ଭୁବନେଶ୍ୱର :1/8- ବିଶ୍ୱସ୍ତରୀୟ ଶ୍ରୀଜଗନ୍ନାଥ ସଂଗ୍ରହାଳୟ, ପାଠାଗାର ଓ ସଂସ୍କୃତି ଗବେଷଣା କେନ୍ଦ୍ର ପ୍ରତିଷ୍ଠା ଉପରେ ବିଚାର ବିମର୍ଶ କରିବା ପାଇଁ ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଏକ ସମନ୍ୱିତ ରୋଡମ୍ୟାପ୍ ପ୍ରସ୍ତୁତ କରିବା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଯାହା ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଉପସ୍ଥାପନ କରାଯିବ। ସହରାଞ୍ଚଳ ଭିତ୍ତିଭୂମି ବୃଦ୍ଧି ସହ ପୁରୀର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଐତିହ୍ୟକୁ ସଂରକ୍ଷିତ ରଖିବାର ଗୁରୁତ୍ୱ ଉପରେ ଶ୍ରୀମତୀ ପାଢ଼ୀ ଗୁରୁତ୍ୱାରୋପ କରିଥିଲେ। ପୁରୀର ପବିତ୍ରତାକୁ ସମ୍ମାନ ଦେବା ଏବଂ ବିକଶିତ ଓଡ଼ିଶାର ପରିକଳ୍ପନା ଅନୁଯାୟୀ ଏହାର ସମୃଦ୍ଧ ଐତିହ୍ୟକୁ ପ୍ରୋତ୍ସାହିତ କରିବା ଆମର ଲକ୍ଷ୍ୟ ବୋଲି ସେ କହିଛନ୍ତି।

ସାଂସ୍କୃତିକ ଗୌରବ, ଐତିହ୍ୟ ସଂରକ୍ଷଣ ଏବଂ ସହରାଞ୍ଚଳ ରୂପାନ୍ତରକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ରାଜ୍ୟ ସରକାରଙ୍କ ବ୍ୟାପକ ଏଜେଣ୍ଡା ସହିତ ମେଳ ଖାଉଛି। ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ କରିବା ପାଇଁ ଏବେ ଏକ ବିସ୍ତୃତ ପ୍ରକଳ୍ପ ଯୋଜନା ପ୍ରସ୍ତୁତ କରାଯିବ ବୋଲି ବୈଠକରେ ସ୍ଥିର ହୋଇଥିଲା I
ଖାରବେଳ ଭବନ ଠାରେ ଅନୁଷ୍ଠିତ ଏହି ବୈଠକରେ ପର୍ଯ୍ୟଟନ ସଚିବ ବଲୱନ୍ତ ସିଂହ, ଓଏଲଆଣ୍ଡସି ସଚିବ ବିଜୟ କେତନ ଉପାଧ୍ୟାୟ , ପୌର ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ , ଜିଲ୍ଲାପାଳ ପୁରୀ ଦିବ୍ୟଜ୍ୟୋତି ପରିଡା, ଏମଡି ଓବିସିସି ସମୀର ହୋତା, ପ୍ରଶାସକ (ଉନ୍ନୟନ) ଏସଜେଟିଏ ଦେବବ୍ରତ ସାହୁ, ସ୍ୱତନ୍ତ୍ର ସଚିବ ଓଏଲଏଲଆଣ୍ଡସି ଦେବପ୍ରସାଦ ଦାସ , ଅତିରିକ୍ତ ସଚିବ ଆଇନ ବିଭାଗ ଶିବ ପ୍ରସାଦ ମିଶ୍ର ଏବଂ ଯୁଗ୍ମ ସଚିବ ରାଜସ୍ୱ ବିଭାଗ ପ୍ରଦୀପ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ।