ଭୁବନେଶ୍ୱର:୧୮/୯- ଗତ ବିଧାନସଭା ଅଧିବେଶନ ଚାଲିଥିବାବେଳେ ନାରୀ ନିର୍ଯ୍ୟାତନା ବୃଦ୍ଧି ସଂପର୍କରେ କଂଗ୍ରେସ ବିଧାୟକମାନେ ଏକ ବିଧାନସଭା ତଦନ୍ତ କମିଟି ଗଠନ ଦାବି କରିବାକୁ ନେଇ ବିଧାନସଭାରୁ ନିଲମ୍ବିତ ହୋଇଥିଲେ। ଅଗଣତାନ୍ତ୍ରିକ ଊପାୟରେ ନିଲମ୍ବିତ ହୋଇଥିବା ବିଧାୟକମାନେ ୨୬.୩.୨୫ ତାରିଖ ୨ଟା ୩୦ ମିନିଟରେ ଗୃହ ମଧ୍ୟକୁ ପ୍ରବେଶ କରିବାବେଳେ ବିଧାନସଭାର ସୁରକ୍ଷା କର୍ମୀଙ୍କ ଆକ୍ରୋଶର ଶିକାର ହୋଇଥିଲେ। ସେହି ସମୟରେ କିଛି ଅସାମାଜିକ, ବିଧାୟକମାନଙ୍କ ଘଣ୍ଟା, ସୁନା ଚେନ ଓ ବ୍ୟାଗରେ ଥିବା କିଛି ଗୁରୁତ୍ୱପୂର୍ଣ କାଗଜପତ୍ର ସହ ପ୍ୟାଣ୍ଟ ସାର୍ଟ ମଧ୍ୟ ଚୋରି କରିନେଇଥିବା ଅଭିଯୋଗ ବାଚସ୍ପତିଙ୍କ ନିକଟରେ କରାଯାଇଥିଲା।

ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଗତ ବିଧାନସଭା ଅଧିବେଶନରେ ଚୋରି ହୋଇଥିବା ଜିନିଷ ପାଇବା ପାଇଁ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପୁନଶ୍ଚ ବିଧାନସଭା ସଚିବଙ୍କ ଜରିଆରେ ବାଚସ୍ପତିଙ୍କୁ ଆଜି ପତ୍ର ଲେଖିଛନ୍ତି। ଚିଠିରେ ସେ ଊଲ୍ଲେଖ କରିଛନ୍ତି ଯେ ଚୋରି ହୋଇଥିବା ଜିନିଷ ଏ ପର୍ଯ୍ୟନ୍ତ ମିଳି ପାରିନାହିଁ କିମ୍ବା ସେ ସଂପର୍କରେ ବିଧାନସଭା କାର୍ଯ୍ୟାଳୟ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ। ତେଣୁ ଚୋରି ହୋଇଥିବା ଜିନିଷ ପତ୍ର ତୁରନ୍ତ ଊଦ୍ଧାର ପାଇଁପଦକ୍ଷେପ ନେବାକୁ ସେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।