ପ୍ରକଳ୍ପ ଦ୍ୱାରା ବଦଳିବ ପାରାଦୀପର ଚେହେରା
ଭୁବନେଶ୍ୱର:୨୭/୫ ଓଡ଼ିଶାର ଶିଳ୍ପ ଇତିହାସରେ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ ଯୋଡ଼ି ପାରାଦୀପର ଏରସମା ଅଞ୍ଚଳରେ ଜେଏସଡବ୍ଲୁ ଷ୍ଟିଲର ମେଗା ଇଣ୍ଟିଗ୍ରେଟେଡ ଷ୍ଟିଲ ପ୍ଲାଣ୍ଟର ବ୍ଲାଷ୍ଟଫର୍ନେସ ନିର୍ମାଣ କାର୍ଯ୍ୟ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି। ଏହି ଅବସରରେ ପାରାଦୀପର ଢ଼ିଙ୍କିଆ ଅଂଚଳରେ ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିର୍ମାଣ କାର୍ଯ୍ୟର ଶିଳାନ୍ୟାସ କରିବା ସହିତ ଓଡ଼ିଶାକୁ ଦେଶର ‘ଷ୍ଟିଲ୍ ରାଜଧାନୀ’ ଭାବେ ଗଢ଼ିତୋଳିବାକୁ ରାଜ୍ୟ ସରକାର ଦୃଢ଼ ସଂକଳ୍ପ ନେଇଥିବା ପ୍ରକାଶ କରିଥିଲେ। ସୂଚନାଯୋଗ୍ୟ ଯେ, ଏହି ପ୍ରକଳ୍ପରେ ଜେଏସଡବ୍ଲୁ ଷ୍ଟିଲ ପକ୍ଷରୁ ସମୁଦାୟ ୧ ଲକ୍ଷ ୨୫ ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରାଯିବ। ଯାହା ଓଡ଼ିଶା ଇତିହାସରେ ସବୁଠୁ ଅଧିକ। ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଅତ୍ୟାଧୁନିକ ପ୍ଲାଣ୍ଟରୁ ବାର୍ଷିକ ପ୍ରାୟ ୨୪ ମିଲିଅନ ଟନ ଷ୍ଟିଲ ଉତ୍ପାଦନ ହେବା ସହ ଏଠାରେ ୧୨ ମିଲିଅନ ଟନର ଏକ ସିମେଣ୍ଟ ପ୍ଲାଣ୍ଟ, ୯୦୦ ମେଗାୱାଟର କାପଟିଭ୍ ପାୱାର ସିଷ୍ଟମ ଏବଂ ଏକ ସ୍ୱତନ୍ତ୍ର ଜେଟି ମଧ୍ୟ ନିର୍ମାଣ କରାଯିବ। ଗ୍ରୁପ୍ର ଅଧ୍ୟକ୍ଷ ସଜ୍ଜନ ଜିନ୍ଦଲ ଏବଂ ଜାପାନର ସହଯୋଗୀ କମ୍ପାନୀ ଜେଏଫଇ ଷ୍ଟିଲର ବରିଷ୍ଠ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ କମ୍ପାନୀକୁ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇଦେବାକୁ ଆଶ୍ୱାସନା ଦେଇଥିଲେ।

ଅଭିଭାଷଣରେ ପୂର୍ବ ସରକାରଙ୍କୁ ସମାଲୋଚନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେଉଁ ପ୍ରକଳ୍ପ ପାଇଁ ଜନସାଧାରଣ ଦୁଇ ଦଶନ୍ଧି ଧରି ଅପେକ୍ଷା କରିଥିଲେ ଏବଂ ଦୁଇବର୍ଷ ତଳେ ଯାହାର କେବଳ ତରତରିଆ ଶିଳାନ୍ୟାସ କରାଯାଇଥିଲା, ତାହାକୁ ନୂତନ ‘ଡବଲ ଇଞ୍ଜିନ’ ସରକାର ଆସିବା ପରେ ଫାଷ୍ଟ-ଟ୍ରାକ୍ ମୋଡ୍ରେ କାର୍ଯ୍ୟକାରୀ କରାଯାଇଛି। ପୂର୍ବ ଗତିରେ କାମ ଚାଲିଥିଲେ ଯେଉଁ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ୨୦୨୮ ମସିହାରେ ଆରମ୍ଭ ହୋଇଥାନ୍ତା, ବର୍ତ୍ତମାନ ସେହି ପ୍ରକଳ୍ପ ୨୦୨୮ ସୁଦ୍ଧା ନିର୍ମାଣ ସମ୍ପୂର୍ଣ୍ଣ ହୋଇ ଷ୍ଟିଲ୍ ଉତ୍ପାଦନ ଆରମ୍ଭ ହେବ ବୋଲି ସେ ଟାଇମଲାଇନ୍ ଗ୍ୟାରେଣ୍ଟି ଦେଇଛନ୍ତି।
ଓଡ଼ିଶାର ବୈଦେଶିକ ଶିଳ୍ପ ଭାଗିଦାରୀକୁ ନେଇ ମୁଖ୍ୟମନ୍ତ୍ରୀ ଏକ ବଡ଼ ଘୋଷଣା କରିଛନ୍ତି। ଜାପାନର ଜେଏଫଇ ଷ୍ଟିଲ୍ ସହଯୋଗରେ ଝାରସୁଗୁଡ଼ାରେ ଚାଲିଥିବା ୩୦ ହଜାର କୋଟି ଟଙ୍କାର ପ୍ରକଳ୍ପ ସମ୍ପର୍କରେ ସୂଚନା ଦେବା ସହ ସେ କହିଛନ୍ତି ଯେ, ଜାପାନ ସହ ଆଲୋଚନା ଅନୁଯାୟୀ ଖୁବ୍ ଶୀଘ୍ର ଓଡ଼ିଶା ଏବଂ ଜାପାନର ‘ତୋତ୍ତୋରି’ ରାଜ୍ୟ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହେବ। ଏହାଦ୍ୱାରା ଓଡ଼ିଶାର ଶିଳ୍ପ, ପର୍ଯ୍ୟଟନ ଏବଂ ଶିକ୍ଷା କ୍ଷେତ୍ରରେ ଜାପାନ ବ୍ୟାପକ ପୁଞ୍ଜି ନିବେଶ କରିବ। କେବଳ ପାରାଦୀପ କିମ୍ବା ଝାରସୁଗୁଡ଼ା ନୁହେଁ ବରଂ ଢେଙ୍କାନାଳ ଓ କେନ୍ଦୁଝରରେ ମଧ୍ୟ ଖୁବ୍ ଶୀଘ୍ର ନୂତନ ଷ୍ଟିଲ ପ୍ଲାଣ୍ଟମାନ ଗଢ଼ିଉଠିବ ବୋଲି ସେ କହିଥିଲେ।

ରାଜ୍ୟରେ ଶିଳ୍ପାୟନ ଓ ନିଯୁକ୍ତିକୁ ନିଜ ସରକାରଙ୍କ ସବୁଠୁ ବଡ଼ ଫୋକସ୍ ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ ଦୁଇ ବର୍ଷର ସଫଳତା ରିପୋର୍ଟ ଉପସ୍ଥାପନ କରିଥିଲେ। ଏହି ସମୟ ମଧ୍ୟରେ ସରକାର ୪୩୩ଟି ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି, ଯାହାଦ୍ୱାରା ୮ ଲକ୍ଷ ୫୦ ହଜାର କୋଟି ଟଙ୍କାର ନିବେଶ ସହ ୫ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ବର୍ତ୍ତମାନ ସୁଦ୍ଧା ୧୪୮ଟି ପ୍ରକଳ୍ପର ଭୂମିପୂଜା ସରିଛି, ଯାହା ମାଧ୍ୟମରେ ପ୍ରାୟ ୨ ଲକ୍ଷ ୩୭ ହଜାର ଯୁବକଯୁବତୀ ନିଯୁକ୍ତି ପାଇଛନ୍ତି। ଦେଶର ବିଭିନ୍ନ ପ୍ରମୁଖ ସହର ଯଥା ହାଇଦ୍ରାବାଦ, କୋଲକାତା ଓ ଗୁଜରାଟ ଗସ୍ତ କରି ସେ ପ୍ରାୟ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ଆଣିବାରେ ସଫଳ ହୋଇଥିବା ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ପ୍ରତି ଥିବା ସ୍ନେହ ଏବଂ ତାଙ୍କର ‘ୟହି ସମୟ ହେ, ସହି ସମୟ ହେ’ ଆହ୍ୱାନ ଯୋଗୁଁ ନିବେଶକମାନେ ଏବେ ଓଡ଼ିଶା ମୁହାଁ ହେଉଛନ୍ତି ବୋଲି ସେ ପ୍ରକାଶ କରିଥିଲେ।
ଉତ୍ସବରେ ଯୋଗଦେଇ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ପାରାଦୀପ ଏବଂ ସମଗ୍ର ଜଗତସିଂହପୁର ଜିଲ୍ଲାର ଔଦ୍ୟୋଗିକ ବିକାଶ ପାଇଁ ଏହାକୁ ଏକ ଐତିହାସିକ ମୁହୂର୍ତ୍ତ ଭାବେ ଅଭିହିତ କରିଥିଲେ। ସମାରୋହରେ ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ, ବାଲିକୁଦା-ଏରସମା ବିଧାୟକ ସାରଦା ପ୍ରସନ୍ନ ଜେନା ଏବଂ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।