ଭୁବନେଶ୍ୱର: ୨୬/୭-ଆମ ଦେଶର ଗର୍ବ ବୀର ଯବାନ ଏବଂ ସେମାନଙ୍କ ପରିବାରବର୍ଗକୁ ଆବଶ୍ୟକସ୍ଥଳେ ଆଇନଗତ ଓ ସାମାଜିକ ସହଯୋଗ ପ୍ରଦାନ କ୍ଷେତ୍ରରେ ସ୍ଥାନୀୟ ରାଜ୍ୟ ସୈନିକ ବୋର୍ଡ ପରିସରରେ ଏକ ଆଇନ ସେବା କ୍ଲିନିକ ଉଦଘାଟିତ ହୋଇଛି। ଜାତୀୟ ଆଇନ ସେବା ପ୍ରାଧିକରଣଙ୍କ ପକ୍ଷରୁ ଏହାକୁ ଲୋକାର୍ପିତ କରାଯାଇଛି। ସୁପ୍ରିମକୋର୍ଟର ବିଚାରପତି ତଥା ଜାତୀୟ ଆଇନ ସେବା ପ୍ରାଧିକାରଣ କାର୍ଯ୍ୟକାରୀ ଅଧ୍ୟକ୍ଷ ନ୍ୟାୟମୂର୍ତ୍ତି ସୂର୍ଯ୍ୟକାନ୍ତ ଭଚ୍ୟୁଆଲ ମାଧ୍ୟମରେ ଏହାକୁ ଉଦଘାଟନ କରିଛନ୍ତି। ବୀର ଯବାନମାନଙ୍କ ପ୍ରତି ସମ୍ମାନର ସହ ଆବଶ୍ୟକୀୟ ତ୍ୱରିତ ଆଇନ ସେବା ପ୍ରଦାନ ସୁବିଧା ନିମନ୍ତେ ଏହି ଆଇନ ସେବା କ୍ଲିନିକ କାର୍ଯ୍ୟ କରିବ।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ଦୌରା ଜଜ୍ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ବିରଞ୍ଚି ନାରାୟଣ ମହାନ୍ତି, ଓଡ଼ିଶା ଆଇନ ସେବା ପ୍ରାଧିକରଣ ସଦସ୍ୟ ସଚିବ ଅରବିନ୍ଦ ପଟ୍ଟନାୟକ, ଅବସରପ୍ରାପ୍ତ ଜେନେରାଲ ଜେ. କେ. ମହାନ୍ତି, ଏୟାର ମାର୍ଶାଲ ଜେ. ଏନ୍. ବର୍ମା, ରାଜ୍ୟ ସୈନିକ ବୋର୍ଡ ସମ୍ପାଦକ ଘନଶ୍ୟାମ ଓଝା, ଓଡ଼ିଶା ଆଇନ ସେବା ପ୍ରାଧିକରଣ ଉପସଚିବ ଚିତ୍ତରଞ୍ଜନ ମିଶ୍ର, ଖୋର୍ଦ୍ଧା ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସଲୋମୀ ସାହୁ, ଓଡିଶା ଆଇନ ସେବା ପ୍ରାଧିକରଣ ଆସିଷ୍ଟାଣ୍ଟ ସେକ୍ରେଟାରୀ ବିବେକ ସାସମଲ ପ୍ରମୁଖ ଉପସ୍ଥିତ ଥିଲେ।