-ଜିଲାର ଇତିହାସ ଓ ଭୂଗୋଳକୁ ସଜାଡ଼ି ଉନ୍ନତିର ଚିନ୍ତା କରିବାକୁ ହେବ
-ଆକର୍ଷଣ ସାଜିଥିଲା ରସାବଳୀ, ପୋଟଳି ପିଠା ଷ୍ଟଲ
ଭୁବନେଶ୍ୱର:10/8-କୃଷି ପ୍ରଧାନ ଜିଲା ହେଉଛି କେନ୍ଦ୍ରାପଡ଼ା। ଏବେ ବି ଏହି ଜିଲାର ଅଧିକାଂଶ ଲୋକେ ପାରମ୍ପରିକ କୃଷି ଉପରେ ନିର୍ଭର କରନ୍ତି । ଆଧୁନିକ କୃଷି ଓ ପର୍ଯ୍ୟଟନ ହିଁ ଜିଲ୍ଲାକୁ ଆଗକୁ ବଢ଼ାଇବ। କେନ୍ଦ୍ରାପଡ଼ାର ବିଭବକୁ ପ୍ରଚାରର ଆବଶ୍ୟକତା ଅଛି। ଆମ ବିଭବକୁ ଆମେ ଏବେବି ଅନ୍ୟମାନଙ୍କ ପରି ପ୍ରଚାର କରି ପାରୁନାହୁଁ । ସଚେତନତା, ଆଧୁନିକତା ଓ ବିଭବର ଉଚିତ୍ ପ୍ରଚାର ଜିଲାକୁ ଶ୍ରେଷ୍ଠ କରିବ। ଏଠାରେ ଅନେକ ନୂତନ ସମ୍ଭାବନା ତିଆରି ହେବ। ଆଜି ଜୟଦେବ ଭବନରେ ଉଦ୍ଯାପିତ ହୋଇଥିବା ଦୁଇଦିନିଆ କେନ୍ଦ୍ରାପଡ଼ା ଉତ୍ସବରେ ଅତିଥିମାନେ ଏଭଳି ମତ ପ୍ରକାଶ କରିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ବିକାଶ ପରିଷଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଆଜି ୨ଟି ପର୍ଯ୍ୟାୟରେ ସ୍ଵ ତନ୍ତ୍ର ଆଲୋଚନା ହୋଇଥିଲା। ‘କେନ୍ଦ୍ରାପଡ଼ାରେ ପର୍ଯ୍ୟଟନର ସୁଯୋଗ ଓ ସମ୍ଭାବନା’ ଶୀର୍ଷକ ଆଲେଚନାରେ ସମ୍ମିନିତ ଅତିଥିଭାବେ ଯୋଗ ଦେଇ ରାଜନଗର ବିଧାୟକ ଧ୍ରୁବ ସାହୁ କହିଥିଲେ, ଆଧୁନିକ କୃଷି ଜିଲାରେ ସମ୍ଭବ ହେଲେ ଓ ଆମ ବିଭବକୁ ପ୍ରଚାର କରିଲେ ଜିଲାରେ ପର୍ଯ୍ୟଟନର ବଡ଼ ସମ୍ଭାବନା ପୂରଣ ହେବ। ଏହା ହୋଇ ପାରିଲେ ଆମ ଲୋକେ କେରଳ, ତାମିଲନାଡୁ ନ ଯାଇ ଆମ ଜିଲାରେ ରୋଜଗାର ପାଇବେ। କୋଷ୍ଟାଲ ହାଇୱେ ସ୍ୱପ୍ନ ସାକାର ହେଲେ ପର୍ଯ୍ୟଟନର ଆହୁରି ବିକାଶ ହେବ। ଶିଳ୍ପରେ ଏବେ ଆଧୂନିକ ବୁଦ୍ଧିମତା ବ୍ୟବହାର ହେବା ଆରମ୍ଭ ହୋଇଥିବାରୁ ଆମେ ଏଥିରେ ଅଧିକ ରୋଜଗାର ପାଇବୁ ନାହିଁ। ହେଲେ ପର୍ଯ୍ୟଟନ ଓ କୃଷିରେ ଏହା କୌଣସି ପ୍ରଭାବ ପକାଇବ ନାହିଁ। ଏହାହିଁ ଆମକୁ ରୋଜଗାର ଦେବ। ସେ ଆହୁରି କହିଥିଲେ, ଭିତରକନିକାର ଉନ୍ନତି ପାଇଁ ୩୬୮ କୋଟି ଟଙ୍କାର ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହୋଇଥିଲା । ୫୯ କୋଟି ମଞ୍ଜୁର ମଧ୍ୟ ହୋଇଥିଲା। ପୂର୍ତ୍ତ ବିଭାଗକୁ ଏହା ପ୍ରଦାନ ହୋଇଛି। ଏହାର କାମ ଏବେ ଆରମ୍ଭ ହେଲେ ଭିତରକନିକାର ଉନ୍ନତି ହେବ। ଜିଲାରେ ପରିବେଶ ପ୍ରତିବନ୍ଧକ ଥିବାରୁ ଭିତର କନିକା ଉନ୍ନତି କମିଟି ଗଠନ ହେଉ ବୋଲି ସେ ଦାବି କରିଥିଲେ।

ବରିଷ୍ଠ ସମ୍ବାଦିକ ଶ୍ରୀରାମ ଦାଶ କହିଥିଲେ, ଜିଲାର ଉନ୍ନତି ପାଇଁ ରାଜନୌତିକ ଇଚ୍ଛାଶକ୍ତି ନାହିଁ। ତେଣୁ ଜିଲାର ଉନ୍ନତି ହେଇନି। ସେହିପରି ବିକାଶ ବେଳେ ଜିଲାର ସ୍ଵତନ୍ତ୍ରତାକୁ ବଜାୟ ରଖିବାକୁ ହେବ। ବିକାଶ ନାଁରେ ବିନାଶକୁ ରୋକିବାକୁ ହେବ। ସେ ଆହୁରି କହିଥିଲେ ଯେ, କେନ୍ଦ୍ରାପଡ଼ାର ଇତିହାସକୁ ବିକୃତ କରାଯାଉଛି। ଏହାର ଭୂଗୋଳରୁ ଅନେକ ସ୍ଥାନକୁ ଅନ୍ୟ ଜିଲାରେ ଯୋଡ଼ା ଯାଇଛି। ତେଣୁ ଇତିହାସ ଓ ଭୂଗୋଳକୁ ସଜାଡ଼ିବା ପରେ କେନ୍ଦ୍ରାପଡ଼ାର ଉନ୍ନତି ଚିନ୍ତା କରିବାକୁ ସେ ମତ ଦେଇଥିଲେ। ଡ. ଅମ୍ବିକା ନନ୍ଦ, ଡ. ମନୋଜ ମିଶ୍ର ପ୍ରମୁଖ ଏହି ସ୍ବତନ୍ତ୍ର ଆଲୋଚନାରେ ଯୋଗଦେଇ କେନ୍ଦ୍ରାପଡ଼ାରେ ଥିବା ପ୍ରାକୃତିକ ଓ ଐତିହାସିକ ପୃଷ୍ଠ ଭୂମିକୁ ବହୁ ତଥ୍ୟ ମାଧ୍ୟମରେ ଅବତାରଣା କରିଥିଲେ। ଏହାକୁ ସମ୍ପାଦକ ଚୈଧୁରୀ ଅମିତାଭ ଦାସ ସଞ୍ଚଳାନ କରିଥିଲେ। ୨ୟ ଆଲୋଚନାର ଶୀର୍ଷକ ‘ କେନ୍ଦ୍ରାପଡ଼ାର କୃଷି କ୍ଷେତ୍ରରେ ବିକାଶ’ ରହିଥିବା ବେଳେ ଏଥିରେ ସମ୍ମାନିତ ଅତିଥିଭାବେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା ଯୋଗ ଦେଇଥିଲେ। ଆଲୋଚକ ଭାବେ ନଟବର ଖୁଣ୍ଟିଆ, ଶଶିକଳା ବେଉରା, ରବୀନ୍ଦ୍ର ପାଇକରାୟ, ପ୍ରଦୀପ କୁମାର ମହାନ୍ତି ଯୋଗଦେଇଥିଲେ। ଏହାକୁ ଅନୁଷ୍ଠାନର ଉପଦେଷ୍ଟା ସରୋଜ କୁମାର ମହାନ୍ତି ସଞ୍ଚାଳନ କରିଥିଲେ। ଏହି ଅବସରରେ ପ୍ରସିଦ୍ଧ ରସାବଳୀ ଓ ପୋଟଳୀ ପିଠାକୁ ନେଇ ଖୋଲାଯାଇଥିବା ଷ୍ଟଲ୍ ଉତ୍ସବର ଅନ୍ୟତମ ଆକର୍ଷଣ ସାଜିଥିଲା।