ଭୁବନେଶ୍ୱର :୧୮/୧୨-ଉଚ୍ଚଶିକ୍ଷା ବିଭାଗ ସହାୟତାରେ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ ଓ ଉତ୍କଳ ବିଶ୍ୱ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ଗୁରୁବାର ଉତ୍କଳ ବିଶ୍ୱ ବିଦ୍ୟାଳୟର ଦୀକ୍ଷାନ୍ତ ଭବନରେ “ଅମୃତ ପିଢ଼ି ଛାତ୍ର ବିଶ୍ୱ ସମ୍ମିଳନୀ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି ଛାତ୍ର ବିଶ୍ୱ ସମ୍ମିଳନୀର ଥିମ୍ ରହିଛି “କୃତ୍ରିମ ବୁଦ୍ଧିମତା ଓ ଏହାର ନୈତିକତା’।
ଏହି ସମ୍ମିଳନୀରେ ୫୦୦ରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଛନ୍ତି। ବିଭିନ୍ନ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସମେତ ଅଧ୍ୟାପକ, ଶିକ୍ଷାବିତ୍, ଗବେଷକ, ଷ୍ଟାର୍ଟଅପ୍ ଫାଉଣ୍ଡର, ବିଭିନ୍ନ କର୍ପୋରେଟ୍ କମ୍ପାନୀରେ କାମ କରୁଥିବା ଉଚ୍ଚପଦସ୍ଥ ଅଧିକାରୀ, ଦେଶ ବାହାରର ଆଇଟି ଏବଂ ଏଆଇ (କୃତ୍ରିମ ବୁଦ୍ଧିମତା) କମ୍ପାନୀରେ କାର୍ଯ୍ୟ କରୁଥିବା ବିଶିଷ୍ଟ ବ୍ୟକ୍ତିବିଶେଷ, ଆଇଆଇଟି ଏବଂ ଏମ୍ସରେ କାର୍ଯ୍ୟରତ ପ୍ରଫେସର ଏହି ସମ୍ମିଳନୀରେ ଅଂଶଗ୍ରହଣ କରିଛନ୍ତି।

ଆଜି ସମ୍ମିଳନୀର ଉଦ୍ଘାଟନୀ ସମାରୋହରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ କୃତ୍ରିମ ବୁଦ୍ଧିମତା ହେଉଛି ଭବିଷ୍ୟତ। କୃତ୍ରିମ ବୁଦ୍ଧିମତା ମନୁଷ୍ୟକୃତ। ମଣିଷ ହିଁ ଏହାକୁ ତିଆରି କରିଛି, ବ୍ୟବହାର କରୁଛି ଏବଂ ଆଗାମୀ ଭବିଷ୍ୟତରେ ଏହାର ବ୍ୟବହାର ଓ ଏହାକୁ କିପରି ସଦଉପଯୋଗ କରାଯାଇ ପାରିବ ତାହାକୁ ନେଇ ଏହି ଛାତ୍ର ବିଶ୍ୱ ସମ୍ମିଳନୀର ଆୟୋଜନ ହୋଇଛି।
“ଛାତ୍ରଛାତ୍ରୀମାନେ ହେଉଛନ୍ତି ଆମ ଦେଶର ଭବିଷ୍ୟତ। ବିକଶିତ ଭାରତ ଓ ବିକଶିତ ଓଡ଼ିଶା ନିର୍ମାଣର ଆଧାର। ୨୦୪୭ ମସିହାରେ ଆମେ ଦେଶ ସ୍ୱାଧୀନ ହେବାର ୧୦୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବା। ତେଣୁ ଏହି ଅମୃତ ପିଢ଼ିର ନେତୃତ୍ୱ ନେବା ସହିତ ଆମ ଛାତ୍ରଛାତ୍ରୀମାନେ ଆମ ସମୃଦ୍ଧ ଇତିହାସ ଓ ଐତିହ୍ୟରୁ ଅନୁପ୍ରାଣିତ ହୋଇ ଆଗାମୀ ଭବିଷ୍ୟତରେ କୃତ୍ରିମ ବୁଦ୍ଧିମତା ଓ ନୂତନ ପ୍ରଯୁକ୍ତିବିଦ୍ୟାକୁ ଉପଯୋଗ କରି ଉଦ୍ୟୋଗ ନିର୍ମାଣ, ଗବେଷଣା ଓ ନୂତନ ଉଦ୍ଭାବନ ଆଦି କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ ବୋଲି ସେ ବିଶ୍ୱାସ ପ୍ରକଟ କରିଥିଲେ।
ଉଦ୍ଘାଟନୀ ସମାରୋହରେ ବିଶିଷ୍ଟ ଅତିଥି ଭାବେ ରିପବ୍ଲିକ ଅଫ କୋରିଆର ଇଞ୍ଜେ ବିଶ୍ୱବିଦ୍ୟାଳୟର କଲେଜ ଅଫ୍ ଏଆଇ କନଭରଜେନ୍ସର ପ୍ରଫେସର ହି-ଚେଓଲ-କିମ୍ ଯୋଗଦେଇ କୃତ୍ରିମ ବୁଦ୍ଧିମତାର ବିଶେଷତା ଓ ଏହାର ଉପଯୋଗିତା ଉପରେ ସବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଯଜେ୍ଞଶ୍ୱର ଦଣ୍ଡପାଟ, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ଦୀପକ କୁମାର ସାହୁ, ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଡ଼. ସ୍ୱାତୀ ମିଶ୍ର, ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱ ବିଦ୍ୟାଳୟର ରେଜିଷ୍ଟାର ପ୍ରଦୀପ ଡାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।