ଭୁବନେଶ୍ୱର:୨/୬ ଆସନ୍ତା ୨୭ ତାରିଖରେ ପୁରୀର ବିଶ୍ଵପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି I ଏହି ରଥଯାତ୍ରାକୁ ଶୃଙ୍ଖଳିତ ଏବଂ ଏହାର ସୁପରିଚାଳନା ନିମନ୍ତେ ଆଜି ଅପରାହ୍ନରେ କଟକସ୍ଥିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟIଳୟଠାରେ ରାଜ୍ୟ ଆରକ୍ଷୀ ମହା ନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ଡିଜିପି ଶ୍ରୀ ଖୁରାନିଆ ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ସକ୍ରିୟ ତଥା ସଜାଗ ରହିବାକୁ ବରିଷ୍ଠ ପୋଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ I ଶ୍ରୀ ଜଗନ୍ନାଥ ମନ୍ଦିର ପରମ୍ପରା ଅନୁଯାୟୀ ଶ୍ରୀଜୀଉଙ୍କ ରୀତିନୀତି ବିଭିନ୍ନ ତାରିଖରେ ପାଳନ କରାଯିବ I ଶ୍ରୀଜୀଉଙ୍କ ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତି ମଧ୍ୟରେ ଜୁନ ୧୧ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା, ଜୁନ ୨୬ ତାରିଖରେ ନବଯୌବନ ଦର୍ଶନ, ଜୁନ ୨୭ ତାରିଖରେ ରଥଯାତ୍ରା,ଜୁଲାଇ ୦୧ ତାରିଖରେ ହେରା ପଞ୍ଚମୀ, ଜୁଲାଇ ୦୪ରେ ସନ୍ଧ୍ୟା ଦର୍ଶନ, ଜୁଲାଇ ୦୫ ରେ ବାହୁଡା ଯାତ୍ରା, ଜୁଲାଇ ୦୬ ତାରିଖରେ ସୁନାବେଶ, ଜୁଲାଇ ୦୭ ରେ ଅଧରପଣା ଓ ଜୁଲାଇ ୮ ତାରିଖରେ ନୀଳାଦ୍ରିବିଜେ ଅନୁଷ୍ଠିତ ହେବ I ଏହି ଉପଲକ୍ଷେ ଦେଶ ବିଦେଶରୁ ଲକ୍ଷାଧିକ ଭକ୍ତ ପୁରୀରେ ସମାଗମ ହେବେ।
ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ସୁରକ୍ଷା ବନ୍ଦୋବସ୍ତ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା I ରଥଯାତ୍ରା ନିମନ୍ତେ ସୁରକ୍ଷା ବ୍ୟବସ୍ଥାକୁ ବ୍ୟାପକ କରିବା ସହ ବରିଷ୍ଠ ପୋଲିସ ଅଧିକାରୀମାନେ ସ୍ଵତନ୍ତ୍ର କାର୍ଯ୍ୟ ପାଇଁ ନିୟୋଜିତ ହେବେ I ସହରର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ସିସିଟିଭି ସ୍ଥାପନ, ଟ୍ରାଫିକ ସୁପରିଚାଳନା ନିମନ୍ତେ ରୋଡ ଡିଭାଇଡର, ଡ଼ିଲିନେଟର ଓ ଟ୍ରାଫିକ ଜୋନ ବ୍ୟବସ୍ଥା, ସହରର ବିଭିନ୍ନ ସ୍ଥାନରେ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା, ଶୃଙ୍ଖଳିତ ଟ୍ରାଫିକ ବ୍ୟବସ୍ଥାର ପରିଚାଳନା ଆଦି ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ସେହିପରି ସମୁଦ୍ର କୂଳରେ ପୋଲିସ ପକ୍ଷରୁ ପାଟ୍ରୋଲିଂ କଡାକଡି ଓ ଅସ୍ଥାୟୀ ପୋଲିସ ଆଉଟପୋଷ୍ଟ ଖୋଲାଯିବା ସମ୍ପର୍କରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ଏହାବ୍ଯତୀତ ରେଳବାଇ ପୋଲିସ ପକ୍ଷରୁ ପୁରୀ, ଭୁବନେଶ୍ବର, ଖୋର୍ଦ୍ଧା, ଜଟଣୀ ଆଦି ରେଳ ଷ୍ଟେସନରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା। ଆରପିଏଫ ସହ ଉପଯୁକ୍ତ ସମନ୍ଵୟ ରଖି କାର୍ଯ୍ୟ କରିବାକୁ ଡିଜିପି ପରାମର୍ଶ ଦେଇଥିଲେ।
ଏହା ସହ ପୁରୀ ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ସମସ୍ତ ଥାନା ଅଞ୍ଚଳରେ ଅପରାଧୀଙ୍କ ବିରୋଧରେ ସ୍ଵତନ୍ତ୍ର ଡ୍ରାଇଭ, ହୋଟେଲ ଏବଂ ଲଜ ଗୁଡିକରେ ନିୟମିତ ଯାଞ୍ଚ, ରକ୍ଷକ ଯାନ ମୁତୟନ, K-9 ସ୍କ୍ବାର୍ଡ ମୁତୟନ, ଦଳା ଚକଟା ଭଳି ପରିସ୍ଥିତିକୁ ଏଡାଇବା ନିମନ୍ତେ ସଜାଗ ତଥା ସ୍ୱତନ୍ତ୍ର ବ୍ୟବସ୍ଥା, ଅତି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ପାଇଁ ସ୍ୱତନ୍ତ୍ର ହେଲିପ୍ୟାଡ଼, ପୋଲିସ ଫୋର୍ସଙ୍କ ରହଣି ନିମନ୍ତେ ସ୍ୱତନ୍ତ୍ର ସୁବିଧା, ଶୃଙ୍ଖଳିତ ରଥଟଣା, ବ୍ୟାରିକେଡ଼ ବ୍ୟବସ୍ଥା, ଜିଲ୍ଲା ପ୍ରଶାସନ ସହ ମିଶି ବିଭିନ୍ନ ଅସୁବିଧାର ଆଶୁ ସମାଧାନ ଏବଂ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ସ୍ୱତନ୍ତ୍ର ସୁବିଧା ଇତ୍ୟାଦି ସମ୍ପର୍କରେ ଡିଜିପି ବିସ୍ତୃତ ଭାବେ ଆଲୋଚନା କରିଥିଲେ । ବୈଠକରେ ଆପାତକାଳୀନ ପରିସ୍ଥିତିର ମୁକାବିଲା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।