ଭୁୁବନେଶ୍ୱର: 4.11.2024 (ଆମ ପ୍ରତିନିଧି)
ଦାରିଙ୍ଗିବାଡ଼ି ମାଣ୍ଡିପଙ୍କା ଗାଁରେ ଆମ୍ବଟାକୁଆ ଜନିତ ମୃତ୍ୟୁକୁ ନେଇ ସରକାର ଓ ଜିଲା ପ୍ରଶାସନ ଦେଇଥିବା ତଥ୍ୟ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି l ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା ଏହି ଗାଁ କୁ ଯାଇ ଲୋକଙ୍କୁ ଭେଟିବା ପରେ ଅନେକ ତଥ୍ୟ ପଦାକୁ ଅସିଛି l ଆମ୍ବଟାକୁଆ ଖାଇ ଲୋକ ମରିବା ଘଟଣାରେ ମୁଖ୍ୟମନ୍ତ୍ରୀ, ଯୋଗାଣମନ୍ତ୍ରୀ ଏବଂ ଜିଲ୍ଲାପାଳଙ୍କୁ ସେ ଦାୟୀ କରି ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବାକୁ ସେ ଦାବି କରିଛନ୍ତି ।
ବିଜେଡି ମଧ୍ୟ ଏହି ଘଟଣାରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀଙ୍କ ଦାୟିତ୍ୱହୀନ ମନ୍ତବ୍ୟକୁ କଡ଼ା ସମାଲୋଚନା କରିଛି l ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ କୁହାଯାଇଛି ଯେ ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିଫଳ ହୋଇଥିବାରୁ ଏଭଳି ଅଭାବନୀୟ ସ୍ଥିତି ଉପୁଜିଛି ।
ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଗଣମାଧ୍ୟମକୁ କହିଥିଲେ ଆମ୍ବ ଟାକୁଆ ଖାଇ ମୃତ ଏବଂ ଗୁରୁତର ଅସୁସ୍ଥ ମହିଳାଙ୍କ ଘରେ ପର୍ଯ୍ୟାପ୍ତ ପରିମାଣର ଚାଉଳ ମହଜୁଦ ଥିଲା। ଚାଉଳ ଅଭାବରୁ କେହି ଆମ୍ବଟାକୁଆ ଖାଇନାହାନ୍ତି। ଏହା ସେମାନଙ୍କର ପାରମ୍ପରିକ ଖାଦ୍ୟ ହୋଇଥିବାରୁ ସେମାନେ ଖାଇଛନ୍ତି । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଆମ୍ବଟାକୁଆକୁ ସେହି ଅଞ୍ଚଳ ବାସିନ୍ଦାଙ୍କ ପାରମ୍ପରିକ ଖାଦ୍ୟ ବୋଲି କହି ସରକାରଙ୍କ ଉପରୁ ଦୋଷ ଖସାଇବାକୁ ଉଦ୍ୟମ କରିଛନ୍ତି l
ବିଭିନ୍ନ ଗଣମାଧ୍ୟମ ଆଗରେ ମାଣ୍ଡିପଙ୍କା ଗାଁର ନିରୀହ ଆଦିବାସୀମାନେ ଚାଉଳ ଅଭାବରୁ ଆମ୍ବଟାକୁଆ ଖାଉଥିବା ସ୍ୱୀକାର କରିଛନ୍ତି l ସେମାନଙ୍କୁ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ମିଳୁଥିବା ତିନି ମାସର ଚାଉଳ ମିଳି ନ ଥିବା ସେମାନେ କହିଛନ୍ତି । କ୍ଷୁଧା ନିବାରଣ ପାଇଁ ସେମାନେ ଆମ୍ବଟାକୁଆ ଖାଇବାକୁ ବାଧ୍ୟ ହୋଇଥିବା ପ୍ରକାଶ କରିଛନ୍ତି l
ଏହି ଖବର ପଦାକୁ ଆସିବା ପରେ ପ୍ରଶାସନ ପକ୍ଷରୁ ତରବରିଆ ଭାବେ ୩ ମାସର ଚାଉଳ ବଣ୍ଟନ କରାଯାଇଛି l ଏଥିରୁ ଯୋଗାଣମନ୍ତ୍ରୀ ଭୁଲ୍ ତଥ୍ୟ ଦେଇଥିବା ସ୍ପଷ୍ଟ ହୋଇଛି l
ବିଜେଡି ମୁଖପାତ୍ର ସଞ୍ଜୟ କୁମାର ଦାସବର୍ମା କହିଛନ୍ତି, ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର ନିୟମ ଅନୁଯାୟୀ ରାଜ୍ୟରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଉଳ ବଣ୍ଟନର ସୁଷମ ବ୍ୟବସ୍ଥା ରାଜ୍ୟ ସରକାରଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ । ଏହି ଯୋଜନା ଅନୁଯାୟୀ ତିନି ମାସର ରାସନ ବଣ୍ଟନ ପାଇଁ ସେପ୍ଟେମ୍ବର 27 ତାରିଖ ଦିନ ନିର୍ଦେଶନାମା ବାହାରିଥିଲା । ଯାହାର ୨୫ ଦିନ ଭିତରେ ବଣ୍ଟନ କାର୍ଯ୍ୟ ଶେଷ ହେବା କଥା । କିନ୍ତୁ ମାସେରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ମାଣ୍ଡିପଙ୍କା ଅଞ୍ଚଳରେ ଚାଉଳ ବଣ୍ଟା ଯାଇ ନ ଥିଲା । ଆମ୍ବ ଟାକୁଆ ଜନିତ ମୃତ୍ୟୁ ଘଟଣା ଘଟିବା ପରେ ତରବରିଆ ଭାବେ ନଭେମ୍ବର 2ତାରିଖରେ ଦିନ ଚାଉଳ ବଣ୍ଟନ କରାଯାଇଥିଲା ।ଜିଲାପାଳ ଏହା ସ୍ୱୀକାର କରିଥିବା ଶ୍ରୀ ଦାସବର୍ମା କହିଛନ୍ତି । ଯୋଗାଣ ମନ୍ତ୍ରୀ ମିଛ ଓ ଦାୟିତ୍ୱହୀନ ମନ୍ତବ୍ୟ ପାଇଁ ରାଜ୍ୟବାସୀଙ୍କ ନିକଟରେ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି ।
