ଆରଡିସିସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ
ଭୁବନେଶ୍ୱର:5.ନଭେମ୍ବର 2024
କନ୍ଧମାଳ ଜିଲାରେ ଆମ୍ବଟାକୁଆ ଖାଇ ମୃତ୍ୟୁ ହେବା ଘଟଣାର ତଦନ୍ତ ରାଜସ୍ୱ ଡିଭିଜନ କମିଶନର(ଆରଡିସି) କରିବେ । ଏନେଇ ଖୁବଶୀଘ୍ର ବିଧିବଦ୍ଧ ବିଜ୍ଞପ୍ତି ଓ ଏସଓପି ଜାରି ହେବ l ଭବିଷ୍ୟତରେ ଯେଭଳି ଏପରି ଘଟଣାର ପୁନରାବୃତ୍ତି ନହେବ ସେଥିପାଇଁ ମଧ୍ୟ ଆରଡିସି ଆବଶ୍ୟକ ମତାମତ ଦେବେ l ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି l
ଜିଲାର ଦାରିଙ୍ଗିବାଡ଼ି ବ୍ଲକ ଅନ୍ତର୍ଗତ ଗଦାପୁର ପଞ୍ଚାୟତର ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆ ଖାଇ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଘଟଣାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି l ବିରୋଧୀ କଂଗ୍ରେସ ରାଜ୍ୟପାଳଙ୍କୁ ଭେଟିଥିବା ବେଳେ ପ୍ରଭାବିତ ଲୋକଙ୍କୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ଦାବି କରିଛି। ସେମାନେ ରାଜ୍ୟପାଳଙ୍କୁ ଭେଟି ଆଦିବାସୀ ଅଂଚଳରେ ପେସା ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବା ସହ କନ୍ଧମାଳ ଓ ଗଜପତି ଜିଲାର ବିକାଶ ପାଇଁ ସ୍ୱତନ୍ତ୍ର ବିକାଶ ପରିଷଦ ଗଠନ ନିମନ୍ତେ ପ୍ରସ୍ତାବ ଦେଇଛି l
ଆମ୍ବଟାକୁଆ ଖାଇବା ଘଟଣାରେ ମନ୍ତବ୍ୟ ଦେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମକୁ କହିଥିଲେ ଯେ ଆମ୍ବ ଟାକୁଆ ଖାଇ ମୃତ ଏବଂ ଗୁରୁତର ଅସୁସ୍ଥ ମହିଳାଙ୍କ ଘରେ ପର୍ଯ୍ୟାପ୍ତ ପରିମାଣର ଚାଉଳ ମହଜୁଦ ଥିଲା। ଚାଉଳ ଅଭାବରୁ କେହି ଆମ୍ବଟାକୁଆ ଖାଇନାହାନ୍ତି। ଏହା ସେମାନଙ୍କର ପାରମ୍ପରିକ ଖାଦ୍ୟ ହୋଇଥିବାରୁ ସେମାନେ ଖାଇଛନ୍ତି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଆମ୍ବଟାକୁଆକୁ ସେହି ଅଞ୍ଚଳ ବାସିନ୍ଦାଙ୍କ ପାରମ୍ପରିକ ଖାଦ୍ୟ ବୋଲି କହି ସରକାରଙ୍କ ଉପରୁ ଦୋଷ ଖସାଇବାକୁ ଉଦ୍ୟମ କରିଛନ୍ତି l ଉଭୟ ମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀଙ୍କ ବିବୃତି ବିବାଦ ସୃଷ୍ଟି କରିଥିଲା l
ମାଣ୍ଡିପଙ୍କା ଗାଁର ନିରୀହ ଆଦିବାସୀମାନେ ଚାଉଳ ଅଭାବରୁ ଆମ୍ବଟାକୁଆ ଖାଉଥିବା ସ୍ୱୀକାର କରିଛନ୍ତି l ସେମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଳୁଥିବା ତିନି ମାସର ଚାଉଳ ମିଳି ନ ଥିବା ସେମାନେ କହିଛନ୍ତି । କ୍ଷୁଧା ନିବାରଣ ପାଇଁ ସେମାନେ ଆମ୍ବଟାକୁଆ ଖାଇବାକୁ ବାଧ୍ୟ ହୋଇଥିବା ପ୍ରକାଶ କରିଛନ୍ତି l ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଏହାର ଆରଡିସିସ୍ତରୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି l