ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଧାୟକ, ସାଂସଦ, ମନ୍ତ୍ରୀ ଓ ରାଜ୍ୟ ପଦାଧିକାରୀଙ୍କ ସହ ବେଶ ହସ ଖୁସିରେ ଆଲୋଚନା କରିଥିଲେ। ରାଜନୈତିକ ଜୀବନଯାତ୍ରା କଥା କହି ମିଶନ-୩୬ ଓ ଭିଜନ-୩୬ ପାଇଁ ବାଟ ଦେଖାଇଥିଲେ । ଝିଅ-ବୋହୂ ଉଦାହରଣ ଦେଇ ଆଚରଣ ଉଚ୍ଚାରଣ ସଜାଡ଼ିବାକୁ ମଧ୍ୟ ପରାମର୍ଶ ଦେଇଥିଲେ।

ଶୁକ୍ରବାର ସଂଧ୍ୟାରେଦୁଇ ଘଣ୍ଟା ଧରି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବିଧାୟକ, ସାଂସଦ, ମନ୍ତ୍ରୀ ଓ ରାଜ୍ୟ ପଦାଧିକାରୀଙ୍କ ସହ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ କହିଥିଲେ କାର୍ଯ୍ୟକର୍ତ୍ତା ଓ ଲୋକଙ୍କ ସହ ଯୋଡ଼ି ହୋଇ ରୁହ। ଅଭିଯୋଗ ଶୁଣ। ଏମିତିକି ତୁମକୁ ଭୋଟ ଦେଇନଥିବା ଲୋକଙ୍କ କଥା ବୁଝ। ବଦଳିକୁ ଗୁରୁତ୍ୱ ନଦେଇ ଲୋକଙ୍କ କାମକର। ଫୋନ୍ରେ କାହାକୁ ଗାଳି ଦିଅନି। ସଂଯମତା ରକ୍ଷାକର। ଝିଅ-ବୋହୂ ଉଦାହରଣରେ ସେ କହିଥିଲେ ବାପଘରେ ଝିଅକୁ କେହି କିଛି କୁହନ୍ତି ନାହିଁ। କିନ୍ତୁ ବୋହୂ ହେବା ପରେ ସମସ୍ତଙ୍କ ନଜର ତା ଉପରେ ରହେ। ଜିତିବା ପରେ ନିର୍ବାଚନମଣ୍ଡଳୀ ସହ ସମସ୍ତଙ୍କ ଆଖି ତୁମ ଉପରେ। ତେଣୁ ଆଚରଣ ଆଉ ଉଚ୍ଚାରଣ ଠିକ କର। କେବଳ ଫାଇଲ ଦସ୍ତଖତ ବେଳେ ମୁଁ ପ୍ରଧାନମନ୍ତ୍ରୀ। ବାକି ସମୟ ମୁଁ କାର୍ଯ୍ୟକର୍ତ୍ତା ଭାବେ କାମକରେ ବୋଲି ସେ ମୋଦି। ବିଜେପି ୨୦୩୬ ପର୍ଯ୍ୟନ୍ତ କ୍ଷମତାରେ ରହିଲେ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, ଭିତ୍ତିଭୂମିରେ ପରିବର୍ତ୍ତନ ଆସିବ। ସେସବୁ ଲୋକଙ୍କୁ କୁହ ବୋଲି ମୋଦି କହିଥିଲେ ।
ମୋଦି ସମସ୍ତଙ୍କ ସ୍ୱାସ୍ଥ୍ୟ କଥା ପଚାରି ବୁଝିଥିଲେ। ୬୦ ବର୍ଷରୁ ଅଧିକ କିଏ ଅଛନ୍ତି। ଗତ ଦୁଇ ବର୍ଷ ଭିତରେ କିଏ ମେଡିକାଲରେ ଭର୍ତ୍ତି ହୋଇଥିଲେ କି, ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ କହିଥିଲେ। ରାଜନୈତିକ ଜୀବନ ଭିତରେ ଘର ଓ ପରିବାର ପ୍ରତି ଅବହେଳା ନକରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ଜନ ପ୍ରତିନିଧିମାନଙ୍କୁ ଲୋକଙ୍କ ସହ ସଂପର୍କ ବଢ଼ାଇବାକୁ ସେ ପରାମର୍ଶ ଦେଇଥିଲେ। ସାଂସଦ କ୍ରୀଡ଼ା ମହାକୁମ୍ଭ ଭଳି ବିଧାୟକ କ୍ରୀଡ଼ା ମହାକୁମ୍ଭ ଆୟୋଜନ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ।