ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ସଂଖ୍ୟା ବୃଦ୍ଧି ଓ ପ୍ରଶିକ୍ଷଣ ପାଇଁ ପରାମର୍ଶ
ଭୁବନେଶ୍ୱର :୮/୫-ରାଜ୍ୟରେ ବେସାମରିକ ପ୍ରତିରକ୍ଷା ଅଭ୍ୟାସ ପାଇଁ ପ୍ରସ୍ତୁତି ସଂପର୍କରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ବିଭିନ୍ନ ଜିଲ୍ଲାରେ ସିଭିଲଡିଫେନ୍ସ ସ୍ୱେଚ୍ଛାସେବୀଙ୍କ ସ୍ଥିତି, ସେମାନଙ୍କର ସଂଖ୍ୟାବୃଦ୍ଧି ଓ ସାଂଗଠନିକ ସ୍ଥିତି ସୁଦୃଢ଼ କରିବା ସହିତ ସେମାନଙ୍କ ଦ୍ୱାରା ସେବା ପ୍ରଦାନ ସଂପର୍କିତ ପ୍ରଶିକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଥିଲା । ବିଭିନ୍ନ ଜନ ଗହଳିପୂର୍ଣ୍ଣ ଶିଳ୍ପାଞ୍ଚଳ ଓ ସହରରେ ଅଧିକ ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ମୁତୟନ କରାଯିବା ସଂପର୍କରେ ଆଲୋଚନା କରାଯାଇଥିଲା।

ଏହି ବୈଠକରେ ଗୃହବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୁଲିସ ମହାନିର୍ଦ୍ଦେଶକ, ଅଗ୍ନିଶମ ବିଭାଗ,ଓସଡମାର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀମାନେଉପସ୍ଥିତ ଥିଲେ।ବୈଠକରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକମାନେ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ଅନୁଗୁଳ, ସମ୍ବଲପୁର, ସୁନ୍ଦରଗଡ଼ ଆଦି ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସିଭିଲଡିଫେନ୍ସ ସ୍ୱେଚ୍ଛାସେବୀମାନଙ୍କର ସ୍ଥିତି ଓ ଆବଶ୍ୟକତା ସଂପର୍କରେଆଲୋଚନା କରାଯାଇ ବିଭିନ୍ନ ପରାମର୍ଶ ଦିଆଯାଇଛି।
ବେସାମରିକ ପ୍ରତିରକ୍ଷା ସ୍ୱେଚ୍ଛାସେବୀମାନେ ବିପର୍ଯ୍ୟୟ ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ପରିସ୍ଥିତି ସମୟରେ ଜନସାଧାରଣଙ୍କୁ ସାହାଯ୍ୟ କରି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ସେମାନେ ପ୍ରାଥମିକ ଚିକିତ୍ସା, ସନ୍ଧାନ ଏବଂ ଉଦ୍ଧାର, ଅଗ୍ନିଶମ ସେବାରେ ସହାୟତା , ସ୍ଥାନାନ୍ତର ଏବଂ ପୁନରୁଦ୍ଧାର କାର୍ଯ୍ୟରେ ସାହାଯ୍ୟ କରି କ୍ଷୟକ୍ଷତିକୁ ହ୍ରାସ କରିବା, ଜୀବନ ବଞ୍ଚାଇବା ଏବଂ ସଙ୍କଟ ସମୟରେ ସାମୂହିକ ସ୍ଥିରତା ବଜାୟ ରଖିବାରେ ପ୍ରମୁଖ ଯୋଗଦାନ କରିଥାନ୍ତି।
ସେହିପରି ବିପର୍ଯ୍ୟୟ ସମୟରେ ଆଗଧାଡ଼ିରେ ରହି ସାହାଯ୍ୟ କରିଆସିଥିବା ଆପଦମିତ୍ରମାନଙ୍କ ଭୂମିକାକୁ ପ୍ରଶଂସା କରାଯିବା ସହିତ ଆବଶ୍ୟକ ସମୟରେ ସେମାନଙ୍କ ସହାୟତା ନେବାକୁ ପରାମର୍ଶ ଦିଆଯାଇଛି । ସିଭିଲ୍ ଡିଫେନ୍ସ ସ୍ୱେଚ୍ଛାସେବୀଙ୍କ ସମେତ, ଜାତୀୟ ସେବା ସଂସ୍ଥା(ଏନଏସ୍ଏସ),ସମର ଶିକ୍ଷାର୍ଥୀ ବାହିନୀ, ନେହେରୁ ଯୁବକେନ୍ଦ୍ର, ସେଣ୍ଟ ଜୋନ ଆମ୍ବୁଲାନ୍ସ ଭଳି ସଂସ୍ଥା ସହ ବୈଠକ କରି ଆମର ବିପର୍ଯ୍ୟୟ ମୁକାବିଲା ପ୍ରସ୍ତୁତି ସମନ୍ୱୟକୁ ଅଧିକ ସୁଦୃଢ କରିବାକୁ ବୈଠକରେ ଆଲୋଚନା କରାଯାଇଥିଲା।
ସେହିପରି ବିଭିନ୍ନ ଜିଲ୍ଲାର ପ୍ରମୁଖ ଶିଳ୍ପାଞ୍ଚଳ ଓ ଜନସଂଖ୍ୟା ବହୁଳ ସ୍ଥାନରେ ଜନସାଧାରଣଙ୍କୁ ସତର୍କ ମୂଳକ ସୂଚନା ଦେବାକୁ ସାଇରନ୍ ବ୍ୟବସ୍ଥାରଖିବାକୁ ବ୍ୟବସ୍ଥା ପାଇଁ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଛି।