
ଭୁବନେଶ୍ୱର:୨୪/୩-ଓଡ଼ିଶାର କ୍ରୀଡ଼ା ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭାରତୀୟ ଆଥଲେଟିକ୍ସ ମହାସଂଘ, ଓଡ଼ିଶା ଆଥଲେଟିକ୍ସ ସଂଘ ଏବଂ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ପ୍ରୟାସରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମଠାରେ “ପ୍ରଥମ ଜାତୀୟ ଇନ୍ଡୋର ଆଥଲେଟିକ୍ସ ଚାମ୍ପିୟନସିପ୍ ୨୦୨୬’ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି। ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଏଭଳି ଏକ ବିଶ୍ୱସ୍ତରୀୟ ଇନଡୋର ଷ୍ଟାଡିୟମ ନିର୍ମାଣ କରି ଭାରତୀୟ କ୍ରୀଡ଼ା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସ୍ଥାପନ କରିଛି। ଏହି ଇଭେଣ୍ଟ ୨୦୨୮ ବିଶ୍ୱ ଚାମ୍ପିୟନସିପ୍ ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି ସରକାର ଆଶା କରିଛନ୍ତିି।

ଓଡ଼ିଶାର କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ କଳିଙ୍ଗ ଷ୍ଟାଡିୟମରେ ପ୍ରଥମ ନ୍ୟାସନାଲ ଇନଡୋର ଆଥଲେଟିକ୍ସ ଚାମ୍ପିୟନସିପର ଆୟୋଜନକୁ ଏକ ଐତିହାସିକ ମୁହୂର୍ତ୍ତ ବୋଲି ଅଭିହିତ କରିଛନ୍ତି। ସେ କହିଛନ୍ତି ଯେ, ଏହି ଇନଡୋର ହଲକୁ ନେଇ ଉଠୁଥିବା ସମସ୍ତ ପ୍ରଶ୍ନର ଅନ୍ତ ଘଟିଛି ଏବଂ ଏହି ଇଭେଣ୍ଟ ୨୦୨୮ ବିଶ୍ୱ ଚାମ୍ପିୟନସିପ ପାଇଁ ମାର୍ଗ ପ୍ରଶସ୍ତ କରିଛି। ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାକୁ ଦେଶର କ୍ରୀଡ଼ା ରାଜଧାନୀ ଭାବେ ସେ ଗୌରବର ସହ ଉପସ୍ଥାପିତ କରିଛନ୍ତି।

ଭାରତୀୟ ଆଥଲେଟିକ୍ସ ମହାସଂଘର ସଭାପତି ବାହାଦୁର ସିଂହ ସାଗୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ପ୍ରଥମ ଜାତୀୟ ଇନ୍ଡୋର ଆଥଲେଟିକ୍ସ ଚାମ୍ପିୟନସିପ୍-୨୦୨୬ ଅବସରରେ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସେ କହିଥିଲେ ଯେ, ଭାରତର କ୍ରୀଡ଼ା ଇତିହାସରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ, କାରଣ ସମଗ୍ର ଦେଶରେ ଓଡ଼ିଶା ହିଁ ପ୍ରଥମ ରାଜ୍ୟ ଭାବେ ଏଭଳି ବିଶ୍ୱସ୍ତରୀୟ ଇନ୍ଡୋର ଷ୍ଟାଡିୟମ ନିର୍ମାଣ କରିଛି।