ଭୁବନେଶ୍ୱର:୨୭/୫ –(ପ୍ରସାଦ କୁମାର ପ୍ରଧାନ)
ସାମ୍ବାଦିକମାନଙ୍କ ଆଗରେ ମନ୍ତ୍ରୀ ଓ ଅଧିକାରୀଙ୍କର ଲମ୍ବା ଭାଷଣ ଶୁଣି ଜଗନ୍ନାଥ ଜମିର ସମାଧାନ ଶୀଘ୍ର ହୋଇଯିବ ବୋଲି ଲୋକେ ଆଶା ବାନ୍ଧି ବସିଛନ୍ତି। ରୋକ୍ ଲଗା ଯାଇଥିବା ଜମିର କିଣାବିକା ପୁଣି ଆରମ୍ଭ ହେବ। ବହୁ ବର୍ଷର ଅପେକ୍ଷା ଓ କଷ୍ଟ ଅନ୍ତତଃ ଦୂର ହୋଇଯିବ। ମନ୍ତ୍ରୀ, ଅଧିକାରୀମାନେ ସାମ୍ବାଦିକ ମାନଙ୍କ ବୁମ୍ ଆଗରେ ତାଡି ପକେଇବା ଭଳି ଏମିତି ଟାଣ ପଣ ଦେଖାଇ ଲମ୍ବା ଭାଷଣ ମାରୁଛନ୍ତି ସତେ ଯେମିତି ଏଇ ମାସେ ଦୁଇମାସ ମଧ୍ୟରେ ସବୁ ଠିକ୍ ହୋଇଯିବ। ତେଣୁ ନିରାଶା ଠାରୁ ଆଶା ସୁଖପ୍ରଦ ଭଳି ଲୋକଙ୍କୁ ଅନୁଭବ ହେଉଛି। ହେଲେ ପଦ୍ମ କିନ୍ତୁ ଘୁଞ୍ଚି ଘୁଞ୍ଚି ଯାଉଛି। ଲୋକଙ୍କ ଦୁଃଖ ବି ବଢି ବଢି ଚାଲିଛି। ଦୁଃଖୀ ସିନା ଦୁଃଖୀର ଦୁଃଖ ବୁଝି ପାରିବ। ହେଲେ ମାସକୁ ଲକ୍ଷ ଲକ୍ଷ ଟଙ୍କା ଦରମା, ମୋଟା ଅଙ୍କର ଟିଏ, ଡିଏ ସାଙ୍ଗକୁ ଅନ୍ୟାନ୍ୟ ସରକାରୀ ସୁବିଧା ସୁଯୋଗ ପାଇ ଅୟସରେ ରହୁଥିବା ମନ୍ତ୍ରୀ, ଅଧିକାରୀମାନେ ମଳିମୁଣ୍ଡିଆ ସାଧାରଣ ଲୋକଙ୍କର ଅଭାବ ଯନ୍ତ୍ରଣାକୁ କେମିତି ଅବା ଅନୁଭବ କରିବେ ଯେ ସେମାନଙ୍କର ସମସ୍ୟାର ତୁରନ୍ତ ସମାଧାନ କରିବାକୁ ତତ୍ପର ହେବେ! ଏମିତି ପରିସ୍ଥିତିରେ ମନ୍ତ୍ରୀ ଓ ଅଧିକାରୀମାନଙ୍କର ଫମ୍ପା ବୟାନବାଜିର କିଛି ସତ୍ୟତା ଥିବା ଭଳି ଆଉ କେହି ବିଶ୍ୱାସକୁ ନନେଇ ଭାଗ୍ୟକୁ ଆଦରି ସମସ୍ତେ ମୁଣ୍ଡରେ ହାତ ଦେଇ ରହୁଛନ୍ତି।
କଥା ହେଉଛି ବର୍ତ୍ତମାନ ଯେଉଁ ଅଧିକାରୀ ଶ୍ରୀମନ୍ଦିରର ପ୍ରଶାସନିକ ଅଧିକାରୀ ଅଛନ୍ତି ବିଜେଡି ସରକାର ସମୟରେ ସେ ଏହି ପଦବୀରେ ଥାଇ ଜଗନ୍ନାଥ ଜମିର ସମାଧାନ କରିବା ଆଳରେ କିଣାବିକା ଉପରେ ରୋକ୍ ଲଗାଇଥିଲେ ବି କୌଣସି ସମାଧାନ କରି ପାରିନଥିଲେ। ତାଙ୍କ ଯୋଗୁଁ ଆଜିଯାଏ ଓଡିଶାର ହଜାର ହଜାର ପରିବାର ହନ୍ତସନ୍ତ ହୋଇ ମରୁଛନ୍ତି। ବିଜେଡି ସରକାର ଦୀର୍ଘ ୨୪ ବର୍ଷ ଶାସନରେ ରହି ସୁଦ୍ଧା କୌଣସି ସମାଧାନ ହୋଇ ପାରିଲାନି। ଦୁଃଖର କଥା ବିଜେପି ସରକାରକୁ ଆସିବା ପରେ ବି ବିଫଳ ହୋଇଥିବା ସେହି ଅଧିକାରୀଙ୍କୁ ପୁଣି ଭରସା କରି ରାଜସ୍ୱ ବିଭାଗର ମୁଖ୍ୟ ସହିତ ଶ୍ରୀମନ୍ଦିର ପ୍ରଶାସନ ଦାୟିତ୍ୱ ଦେଇଛନ୍ତି। ଏବେ ସମାଧାନ ବିଷୟରେ ସମୀକ୍ଷା ଚାଲିଛି ଓ ଖୁବ୍ ଶୀଘ୍ର ସମାଧାନ ହୋଇଯିବ ବୋଲି ମନ୍ତ୍ରୀ ଓ ଅଧିକାରୀ ବାରମ୍ବାର କହି ଚାଲିଛନ୍ତି। ଏମିତି କହି କହି ଗୋଟିଏ ସରକାରରୁ ଆଉ ଗୋଟିଏ ସରକାର ବଦଳିଲା। ବିଶ୍ୱଭୂଷଣ ବାବୁ ଆଇନ ମନ୍ତ୍ରୀ ଅମଳ ଯାଇ ତାଙ୍କ ପୁତ୍ର ପୃଥ୍ୱୀରାଜ ବାବୁଙ୍କ ଅମଳ ଚାଲିଲାଣି। ଅଧିକାରୀଙ୍କ ଚାକିରି କାଳ ଅଧାରୁ ଶେଷ ଆଡକୁ ପହଞ୍ଚିଲାଣି।କିନ୍ତୁ ସମାଧାନ ସେହି ସମୀକ୍ଷାରେ ରହିଯାଇଛି!ଅଧିକାରୀଙ୍କୁ ସମାଧାନର ଉପାୟ ମିଳିବା ଦୂରର କଥା ସମୀକ୍ଷା ବୈଠକ ସରୁନି କି ସରିବନି ମଧ୍ୟ! ଅଧିକାରୀ ଖାଲି ଜମି ଆଇନ ଓ ଜମିପଟ୍ଟା ବଦଳାଇବା ସାର ହେଉଛି। ଯାହା ଅନୁଭବ ହେଉଛି ଏମିତି ଏହି ଅଧିକାରୀଙ୍କ କାର୍ଯ୍ୟକାଳ ବି ସରିଯିବ ପଛେ ସମୀକ୍ଷା ସରିବନି କିମ୍ବା ସମାଧାନ ହୋଇ ପାରିବନି। ଲୋକଙ୍କୁ ଏହି ଅଭାବନୀୟ ଦୁଃଖ ବେଳେ ଖାଲି ମିଛ ଆଶ୍ୱାସନା ଦେବା ସାର ହେବ। ତେଣୁ ମନରେ ସନ୍ଦେହ ଉପୁଜୁଛି ଯେ ଲୋକଙ୍କ ସରକାରର ଲୋକଙ୍କ ଲାଗି କିଛି କରିବାକୁ ଆନ୍ତରିକତା ଓ ନିଜସ୍ୱ ବିଚାର ଶକ୍ତି ଅଛି ନା ଖାଲି ଅଧିକାରୀଙ୍କୁ ନିର୍ଭର କରି ତାଙ୍କ ବିଚାରରେ ପରିଚାଳିତ ହେଉଛନ୍ତି !
ଯାହା ଅନୁଭବ ହେଉଛି ସରକାରଙ୍କ ପାଖରେ ଭଲେଇ ହେବାକୁ ଯାଇ ଅଧିକାରୀ ଯେଉଁ ନୀତିରେ ଚାଲୁଛନ୍ତି ତାହା ଯେମିତି ସାତ ମହଣ ଘିଅ ହେବ ରାଧା ପାହାରେ ନାଚିବ ସଦୃଶ! ଯଦି ଏହି ନୀତିକୁ ସରକାର ମାନି ବାଟ ଚାଲନ୍ତି ତେବେ ଏହା ନିଶ୍ଚିତ ଭାବରେ କୁହା ଯାଇପାରେ ଯେ ଜଗନ୍ନାଥ ଜମି ଗୁଡିକର ସମାଧାନ ଆଦୌ ସମ୍ଭବ ହେବନାହିଁ। ଯଥା ପୂର୍ବଂ ତଥା ପର ହୋଇ ରହିବ। ଏକାଥରରେ ଚାଷଜମି, ଗୃହଜମି ସହରୀଜମି, ବ୍ୟବସାୟୀକ ଜମି, କମ୍ପାନୀ ଅଧିକୃତ ଜମି, ପଥର ଖଣି ଜମି, ମାଇନ୍ସ ଇତ୍ୟାଦି ସମସ୍ତ କିସମର ଜମିର ସମାଧାନ କରି କୋଟି କୋଟି ଟଙ୍କା ଆୟ କରିବାର ଯେଉଁ ସ୍ୱପ୍ନ ସରକାରଙ୍କୁ ଦେଖାଇ ଦିଆଯାଉଛି ତାହା ଦିବା ସ୍ୱପ୍ନ ହୋଇ ରହିଯିବ। ତେଣୁ ଏତେ ସ୍ୱପ୍ନ ନଦେଖି ସରକାର ଗୋଟିଏ ଗୋଟିଏ ଦିଗକୁ ଧ୍ୟାନ ଦେଇ ସମାଧାନ କରି ବୋଝ ହାଲକା କରିବା ସହିତ ଲୋକଙ୍କର ଦୀର୍ଘ ବର୍ଷର କଷ୍ଟ ଦୂର କରିବା ଉଚିତ୍ ମନେହୁଏ।

ଜଗନ୍ନାଥଙ୍କ ଜମିର ସମାଧାନ ପରିପ୍ରେକ୍ଷୀରେ ଅଧିକାରୀ ଉକ୍ତ ଜମିର କିଣାବିକା ବାତିଲ କରିବାର ତାତ୍ପର୍ଯ୍ୟ କ’ଣ ରହିଛି ତାହା ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି! ସମାଧାନ ଆଳରେ ଦୀର୍ଘ ବର୍ଷ ଧରି ଯେଉଁ ହଜାର ହଜାର ପରିବାର କଲବଲ ହେଉଛନ୍ତି ସେଥିପାଇଁ କିଏ ଦାୟୀ? ସେମାନଙ୍କର ଏହି ଦୀର୍ଘନିଶ୍ୱାସ ଓ ଆଖି ଲୁହର ଭରଣା କିଏ କରିବ! ସରକାର ବି ଏହାର କାରଣ ବିଷୟରେ ଅଧିକାରୀଙ୍କ ଠାରୁ କିଛି ନବୁଝି ତାଙ୍କ ପରାମର୍ଶକୁ ଅନ୍ଧ ଭାବରେ ଗ୍ରହଣ କରି ନେଇଛନ୍ତି ! ଯେଉଁମାନେ ଜଗନ୍ନାଥ ଜମିର ସ୍ଥିତିବାନ ପ୍ରଜା ଅଛନ୍ତି ସେମାନେ ହକ୍ ଟଙ୍କା ଦେଇ ଜମିକୁ କ୍ରୟ କରିଛନ୍ତି। ଓଡିଶା ସରକାରଙ୍କ ସବ୍ ରେଜିଷ୍ଟାର ରେଭିନ୍ୟୁ ନେଇ କ୍ରୟ ବିକ୍ରୟ କରିଛନ୍ତି। ଓଡିଶା ସରକାରଙ୍କ ତହସିଲଦାର (ରେଭିନ୍ୟୁ ବିଭାଗ) ପଟ୍ଟା ପ୍ରଦାନ କରିଛନ୍ତି। ତେବେ କିଣାବିକାରେ ପ୍ରତିବନ୍ଧକ କାହିଁକି! ଏଥିରେ ନା ସରକାର ନା ପ୍ରଜା କେହି ବି ବେଆଇନ ଅବା ଭୁଲ୍ କରିନାହାନ୍ତି। ତେବେ କିଣାବିକା ବନ୍ଦ୍ କରି ହଜାର ହଜାର ପରିବାରଙ୍କ ଆଖିରୁ ଲୁହ ବୁହାଇ ଅଧିକାରୀ କି ଆନନ୍ଦ ପାଉଛନ୍ତି! ତେଣୁ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି କିଣାବିକା କରିବାକୁ ପୁନଃ ନିର୍ଦ୍ଦେଶ ଦିଆଯାଉ। ସେହି ଜମି ବାବଦରେ ଜଗନ୍ନାଥ ଅର୍ଥ ପାଇବାର ବ୍ୟବସ୍ଥା ହେଲା ପରେ କିଣାବିକା ପରେ ଜଙଜ ରେ ଯାହାଙ୍କ ନାମ ଥିବ ତାଙ୍କଠାରୁ ସେହି ଅର୍ଥ ଆଦାୟ କରାଯିବ। ଅଧିକାରୀଙ୍କ ହାତରେ କ୍ଷମତା ଅଛିବୋଲି ମଧ ଇଚ୍ଛାରେ କେତେକ ପ୍ରଜାଙ୍କ ନାମକୁ ପଟ୍ଟାରୁ ଉଡାଇ ଦେବା, ଜଗନ୍ନାଥଙ୍କୁ ଓଡିଶା ସରକାରଙ୍କ ପ୍ରଜା ବୋଲି ଲେଖିବା କେତେଦୂରୁ ଆଇନ ସମ୍ମତ! ଜମିର ସମାଧାନ କରିବାରେ ବିଫଳ ହୋଇଥିବା ସତ୍ତ୍ୱେ ହାତରେ କ୍ଷମତା ଅଛି ବୋଲି ଦୀର୍ଘ ବର୍ଷ ଧରି କିଣାବିକାକୁ ଅଟକାଇ ରଖିବା ଏବଂ ଏହାକୁ ନେଇ ସରକାର ଚୁପ୍ ରହିବା ଲୋକଙ୍କ ସରକାର ପକ୍ଷରେ କେତେଦୂରୁ ଯଥାର୍ଥ ତାହା ବିଚାର୍ଯ୍ୟ।
ଯେଉଁଭଳି ଭାବରେ ଏହି ସମାଧାନର ଦିଗ ଗତି କରୁଛି ତାହା କେବେ ସମ୍ଭବ ହେବ ତାହା କେବଳ ସ୍ୱୟଂ ମହାପ୍ରଭୁ ଜଗନ୍ନାଥ ହିଁ ଜାଣନ୍ତି। ଯେ ପର୍ଯ୍ୟନ୍ତ ଏହି ଜମିର କିଣାବିକା ବନ୍ଦ ରହିଥିବ ସେ ପର୍ଯ୍ୟନ୍ତ ଅଭାବ ଭିତରେ ଅନେକ ରୋଗୀ ଚିକିତ୍ସା ହୋଇ ନପାରି ମରୁଥିବେ, ଅନେକ ଝିଅ ବିବାହ କରି ନପାରି ବାଡୁଅ ରହୁଥିବେ, ଅନେକ ଛାତ୍ରଛାତ୍ରୀ ପାଠ ପଢି ନପାରି ହତାଶ ହେଉଥିବେ ଓ ଅନେକ ପ୍ରଜା ହତାଶ ହୋଇ ଦୁଃଖରେ ଲୁହ ଢାଳୁଥିବେ। ଅନେକ ବି ଆତ୍ମହତ୍ୟା କରୁଥିବେ।ସେମାନଙ୍କ ଲୁହର ପ୍ରଭାବ ନିଶ୍ଚୟ ପଡିବ। ତେଣୁ ଅଧିକାରୀ ହୁଅନ୍ତୁ ଅବା ସରକାର ହୁଅନ୍ତୁ ସେଇ ନିରୀହ ପ୍ରଜାଙ୍କ ଲୁହ ସହିତ ପ୍ରତାରଣା ନକରି ତୁରନ୍ତ ଜମି କିଣାବିକା ଲାଗି ଅନୁମତି ପ୍ରଦାନ କରିବା ସହିତ ସମାଧାନର ରାସ୍ତା ବାହାର କରନ୍ତୁ।
ମୋ-୯୮୫୩୦୪୦୧୪୩
