ଭୁବନେଶ୍ୱର: ୨୧/୯- ଦାୟିତ୍ୱରେ ଥିବା ଗଣଶିକ୍ଷା ବିଭାଗର ଅଫିସରଙ୍କ ପାଇଁ ଅନେକ ସମୟରେ ସରକାରଙ୍କୁ କାଠଗଡ଼ାରେ ଛିଡ଼ା ହେବାକୁ ପଡୁଛି। କୋର୍ଟ କଚେରୀରେ ମାମଲା ବଢ଼ିବାରେ ଲାଗିଛି। ଅପାରଗ ଅଧିକାରୀଙ୍କ ପାଇଁ ସରକାର ବିଭିନ୍ନ ସମୟରେ ଅପଦସ୍ତ ମଧ୍ୟ ହେଉଛନ୍ତି। ଜନସାଧାରଣ ବିଭାଗୀୟ ଯୋଜନାର ସୁଫଳ ନ ପାଇ ସରକାରଙ୍କ ଉପରେ ଅସନ୍ତୋଷ ପ୍ରକଟ କରୁଛନ୍ତି। ଏସବୁ ବର୍ଷବର୍ଷ ଧରି ଚାଲିଥିଲେ ବି ପ୍ରଶାସନିକ ବ୍ୟବସ୍ଥାରେ ସୁଧାର ଆଣିବା ନେଇ କିଛି ପଦକ୍ଷେପ ନିଆଯାଉନାହିଁ। ଫଳରେ ଅଫିସରରାଜ୍ର ଶିକାର ହେଉଛନ୍ତି ସାଧାରଣ ଲୋକେ।

୨୦୨୪ରେ ଏହିସବୁ କାରଣରୁ ରାଜ୍ୟବାସୀ ବିଜେଡି ସରକାରକୁ ପ୍ରତ୍ୟାଖ୍ୟାନ କରି ବିଜେପି ସରକାରକୁ ରାଜ୍ୟ ଶାସନ ଗାଦିରେ ବସାଇଥିଲେ। ଆଶା ଥିଲା ବିଜେପି ସରକାର ଆସିଲେ ଲୋକଙ୍କ ଦୁର୍ଦଶା ଦୂର ହେବ। ବିଭିନ୍ନ ସମସ୍ୟାର ସମାଧାନ ହେବ। ଆଗପରି ରାଜ୍ୟ ଶାସନ ଅଫିସରଙ୍କ ଇଙ୍ଗିତରେ ଚାଲିବ ନାହିଁ। ଏବେ କିନ୍ତୁ ଅଫିସରମାନେ ଅଭ୍ୟାସଖୋର ଭାବେ ସାଧାରଣ ଲୋକଙ୍କ ସମସ୍ୟା ସମଧାନ ନେଇ ପଦକ୍ଷେପ ନେଉନାହାନ୍ତି। ପୂର୍ବ ପରି ନିଜର ଅହଂକାର ଜାହିର କରୁଛନ୍ତି। ସରକାରୀ ଦପ୍ତରରେ ଲାଞ୍ଚ କାରବାର ବଢ଼ିଚାଲିଛି। ସରକାରୀ ଯୋଜନାର ସୁଫଳ କିଭଳି ଲୋକମାନେ ପାଇବେ ସେଥିପ୍ରତି ଧ୍ୟାନ ଦେଉନାହାନ୍ତି। ପୂର୍ବ ସରକାରର ବାବୁମାନେ ଏବେ ବି ସକ୍ରିୟ ଅଛନ୍ତି। ସେତେବେଳେ ସେମାନେ ଯେଉଁଭଳି ଲୋକଙ୍କୁ ହଇରାଣ କରୁଥିଲେ ଏବେ ସେହି ନୀତି ନିୟମରେ ଶାସନ କରୁଛନ୍ତି। ମୁଖ୍ୟମନ୍ତ୍ରୀ କି ମନ୍ତ୍ରୀଙ୍କ କଥା ରହୁନାହିଁ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସତ୍ତ୍ୱେ ଲୋକଙ୍କ ନିକଟରେ ଯୋଜନାର ସୁଫଳ ପହଞ୍ଚୁନାହିଁ। କୋମଳମତୀ ଛାତ୍ରଛାତ୍ରୀ ବି ଏଥିରୁ ବାଦ ପଡୁନାହାନ୍ତି।
ଏହାର ଗୋଟିଏ ଉଦାହରଣ ଏଠାରେ ଉଲ୍ଲେଖ କରୁଛୁ। ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ସରକାରୀସ୍ତରରେ ଗଣଶିକ୍ଷା ବିଭାଗର ‘ମୋ ସ୍କୁଲ ଅଭିଯାନ’ ନାମ ପରିବର୍ତ୍ତନ କରିଥିଲେ। ମୋ ସ୍କୁଲ ନାମକୁ ବଦଳାଇ ‘ପଞ୍ଚସଖା ଶିକ୍ଷାସେତୁ’ ନାମରେ ନାମିତ କରାଯାଇଥିଲା। ଏ ସମ୍ପର୍କରେ ମୋ ସ୍କୁଲ ଅଭିଯାନର ପରିଚାଳନା ସଂଗଠନକୁ ଗଣଶିକ୍ଷା ବିଭାଗ ଚିଠି ଲେଖି ଜଣାଇଥିଲା। ୨୦୨୪-୨୫ ଆର୍ôଥକ ବର୍ଷ ବଜେଟ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୋ ସ୍କୁଲ ନାମ ବଦଳରେ ଏହା ପଞ୍ଚସଖା ଶିକ୍ଷାସେତୁ ଅଭିଯାନ ହେବ ବୋଲି ଘୋଷଣା କରିଥିଲେ। ପଞ୍ଚସଖା ଶିକ୍ଷାସେତୁ ପାଇଁ ବଜେଟରେ ୩୩୨ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ସୂଚନାଯୋଗ୍ୟ ଯେ ୨୦୧୭ରୁ ପୂର୍ବତନ ବିଜେଡି ସରକାର ମୋ ସ୍କୁଲ ଅଭିଯାନ ଆରମ୍ଭ କରିଥିଲେ। ନୂତନ ସରକାର ଆସିବା ପରେ ଏହି ନାମ ବଦଳାଇ ଥିଲେ। ଏହାଦ୍ୱାର ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ କରାଯିବ ବୋଲି ମୋହନ ସରକାର କହିଥିଲେ।
ନାମ ପରିବର୍ତ୍ତନର ପ୍ରଥମ ବର୍ଷ ୨୦୨୪ମସିହା ସେପ୍ଟେମ୍ବର ୫ ତାରିଖରେ ଲୋକସେବା ଭବନରେ ରାଜ୍ୟସ୍ତରୀୟ ଗୁରୁଦିବସ ଉତ୍ସବ ଓ ବିଦ୍ୟାର୍ଥୀ ସମ୍ବର୍ଦ୍ଧନା ସମାରୋହର ଆୟୋଜନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ରାଜ୍ୟର ଶ୍ରେଷ୍ଠ ବିଦ୍ୟାର୍ଥୀମାନଙ୍କୁ ସମାରୋହକୁ ଡକାଇ ପୁରସ୍କୃତ କରିଥିଲେ। ଏହାବ୍ୟତୀତ ଆଭାସୀ ମାଧ୍ୟମରେ ୩୦ଟି ଜିଲାର ୪୪ ହଜାର ୭୨୮ ବିଦ୍ୟାର୍ଥୀ ପୁରସ୍କୃତ ହୋଇଥିଲେ।

ଏହି କାର୍ଯ୍ୟକ୍ରମରେ ଦଶମ ବୋର୍ଡ ପରୀକ୍ଷାରେ ୫୫୨ନମ୍ବର ରଖି ଶିକ୍ଷା ପୁରସ୍କାର ପାଇଥିବା ନିମାପଡ଼ା ଜେ.ବି.ଆର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ରିୟା ମିଶ୍ରଙ୍କୁ ପୁରସ୍କୃତ କରାଯାଇଥିଲା। ରିୟା ଜଣେ କୃତି ଛାତ୍ରୀ ଏବଂ ପ୍ରାଥମିକ ବିଦ୍ୟାଳୟସ୍ତରରୁ ବୃତ୍ତି ପାଇ ଆସୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ରିୟାଙ୍କୁ ପୁରସ୍କାର ବାବଦ ଯେଉଁ ୫୦ ହଜାର ଟଙ୍କା ମିଳିବା କଥା ତାହା ବର୍ଷେ ପରେ ବି ମିଳିପାରି ନାହିଁ।
ବିଦ୍ୟାଳୟ ମୁଖ୍ୟ, ବ୍ଲକ ଶିକ୍ଷା ଅଧିକାରୀ, ପୁରୀ ଜିଲା ଶିକ୍ଷା ଅଧିକାରୀ ଏବଂ ପଞ୍ଚସଖା ଶିକ୍ଷାସେତୁ କାର୍ଯ୍ୟାଳୟର ଅଧିକାରୀ ଦେଖୁଛୁ କହି ଟେଲିଫୋନ ରଖୁଛନ୍ତି। ଏମିତି କି ଏବେ ଟେଲିଫୋନ ଉଠାଉ ନାହାନ୍ତି କି କୌଣସି ପଦକ୍ଷେପ ନେଉନାହାନ୍ତି। ପୁରସ୍କାର ଅର୍ଥରାଶି କ’ଣ ହେଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ ଯେ ପୁରୀ ଜିଲାରେ ରିୟା ହେଉଛନ୍ତି ଜଣେ ଛାତ୍ରୀ ଯିଏ କି ୨୦୨୪ରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଥିଲେ। ପୁରସ୍କୃତ କୃତି ଛାତ୍ରୀଙ୍କୁ ପୁରସ୍କାର ବାବଦ ଅର୍ଥ ନ ଦେଇ ବର୍ଷେ ହେଲା ସେମାନେ ତାଙ୍କୁ ଓ ତାଙ୍କ ଅଭିଭାବକଙ୍କୁ ମାନସିକ ନିର୍ଯ୍ୟାତନ ଦେଇ ଚାଲିଛନ୍ତି। ଏଭଳି ଚାଲିଛି ସରକାରୀ କାର୍ଯ୍ୟାଳୟରେ ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନର ଧାରା। ଏହା ଉପରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ପଦକ୍ଷେପ ନେବେ ବୋଲି ଛାତ୍ରୀ ଜଣକ ଆଶା କରିଛନ୍ତି।