-ବିଜେପି ମିଛ ପ୍ରଚାରରେ ହିରୋ, କାମରେ ଜିରୋ
-୧୬ ମାସ ହେଲା ରାଜ୍ୟ ସାରା ବିକାଶ କାମ ବନ୍ଦ
-ପାଣିର ଗାର ହୋଇଛି ବିଜେପିର ନିର୍ବାଚନୀ ପ୍ରତିଶ୍ରୁତି
-ନାରୀ ଅତ୍ୟାଚାର ସବୁ ସୀମା ଟପିଲାଣି
-ମିଶନ ଶକ୍ତି ମା’ ମାନଙ୍କ ଆଖିରୁ ଲୁହ ଝରୁଛି
-ଭୋଟ ଚୋରି କରି ସରକାର ଗଢ଼ିଥିଲେ, ଏବେ ପ୍ରାର୍ଥୀ ଚୋରି କରିଛନ୍ତି

ନୂଆପଡ଼ା:୩/୧୧-ବିଜେଡି ସରକାର ସମୟରେ ନୂଆପଡ଼ା ସମେତ ରାଜ୍ୟର ସବୁ ଜିଲାରେ ବିକାଶମୂଳକ କାମ ଦ୍ରୁତ ଗତିରେ ଆଗକୁ ବଢ଼ୁଥିଲା। କିନ୍ତୁ ବିଜେପି ସରକାର ଆସିବାପରେ ପରିସ୍ଥିତି ପୂରା ବଦଳି ଯାଇଛି। ନାରୀ ଅତ୍ୟାଚାର ସବୁ ସୀମା ଟପିଲାଣି। ଭାଇଚାରାର ରାଜ୍ୟ, ଓଡିଶା ସୁନାମ ଆଜି ନଷ୍ଟ ହୋଇଗଲାଣି। ବିଜେପି ଶାସନରେ ଓଡ଼ିଶାର ଲୋକେ ଅତିଷ୍ଠ ହୋଇପଡ଼ିଲେଣି। ଭୋଟ ଚୋରୀ କରୁଥିଲେ, ଏବେ ପ୍ରାର୍ଥୀ ଚୋରୀ କରୁଛନ୍ତି। ନୂଆପଡା, ବିଜୁ ଜନତା ଦଳ ଓ ମୋ ସହ ବିଜେପି କରିଥିବା ବେଇମାନୀ ପାଇଁ ଲୋକମାନଙ୍କ ମନରେ କ୍ରୋଧ ରହିଛି। ଏ ବିଶ୍ୱାସଘାତକତାର ଜବାବ ନୂଆପଡାବାସୀ ୧୧ ତାରିଖ ଦିନ ଭୋଟେରେ ଦେବେ ବୋଲି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଛନ୍ତି।

ସୋମବାର ବିଜେଡି ପ୍ରାର୍ôଥନୀ ସ୍ନେହାଙ୍ଗିନୀ ଛୁରିଆଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବା ଅବସରରେ କୋମନା ବ୍ଳକର ତାରାବୋଡ଼ ଧାନମଣ୍ଡି ପଡିଆରେ ଆୟୋଜିତ ବିଶାଳ ଜନସଭାକୁ ସମ୍ୱୋଧିତ କରି ଶ୍ରୀ ପଟ୍ଟନାୟକ ପ୍ରଥମେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ନୂଆପଡା ଜିଲ୍ଲା ଗଠନରେ ବିଜୁବାବୁଙ୍କ ଅବଦାନ ବିଷୟରେ ସ୍ମରଣ କରିଥିଲେ। ସେ କହିଥିଲେ ଯେ ବିଜୁ ଜନତା ଦଳ ସରକାର ସମୟରେ ନୂଆପଡା ଜିଲ୍ଲାର ପ୍ରଭୂତ ଉନ୍ନତି ହୋଇଥିଲା। ବିଜୁ ଏକ୍ସପ୍ରେସ ୱେ ଠାରୁ ଆରମ୍ଭ କରି ଭଲ ପିଇବା ପାଣି, ୧୦ହଜାର ହେକ୍ଟରରୁ ଅଧିକ ଜମିକୁ ପାଣି ଦିଆଯାଇଛି। ସୁନାବେଡା ଅଭୟାରଣ୍ୟର ଲୋକଙ୍କ କଲ୍ୟାଣ ପାଇଁ ଅନେକ ପଦକ୍ଷେପ ନିଆଯାଇଥିଲା। କିନ୍ତୁ ବିଜେପି ସରକାର ଆସିବାପରେ ପରିସ୍ଥିତି ପୂରା ବଦଳି ଯାଇଛି କହି କ୍ଷୋଭ ପ୍ରକାଶ କରିଥିଲେ। ଶ୍ରୀ ପଟ୍ଟନାୟକ ସ୍ୱତନ୍ତ୍ର ବିମାନ ଯୋଗେ ଗୋଟମା ଏୟାରଷ୍ଟ୍ରିପରେ ପହଞ୍ଚିବା ପରେ ହେଲିକପ୍ଟର ଯୋଗେ ସଭାସ୍ଥଳକୁ ଯାଇଥିଲେ। ହଜାର ହଜାର ସମର୍ଥକ ଓ ସାଧାରଣ ଜନତାଙ୍କ ଉପସ୍ଥିତିରେ ଉଦବୋଧନ ଦେଇଥିଲେ। ଏହି ଜନସଭାରେ ବିଜେଡିର ବରିଷ୍ଠ ନେତାମନେ ଊପସ୍ଥିତ ରହି ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ନିବେଦନ କରିଥିଲେ ।

ବିଜେପି ସରକାରଙ୍କୁ ସମାଲୋଚନା କରି ଶ୍ରୀ ପଟ୍ଟନାୟକ କହିଥିଲେ ଯେ ସାରା ରାଜ୍ୟରେ ଏବେ ବିକାଶ କାମ ପୂରା ବନ୍ଦ ହୋଇଯାଇଛି। ଆଇନ ଶୃଙ୍ଖଳା ପୂରା ଭୁଶୁଡି ଯାଇଛି। ରାଜ୍ୟରେ ଏକ ନୀରବ ବିପ୍ଲବ ଆଣିଥିବା ମିଶନ ଶକ୍ତି ମା’ ମାନେ ଆଜି ଋଣ ପାଉନାହାଁନ୍ତି। ୮ ମାସ ହେଲା ମିଶନ ଶକ୍ତି ମା’ମାନେ ଦରମା ପାଉ ନ ଥିବାରୁ ଶ୍ରୀ ପଟ୍ଟନାୟକ ଦୁଃଖ ପ୍ରକାଶ କରିଥିଲେ। ଏ ସରକାର କେବଳ ମିଛ ପ୍ରଚାରରେ ମାତିଛି। ମିଛ ପ୍ରଚାରରେ ହିରୋ, କିନ୍ତୁ କାମରେ ଜିରୋ। ଏ ସରକାର ଗେମ୍ ଚେଞ୍ଜର ନୁହେଁ ନେମ ଚେଞ୍ଜର ସରକାର। ରଙ୍ଗ ମରା ସରକାର। ୩୦୦ ୟୁନିଟ ମାଗଣା ବିଜୁଳି, ସବୁ ବୁଢ଼ାବୁଢ଼ୀଙ୍କୁ ମାସିକ ୩୫୦୦ ଟଙ୍କା ଭତ୍ତା, ସବୁ ପଂଚାୟତର ୧୦୦ ଯୁବକଙ୍କୁ ଚାକିରୀ ଭଳି ବିଜେପିର ପ୍ରତିଶ୍ରୁତି ପାଣିର ଗାର ପାଲଟି ଯାଇଛି। ଚାଷୀଙ୍କୁ ସାର ମିଳୁନି, କଟନୀ ଛଟନୀ ବନ୍ଦ ହେଲାନି। ବିଏସକେୱାଇକୁ ଭଲ ଥିଲା କି ଆୟୁଷ୍ମାନ କାର୍ଡ ଭଲ, ତାହା ଶ୍ରୀ ପଟ୍ଟନାୟକ ଲୋକଙ୍କୁ ପ୍ରଶ୍ନ କରିଥିଲେ। ସେ କହିଥିଲେ ଯେ ବିଜେପି ଭୋଟ ଚୋରି କରି ସରକାର ଗଢ଼ିଥିଲା। ଏବେ ପ୍ରାର୍ଥୀ ଚୋରି କରୁଛନ୍ତି। ଆସନ୍ତା ୧୧ ତାରିଖରେ ନୂଆପଡ଼ାବାସୀ ବିଜେପିକୁ ଏହି ପ୍ରତାରଣାର ଜବାବ ଦେବେ।