କଳିଙ୍ଗ ବାଲିଯାତ୍ରା ୨୦୨୫ର ଉଦଘାଟନୀ ଉତ୍ସବ
ଭୁବନେଶ୍ୱର:୪/୧୧-ପାରାଦୀପ ଠାରେ ଆୟୋଜିତ କଳିଙ୍ଗ ବାଲିଯାତ୍ରାର ଉଦଘାଟନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, କଳିଙ୍ଗ ବାଲିଯାତ୍ରା ହେଉଛି ଓଡ଼ିଆ ସାଧବ ପୁଅଙ୍କ ସାହସର ପ୍ରତୀକ ଆଉ ସେଇଥିପାଇଁ ପାରାଦୀପ ଆଜି ପୂର୍ବ ଭାରତରେ ବିକାଶର ମୁଖଶାଳା ପାଲଟିଛି ଏବଂ ଓଡ଼ିଶାର ଅର୍ଥନୈତିକ ପ୍ରଗତିର ଦ୍ୱାରଦେଶ ହୋଇପାରିଛି।

ଓଡ଼ିଶାକୁ ପାରାଦୀପ ମାଧ୍ୟମରେ କିଭଳି ସମୃଦ୍ଧ କରାଯିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ପାରାଦୀପକୁ ଗ୍ରୀନ ହାଇଡ୍ରୋଜେନ ହବ ହେବ ବୋଲି ଘୋଷଣା କରିଥିଲେ। ଏହା ସହିତ ସେ କହିଥିଲେ ଯେ ପାରାଦୀପକୁ ପର୍ଯ୍ୟଟନର କେନ୍ଦ୍ରସ୍ଥଳୀ କରିବା ପାଇଁ ମଙ୍ଗଳା ନଦୀରେ କ୍ରୁଜ ଟର୍ମିନାଲ ନିର୍ମାଣ ହେବ ଏବଂ ରାଜ୍ୟ ସରକାର ଏଥିପାଇଁ ୫୦୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରିଛନ୍ତି। ପାରାଦୀପ ସହରରେ ଖୁବ ଶୀଘ୍ର ଏୟାର ପୋର୍ଟ ହେବ ଏବଂ ଏବେ ପାରାଦୀପ କେବଳ ଜଳପଥ ଓ ସ୍ଥଳ ପଥ ନୁହେଁ ବରଂ ଆକାଶପଥ ସହିତ ମଧ୍ୟ ସଂଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବାଲିଯାତ୍ରା ହେଉଛି ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଏକ ଗୌରବୋଜ୍ଜ୍ୱଳ ଉତ୍ସବ। ଏହା ଆମକୁ ମନେପକାଏ ଯେ ଆମ ପୂର୍ବଜମାନେ ସମୁଦ୍ରର ଉଚ୍ଚ ତରଙ୍ଗକୁ ଜୟ କରି, ଜାହାଜ ନେଇ ସୁବର୍ଣ୍ଣ ଦ୍ୱୀପ ଓ ବିଭିନ୍ନ ଦେଶ ସହିତ ବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲେ।
ପାରାଦୀପ ଆଜି ପୂର୍ବ ଭାରତରେ ବିକାଶର ମୁଖଶାଳା ପାଲଟିଛି ଏବଂ ଓଡ଼ିଶାର ଅର୍ଥନୈତିକ ପ୍ରଗତିର ଦ୍ୱାରଦେଶ। ଏଠାରୁ ଆରମ୍ଭ ହେଉଛି ଆମ ରାଜ୍ୟର ଉନ୍ନତି ଓ ବିକାଶର ନୂତନ ଅଧ୍ୟାୟ। ପାରାଦୀପ ବନ୍ଦର ଆଜି ଭାରତର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବନ୍ଦର, ଯାହା ଆଜି ଶିଳ୍ପ, ବାଣିଜ୍ୟ ଓ ରୋଜଗାରର ଏକ କେନ୍ଦ୍ରବିନ୍ଦୁ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ପାରାଦୀପ ଓଡିଶାର ବିକାଶର ଏକ ଅଭିନ୍ନ ଅଙ୍ଗ। ପାରାଦୀପରେ ଅନୁଷ୍ଠିତ କଳିଙ୍ଗ ବାଲିଯାତ୍ରା ବିକାଶ ଓ ବିରଶତର ଏକ ଉତ୍କୃଷ୍ଟ ଉଦାହରଣ। ପାରାଦୀପ ବାଲିଯାତ୍ରା ବ୍ୟବସାୟ ଓ ପରମ୍ପରାର ଅପୂର୍ବ ସମ୍ମିଶ୍ରଣ। ଆଜିଠାରୁ ହେଉଥିବା ଏହି ବାଲିଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରରୁ ଅନେକ ବ୍ୟବସାୟୀ ଏବଂ ବ୍ୟବସାୟିକ ଅନୁଷ୍ଠାନ ନିଜ ନିଜ ସାମଗ୍ରୀ ଏବଂ ସେବା ପ୍ରଦର୍ଶନ କରିବେ। ଏହା ଆମର ସ୍ଥାନୀୟ ଲୋକ ଏବଂ ବ୍ୟବସାୟୀଙ୍କ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିବ। ଆମ ଶିଳ୍ପୀମାନଙ୍କୁ ସଶକ୍ତ କରିବା, ତାଙ୍କର କୌଶଳକୁ ନୂଆ ବଜାର ଯୋଗାଇବା ଓଡ଼ିଶା ସରକାରର ପ୍ରାଥମିକତା।

ରାଜ୍ୟସରକାରଙ୍କ ବନ୍ଦର ଭିତ୍ତିକ ଉନ୍ନତି ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ପାରାଦୀପ ବନ୍ଦର ପୂର୍ବ ଭାରତର ଏକ ବଡ ବ୍ୟବସାୟିକ ବନ୍ଦର। ବନ୍ଦର ସହିତ ପାରାଦୀପର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମ ସରକାର ସମସ୍ତ ପ୍ରକାର କାର୍ଯ୍ୟ କରିବେ। ପାରାଦୀପକୁ କେବଳ ଶିଳ୍ପସମୃଦ୍ଧ ଅଞ୍ଚଳ ନୁହେଁ, ପାରାଦୀପରେ ଗ୍ରୀନଫିଲଡ୍ ବିମାନ ବନ୍ଦର ପ୍ରତିଷ୍ଠା, ଭୁବନେଶ୍ୱର-ଖୋର୍ଦ୍ଧା-ଜଟଣୀ-କଟକ-ପାରାଦୀପ ଓ ପୁରୀକୁ ନେଇ ଏକ ମହାନଗରୀ ବିକଶିତ କରିବା, ଶିଳ୍ପ କରିଡର ପ୍ରସ୍ତୁତ କରିବା, ପାରାଦୀପ ବେଳାଭୂମିକୁ ପର୍ଯ୍ୟଟନର ବିକାଶ ଉପଯୋଗୀ କରିବା ଇତ୍ୟାଦି ଅନେକ ଯୋଜନା ଆମର ରହିଛି। ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲା ବିଶେଷକରି ପାରାଦୀପ ଅଞ୍ଚଳର ବିକାଶ ଘଟିବ।
କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ କଳିଙ୍ଗ ବାଲିଯାତ୍ରାକୁ ଉଦଘାଟନ କରି ଏହି ଐତିହାସିକ ମେଳାର ଗୌରବକୁ ଅକ୍ଷୁର୍ଣ୍ଣ ରଖିଛନ୍ତି। ଓଡିଶାକୁ ସମୃଦ୍ଧ ଓଡ଼ିଶାରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତିବଦ୍ଧ ଏବଂ ଏହା ଆମ ସରକାର କ୍ଷମତାକୁ ଆସିବା ଦିନ ଠାରୁ ହିଁ କାମରେ କରି ଦେଖାଉଛନ୍ତି। ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, ତିର୍ତ୍ତୋଲ ବିଧାୟକ ରମାକାନ୍ତ ଭୋଇ, ପାରାଦୀପ ବନ୍ଦର କର୍ତ୍ତୃପକ୍ଷର ଅଧ୍ୟକ୍ଷ ପି. ଏଲ୍.ହରନାଧ ପ୍ରମୁଖ ମଂଚାସୀନ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଜେ. ସୋନାଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ଶ୍ରୀମତୀ ପ୍ରତିଚି ତନୟା ମହାନ୍ତି ମଞ୍ଚ ପରିଚାଳନା କରିଥିଲେ।