍ନ କର୍ମଶାଳା, ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମୋଟ ସାତଦିନ ଧରି ଏହି ମେଳା ଲୋକମାନଙ୍କ ମଧ୍ୟରେ ଆୟୁର୍ବେଦର ପ୍ରଚାର ଓ ପ୍ରସାରରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।