ଭୁବନେଶ୍ୱର: ୧୭/୩-ଆଗାମୀ ଜୁନମାସରେ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାକୁ ଦୃଷ୍ଟିରେ ରଖି ଆବଶ୍ୟକ ପ୍ରସ୍ତୁତି ଏବଂ ଅଗ୍ରଗତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଆୟୋଜିତ ୩ୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରଥଯାତ୍ରା ପ୍ରସ୍ତୁତି ସଂପର୍କରେ ଗତ ଜାନୁଆରୀ ୧୩ ତାରିଖରେ ପ୍ରଥମ ବୈଠକ ଓ ଫେବୃଆରୀ ୧୭ ତାରିଖରେ ୨ୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକର ନିଷ୍ପତ୍ତି କେତେଦୂର କାର୍ଯ୍ୟକାରୀ ହୋଇଛି ସେ ସଂପର୍କେ ସମୀକ୍ଷା କରାଯାଇଥିଲା।

ଆଲୋଚନା ଅନଯାୟୀ ରଥଯାତ୍ରା ସମୟରେ ପୁରୀ ବଡ଼ଦାଣ୍ଡରେ ଉଭୟ ପଟରେ ପ୍ରମୁଖ ୮ ଟି ସ୍ଥାନରେ ଅସ୍ଥାୟୀ ଡ଼ାକ୍ତରୀ ଚିକିତ୍ସା ସୁବିଧା ସେବା କେନ୍ଦ୍ର ରହିବ। ସେଠାରେ ଜରୁରୀ ଆବଶ୍ୟକ ସେବା ପାଇଁ ସ୍ୱାସ୍ଥ୍ୟ ବିଶେଷଜ୍ଞ ରହିବେ। ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ପାଇଁ କେବଳ ଗୋଟିଏ ପାଖକୁ ଆମ୍ବୁଲାନ୍ସ ନିର୍ଦ୍ଦିଷ୍ଟ ପଟରେ ଥିବା ଚିକିତ୍ସା କେନ୍ଦ୍ରକୁ ଯାଇପାରିବ। ଏପଟ ସେପଟ ହୋଇ (କ୍ରିସ୍ କ୍ରସ୍ ) ଭଳି ଅନ୍ୟ ଦିଗକୁ ଗତି କରିବାକୁ ପଡିବ ନାହିଁ। ଫଳରେ ଜନଗହଳିରେ ଅସୁବିଧା ହେବନାହିଁ।। ଆମ୍ବୁଲାନ୍ସ ସେବା ମଧ୍ୟ ପୃଥକ୍ ଭାବେ ଜିଲ୍ଲା ମୁଖ୍ୟାଳୟ ଏବଂ ଆଇଡିଏଚ୍ ପୁରୀକୁ ବିଭିନ୍ନ ଦିଗରେ ହସ୍ପିଟାଲ ସୁବିଧା ପାଇଁ ଗତି କରିପାରିବେ।
ସହର ପରିମଳ ଓ ଶୌଚାଳୟ ବ୍ୟବସ୍ଥା ପ୍ରସ୍ତୁତି ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଅତ୍ୟଧିକ ବର୍ଷା ବେଳେ ଜଳ ନିଷ୍କାସନ ବ୍ୟବସ୍ଥା ପରିଚାଳନା ପାଇଁ କମିଟି ଗଠନ କରାଯାଇଛି। ପୁରୀ ସହର ଓ ସଂଲଗ୍ନ ରାସ୍ତାର ଉନ୍ନତିକରଣ, ଆବଶ୍ୟକ ବିଦ୍ୟୁତିକରଣ କାର୍ଯ୍ୟ, ରେଳବାଇ ତରଫରୁ ଯାତ୍ରୀ ପରିବହନ ସୁବିଧା ନେଇ ସ୍ୱତନ୍ତ୍ର ପଦକ୍ଷେପ, ଜନଗହଳି ନିୟନ୍ତ୍ରଣ, ଟ୍ରାଫିକ ପରିଚାଳନା, ରଥକାଠ ସୁବିଧା, ପାର୍କିଂ ଓ ଅତିରିକ୍ତ ପାର୍କିଂ ବ୍ୟବସ୍ଥା, ସମନ୍ୱିତ କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର ପରିଚାଳନା, ସିସିଟିଭି ବ୍ୟବସ୍ଥା ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା ।
ଶ୍ରୀଜୀଉଙ୍କ ନୀତିକାନ୍ତି, ଭିଡ ନିୟନ୍ତ୍ରଣ, ରଥଯାତ୍ରା ସଂପର୍କିତ ସୂଚନା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ୭୦ଟି ପ୍ରମୁଖ ସ୍ଥାନରେ ଏଲଇଡି ଟିଭି ବ୍ୟବସ୍ଥା କରାଯିବ। ରଥଯାତ୍ରା ପୂର୍ବରୁ ପୁରୀରେ ଚାଲିଥିବା ବିଭିନ୍ନ ପ୍ରକଳ୍ପ କର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନିର୍ମାଣଧିନ ରାସ୍ତା ସାରିବା ପାଇଁ କୁହାଯାଇଛି। ବୈଠକରେ ପୁରୀରେ ମୋବାଇଲ ନେଟୱାର୍କ ଉନ୍ନତିକରଣ, ଅଗ୍ନିଶମ ସେବା ଓ ଜରୁରୀ କାଳୀନ ସୁବିଧା, ଜରୁରୀ ଆବଶ୍ୟକ ସ୍ଥଳେ ସ୍ୱେଚ୍ଛାସେବୀ ମୁତୟନ ଓ ସେମାନଙ୍କୁ ପ୍ରଶିକ୍ଷଣ, ପୁଲିସ କର୍ମଚାରୀମାନଙ୍କ ପାଇଁ ଓ ଅନ୍ୟାନ୍ୟ ଆବଶ୍ୟକତା ପାଇଁ ଅସ୍ଥାୟୀ ଆଶ୍ରୟସ୍ଥଳ ପ୍ରସ୍ତୁତି, ସିସିଟିଭି ବ୍ୟବସ୍ଥା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଥ ନିର୍ମାଣ ପାଇଁ ରଥକାଠ ବ୍ୟବସ୍ଥା ଓ ଅନ୍ୟାନ୍ୟ ପ୍ରସ୍ତୁତି ସଂପର୍କରେ ସୂଚନା ଦେଇଥିଲେ। ଚଳିତ ବର୍ଷ ରଥଯାତ୍ରା ପାଇଁ ଆସନ୍ତା ମାର୍ଚ୍ଚ ୨୭ ରେ ଶ୍ରୀରାମ ନବମୀରେ ରଥକାଠ ଚିରଟ ପ୍ରକ୍ରିୟା ଆରମ୍ଭ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସ୍ତତି ସଂପର୍କରେ ସୂଚନା ଦେଇଥିଲେ।