
ଭୁବନେଶ୍ୱର:୧୫/୧୨-କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମଙ୍କୁ ହାଇକମାଣ୍ଡ ଦଳର ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛନ୍ତି। ହାଇକମାଣ୍ଡଙ୍କୁ ଚାଲେଞ୍ଜ କରି ସେ ବହିଷ୍କୃତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପିସିସି ସଭାପତିଙ୍କ ସ୍ୱାକ୍ଷରରେ ଜାରି ନୋଟିସରେ ଉଲ୍ଲେଖ କରାଯାଇଛି। ଦଳରୁ ବହିଷ୍କୃତ ହେବା ପରେ ମୋକିମ୍ ପ୍ରତିକ୍ରିୟା ରଖି କହିଛନ୍ତି ଯେ ‘ମୁଁ କିଛି ଭୁଲ୍ କରିନି। ମୁଁ ରାଜନୀତି କରୁଛି, ଏବେ ବି କରିବି। ବହିଷ୍କାର ନିଷ୍ପତ୍ତିକୁ ସେ ଗ୍ରହଣ କରିଛନ୍ତି। ସେ କହିଛନ୍ତି, ଆମେ ରାହୁଲଙ୍କୁ ଅନୁସୁରଣ କରୁଥିଲୁ। ରାହୁଳ କୁହନ୍ତି କଂଗ୍ରେସ କର୍ମୀ କାହାକୁ ଡରନ୍ତିନି। ତେଣୁ ମୁଁ କାହାକୁ ନ ଡରି ଚିଠି ଲେଖିଥିଲି। ମୁଁ ଯାହା କରିଛି ସେଥିରେ ମୋର ଅନୁଶୋଚନା ନାହିଁ। ଏବେ ନହେଲେ ନାହିଁ ପରବର୍ତ୍ତୀ ସମୟରେ କଂଗ୍ରେସ ପଦକ୍ଷେପ ନେବ ବୋଲି ସେ କହିଛନ୍ତି।

ଝିଅ ସୋଫିଆଙ୍କ ଭବିଷ୍ୟତ ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, ସୋଫିଆ କଂଗ୍ରେସ ଦଳର ବିଧାୟିକା ଅଛନ୍ତି। ତାଙ୍କର ଏହା ସହ କୌଣସି ସମ୍ପର୍କ ନାହିଁ। ସୋଫିଆ ତାଙ୍କ ନିଷ୍ପତ୍ତି ନେବେ। ଉଲ୍ଲେଖଯୋଗ୍ୟ ଯେ କିଛି ଦିନ ତଳେ ମହମ୍ମଦ ମୋକିମ ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖିଥିଲେ। ସେଥିରେ ସେ ଉଭୟ ରାଜ୍ୟ ଓ କେନ୍ଦ୍ର ନେତୃତ୍ୱ ବିରୋଧରେ ବିଷୋଦଗାର କରିଥିଲେ। ପିସିସି ନେତୃତ୍ୱ ନେବା ପାଇଁ ଭକ୍ତ ଚରଣ ଦାସ ଅଯୋଗ୍ୟ ବୋଲି ଜଣାଇଥିଲେ। ରାହୁଲ ଗାନ୍ଧୀ ଏବଂ ଏଆଇସିସି ସଭାପତି ମଲ୍ଲିକାର୍ଜୁନ୍ ଖଡ଼ଗେଙ୍କୁ ମଧ୍ୟ ସେ ସମାଲୋଚନା କରିଥିଲେ। ରାହୁଲଙ୍କ କାର୍ଯ୍ୟ ଉପରେ ସେ ପ୍ରଶ୍ନ ଉଠାଇଥିଲେ। ଏହି ଚିଠିଟିକୁ ମୋକିମ ଗଣମାଧ୍ୟମକୁ ଦେଇଥିଲେ ଏବଂ ଟେଲିଭିଜନ ଚାନେଲ ଗୁଡ଼ିକରେ ନିଜ ମତ ମନ୍ତବ୍ୟ ରଖିଥିଲେ।