ଦୁଇ ଦିନିଆ ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ ଉଦଯାପିତ
ଭୁବନେଶ୍ୱର ୨୮/୯- ଦୁଇ-ଦିନିଆ ଦ୍ୱିତୀୟ ଜାତୀୟ ମଧ୍ୟସ୍ଥତା ସମ୍ମିଳନୀ-୨୦୨୫ର ଉଦଯାପନୀ ସମାରୋହ ଲୋକସେବା ଭବନ ଠାରେ ଉଦଯାପିତ ହୋଇଯାଇଛି। ସମ୍ମିଳନୀର ଉଦଯାପନୀ ସମାରୋହରେ ସୁପ୍ରିମ କୋର୍ଟର ନ୍ୟାୟମୂର୍ତ୍ତି ଏମ.ଏମ. ସୁନ୍ଦରେଶ ଯୋଗଦେଇ ରାମାୟଣ ଯୁଗର ଉଦାହରଣ ଦେଇ କହିଥିଲେ ଯେ ମହାବୀର ହନୁମାନ ହେଉଛନ୍ତି ଜଣେ ବଡ଼ ମଧ୍ୟସ୍ଥି । କାରଣ ସେ ସତ୍ୟ ଓ ନ୍ୟାୟର ମଧ୍ୟସ୍ଥତା ପାଇଁ ନିଜ ଜୀବନକୁ ବାଜି ଲଗାଇ ଦେଇଥିଲେ । ତେଣୁ ମଧ୍ୟସ୍ଥତାର ପ୍ରାସଙ୍ଗିକତା ଅତୀବ ପୁରାତନ। ଏହାକୁ ବର୍ତ୍ତମାନ ଉପଯୋଗୀ କରିବାର ଆବଶ୍ୟକତା ରହିଛି ବୋଲି ସେ ପ୍ରକାଶ କରିଥିଲେ ।
କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ଓଡ଼ିଶା ମାଟି ହେଉଛି ମଧ୍ୟସ୍ଥତାର ମାଟି। ଆମର ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ହେଉଛି ମଧ୍ୟସ୍ଥତାର ଏକ ନିଚ୍ଛକ ପ୍ରଦର୍ଶନ। ଆମ ଦେଶରେ ଏବେ ପ୍ରାୟ ୪ କୋଟି ବିଭିନ୍ନ ମାମଲା ରହିଛି। ଏହାକୁ ସମାଧାନ କରିବାରେ ମଧ୍ୟସ୍ଥତା ଉଲ୍ଲେଖନୀୟ ଯୋଗଦାନ କରିବ ବୋଲି ସେ କହିଥିଲେ। କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଯୋଗଦେଇ ସଭାକୁ ସମ୍ବୋଧନ କରି କହିଲେ ଯେ, ମଧ୍ୟସ୍ଥତା ବିଭିନ୍ନ କ୍ଷେତ୍ରରେ ରହୁଥିବା ମାମଲାରେ ବିବାଦ ସମାଧାନର ବିକଳ୍ପ ବ୍ୟବସ୍ଥା l ଏହି ସମ୍ମିଳନୀରୁ ଆଲୋଚିତ ନିଷ୍କର୍ଷ ଆଧାରରେ ମଧ୍ୟସ୍ଥତା ବ୍ୟବସ୍ଥାରେ ଉନ୍ନତି ପାଇଁ ସମସ୍ତ ପ୍ରୟାସ କରାଯିବ ବୋଲି ସେ ପ୍ରକାଶ କରିଥିଲେ l
ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ନ୍ୟାୟମୂର୍ତ୍ତି ଅହସାନୁଦ୍ଦିନ ଅମାନୁଲ୍ଲାହ ଯୋଗଦେଇ କହିଥିଲେ ଯେ ଆଇନ ଗତ ମାମଲାରେ ଜଣେ ଜିତେ ଓ ଜଣେ ହାରେ l ତେଣୁ ଜଣେ ଦୁଃଖ ପାଏ l କିନ୍ତୁ ମଧ୍ୟସ୍ଥତା ଜରିଆରେ ହୋଇଥିବା ମାମଲାର ସମାଧାନରେ ଉଭୟ ପକ୍ଷ ସନ୍ତୁଷ୍ଟ ହୋଇଥାନ୍ତି l ସର୍ବୋଚ୍ଚ ନ୍ୟାୟାଳୟର ଅନ୍ୟତମ ବିଚାରପତି ନ୍ୟାୟମୂର୍ତ୍ତି ସଞ୍ଜୟ କରୋଲ ଆଇନ ଗତ ମାମଲା ଫଇସଲାରେ ମଧ୍ୟସ୍ଥତାର ଆବଶ୍ୟକତା ସମ୍ପର୍କରେ ମତ ରଖି କହିଥିଲେ ଦେଶରେ ବିଭିନ୍ନ ଆଇନଗତ ମାମଲା ବଢି ଚାଲିଛି। ବିଶେଷ କରି ସମାଜର ଅବହେଳିତ ବର୍ଗର ଲୋକେ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାର ପାଇବାକୁ ବଂଚିତ ହେଉଛନ୍ତି। ସମ୍ମିଳନୀରେ ଯୋଗଦେଇଥିବା ବିଚାରପତି, ଆଇନଜୀବୀ ଏବଂ ମହାଧିବକ୍ତା, ପ୍ରଶାସନିକ ଅଧିକାରୀମାନଙ୍କୁ ଏ ସଂପର୍କରେ ଚିନ୍ତା କରିବାର ଆବଶ୍ୟକତା ରହିଛି । ତୃଣମୂଳସ୍ତରରେ ରହୁଥିବା ସମସ୍ୟାକୁ ସମାଧାନ କରିବାରେ ସମସ୍ତେ ସମ୍ମିଳିତ ପ୍ରୟାସ କରିବାକୁ ସେ ଆହ୍ୱାନ ଦେଇଥିଲେ।

ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତି ହରିଶ ଟାଣ୍ଡନ କହିଥିଲେ ଯେ, ରାଜନୈତିକ ହେଉ ବା ଅନ୍ୟ ବିଭିନ୍ନ କ୍ଷେତ୍ରରେ ହେଉ, ବିବାଦ ଉପୁଜିବା ପୂର୍ବରୁ ମଧ୍ୟସ୍ଥତାର ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ରହିଛି l ମଧ୍ୟସ୍ଥତା ପାଇଁ ସଂସ୍ଥାଗତ ଦକ୍ଷତା ବୃଦ୍ଧିର ଆବଶ୍ୟକତା ସମ୍ପର୍କରେ ସେ ଆଲୋକପାତ କରିଥିଲେ l ମେଘାଳୟରେ ଅନୁଷ୍ଠିତ ହେବାକୁ ଥିବା ୩ୟ ମଧ୍ୟସ୍ଥତା ସମ୍ମିଳନୀ ପାଇଁ ସେ ସଫଳତା କାମନା କରିଥିଲେ l
ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ନ୍ୟାୟମୂର୍ତ୍ତି ସଙ୍ଗମ ସାହୁ, ନ୍ୟାୟମୂର୍ତ୍ତି କୃଷ୍ଣ ରାମ ମହାପାତ୍ର, ନ୍ୟାୟମୂର୍ତ୍ତି ଡଃ. ସଞ୍ଜୀବ କୁମାର ପାଣିଗ୍ରାହୀ, ଭାରତ ସରକାରଙ୍କ ସଲିସିଟର ଜେନେରାଲ ତୁଷାର ମେହେଟା ଯୋଗଦେଇ ବକ୍ତବ୍ୟ ରଖିଥିଲେ । ଓଡ଼ିଶା ସରକାରଙ୍କ ମହାଧିବକ୍ତା ପିତାମ୍ବର ଆଚାର୍ଯ୍ୟ ସଭା ପରିଚାଳନା କରିଥିବା ବେଳେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ନ୍ୟାୟମୂର୍ତ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଓଡ଼ିଶା ସରକାରଙ୍କ ମହାଧିବକ୍ତାଙ୍କ କାର୍ଯ୍ୟାଳୟ ଓ ଆଇନ ବିଭାଗ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମର ପ୍ରଥମ ଦିନ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି, ଓଡ଼ିଶାର ରାଜ୍ୟପାଳ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ପ୍ରମୁଖ ଯୋଗ ଦେଇଥିବା ବେଳେ ଦୁଇ ଦିନ ଧରି ଏହି ସମ୍ମିଳନୀରେ ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି, ଭାରତର ବିଭିନ୍ନ ରାଜ୍ୟର ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କ ସହିତ ସୁପ୍ରିମକୋର୍ଟ, ବିଭିନ୍ନ ଉଚ୍ଚନ୍ୟାୟାଳୟର ବିଚାରପତି, ମହାଧିବକ୍ତା ଓ ଅନ୍ୟାନ୍ୟ ବିଶିଷ୍ଟ ଅତିଥିମାନେ ଯୋଗଦେଇଥିଲେ।