-ଏଣିକି ସହଜ ହେବ ପଟ୍ଟା ସଂଶୋଧନ
-ସଂଶୋଧନ ପାଇଁ ତହସିଲଦାରଙ୍କୁ କ୍ଷମତା
-ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ରୁଲ୍ସର ସଂଶୋଧନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର:୧୨/୧୧-ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜମି କ୍ରେତା-ବିକ୍ରେତାଙ୍କ ସମସ୍ୟାକୁ ଦୂର କରିବା ପାଇଁ ଓଡ଼ିଶା ସର୍ଭେ ଆଣ୍ଡ ସେଟଲମେଣ୍ଟ ରୁଲ୍ସର ସଂଶୋଧନ ପାଇଁ ଅନୁମୋଦନ ଦେଇଛନ୍ତି। ବର୍ତ୍ତମାନ ପ୍ରାବଧାନ ଅନୁସାରେ ବନ୍ଦୋବସ୍ତ ପ୍ରକ୍ରିୟା ପୂର୍ବରୁ କିଣିଥିବା ଜମିର ଜମି ପଟ୍ଟା ବନ୍ଦୋବସ୍ତ ଅଧିକାରୀ କ୍ରେତାଙ୍କ ନାମରେ କରନ୍ତି । କିନ୍ତୁ ଯଦି କୌଣସି କାରଣ ଯୋଗୁଁ ବନ୍ଦୋବସ୍ତ ପ୍ରକ୍ରିୟାରେଏହି ଜମିପଟ୍ଟା କ୍ରେତାଙ୍କ ନାମରେ କରାଯାଇ ନଥାଏ ତେବେ କ୍ରେତା ଏଥିପାଇଁ ରାଜସ୍ୱ ପର୍ଷଦ ବା ଅନ୍ୟ କ୍ଷମତାପ୍ରାପ୍ତ ରିଭିଜନ କୋର୍ଟରେ ଅପିଲ୍ କରିଥାନ୍ତି। ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ, ଏହି ଅପିଲ ଗୁଡିକ ବର୍ଷ ବର୍ଷ ଧରି ଫଇସଲା ନହୋଇ ପଡି ରହିଥାଏ। କିନ୍ତୁ, ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ଉପରୋକ୍ତ ରୁଲ୍ ସଂଶୋଧନ ଦ୍ୱାରା ବର୍ତ୍ତମାନ ଏପରି ମାମଲାରେ ଜମିପଟ୍ଟା କ୍ରେତାଙ୍କ ନାମରେ ରେକର୍ଡ କରିବା ପାଇଁ ସଂପୃକ୍ତ ତହସିଲଦାର ମାନେ କ୍ଷମତାପ୍ରାପ୍ତ ହେବେ।
ଏହାଦ୍ୱାରା ସଂପୃକ୍ତ କ୍ରେତାମାନେ ବନ୍ଦୋବସ୍ତ ପ୍ରକ୍ରିୟା ପୂର୍ବରୁ ବୈଧ ଭାବେ କିଣିଥିବା ଜମିର ଜମିପଟ୍ଟା ନିଜ ନାମରେ କରିବା ପାଇଁ ସଂପୃକ୍ତ ତହସିଲଦାରଙ୍କ ପାଖରେ ଆବେଦନ କରିପାରିବେ। ସେମାନଙ୍କୁ ରାଜସ୍ୱ ପର୍ଷଦ ବା ଅନ୍ୟ କ୍ଷମତାପ୍ରାପ୍ତ ରିଭିଜନ କୋର୍ଟରେ ଅପିଲ ବା ଆବେଦନ କରିବା ଆଉ ଦରକାର ହେବ ନାହିଁ।