-୨୫,୦୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପୁଞ୍ଜି ବିନିଯୋଗରେ କାର୍ଯ୍ୟକାରୀ ହେଲା ନୂତନ ଶିଳ୍ପ ପ୍ରକଳ୍ପ
-୫୨ ହଜାରରୁ ଅଧିକ ଯୁବକ ଯୁବତୀ ପାଇବେ ନିଯୁକ୍ତି
-୧୫ ମାସରେ ୨୬୦ ଟି ଶିଳ୍ପ ପ୍ରକଳ୍ପ ମଞ୍ଜୁର, ୫.୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଓ ୩.୬ ଲକ୍ଷ ନିଯୁକ୍ତି ସମ୍ଭାବନା
-‘ଏକ୍ ପେଡ୍ ମା କେ ନାମ୍ ୨.୦’ ଅଭିଯାନରେ ସାମିଲ ହେବାପାଇଁ ଶିଳ୍ପସଂସ୍ଥା ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ
-ଓଡ଼ିଶାକୁ ପୂର୍ବ ଭାରତର ମାନୁଫାକ୍ଚରିଂ ହବ୍ କରିବା ପାଇଁ ହାଇ ଭାଲ୍ୟୁ ପ୍ରଡକ୍ଟ ଉତ୍ପାଦନ ଉପରେ ଗୁରୁତ୍ୱ ଦିଆଯିବ
-ଶିଳ୍ପପତି ମାନଙ୍କୁ ସହଯୋଗର ହାତ ବଢାଇବା ପାଇଁ ଆମେ ସବୁ ସମୟରେ ଉପସ୍ଥିତ ଅଛୁ-ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର:15/9- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓୟୁଏଟି ଠାରେ ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ୧୨ଟି ଜିଲ୍ଲାରେ ସମୁଦାୟ ୨୭ଟି ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରି ଓଡ଼ିଶାର ଶିଳ୍ପ ଇତିହାସରେ ଆଉ ଏକଅଧ୍ୟାୟ ଯୋଡିଛନ୍ତି। ସୂଚନାଯୋଗ୍ୟ ଯେ ୨୭ ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବାପାଇଁ ସମୁଦାୟ ୨୫ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ ପୁଞ୍ଜି ବିନିଯୋଗ କରାଯାଉଛି ଏବଂ ଏହାଦ୍ୱାରା ୫୨ ହଜାରରୁ ଅଧିକ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସୁନିଶ୍ଚିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହି ଅବସରରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯେତେବେଳେ ଓଡ଼ିଶାକୁ କିଛି ନିବେଶ ଆସୁଛି, ସେତେବେଳେ ଓଡ଼ିଶା ପ୍ରତି ଶିଳ୍ପ ଜଗତର ଭରସା ବୃଦ୍ଧି ପାଉଛି। ଶିଳ୍ପ ସ୍ଥାପନ ପାଇଁ ଓଡ଼ିଶା ସରକାରଙ୍କ ନୀତି ଓ ନିଷ୍ଠା ପ୍ରତି ନିବେଶକ ମାନଙ୍କ ଆସ୍ଥା ବୃଦ୍ଧି ପାଉଛି । ଓଡ଼ିଶାକୁ ପୂର୍ବ ଭାରତର ମାନୁଫାକ୍ଚରିଂ ହବ୍ କରିବା ପାଇଁ ଆମେ ବିଭିନ୍ନ ହାଇ ଭାଲ୍ୟୁ ପ୍ରଡକ୍ଟ ଉତ୍ପାଦନ ଦିଗରେ ନିବେଶକ ମାନଙ୍କୁ ଆକୃଷ୍ଟ କରୁଛୁ । ମାନୁଫାକ୍ଚରିଂ ଭାଲ୍ୟୁ ଚେନ୍ରେ ଆହୁରି ଉପରକୁ ଉଠି ସାରା ବିଶ୍ୱର ବଜାରରେ କମ୍ପିଟ୍ କରି ପାରୁଥିବା ଭଳି ପ୍ରଡକ୍ଟ ନିର୍ମାଣ କରୁଛୁ। ଆମ ସରକାର ମାତ୍ର ୧୫ ମାସ ହେବ ଓଡିଶାର ଶାସନ ଦାୟିତ୍ୱ ନେଇଛନ୍ତି । ଏହି ଅଳ୍ପ ସମୟ ମଧ୍ୟରେ ଆମ ସରକାର ୨୬୦ ଟି ଶିଳ୍ପ ପ୍ରକଳ୍ପ ମଞ୍ଜୁର କରିଛନ୍ତି, ଯାହାଦ୍ୱାରା ୫.୬ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ଆସିବା ସହିତ ୩.୬ ଲକ୍ଷ ନିଯୁକ୍ତି ସମ୍ଭାବନା ସୃଷ୍ଟି ହୋଇଛି । ଏହି ସମୟ ମଧ୍ୟରେ ଆମେ ୮୪ ଟି ଶିଳ୍ପ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛୁ । ଏହା ଦ୍ୱାରା ଓଡ଼ିଶାରେ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ନିବେଶ ହୋଇପାରିଛି, ଏବଂ ୧ ଲକ୍ଷ ୬୪ ହଜାର ନିଯୁକ୍ତି ସୃଷ୍ଟି କରାଯାଇପାରିଛି ।
ଶିଳ୍ପପତି ମାନଙ୍କୁ ଭରଷା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାରେ ଶିଳ୍ପ ସ୍ଥାପନ ପାଇଁ ଉପଯୁକ୍ତ ନୀତି ସହିତ ପ୍ରତ୍ୟେକ କ୍ଷେତ୍ରକୁ ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ରଦାନ କରାଯାଉଛି । ସରକାରୀ ବ୍ୟବସ୍ଥାରେ ବ୍ୟୁରୋକ୍ରାଟିକ୍ ପ୍ରତିବନ୍ଧକକୁ ହଟାଯାଇଛି । ଶିଳ୍ପ ପ୍ରତିଷ୍ଠାର ଯାତ୍ରାରେ, ଶିଳ୍ପପତି ମାନଙ୍କୁ ସହଯୋଗର ହାତ ବଢାଇବା ପାଇଁ, ଆମେ ସବୁ ସମୟରେ ଉପସ୍ଥିତ ଅଛୁ । ଯେକୌଣସି ଅସୁବିଧାରେ ଶିଳ୍ପପତି ମାନଙ୍କ ସମସ୍ୟା ଦୂର କରିବା ପାଇଁ ଆମେ ଆମ ସରକାର ପ୍ରସ୍ତୁତ ଅଛନ୍ତି । ଏକ୍ ପେଡ ମା କି ନାମ୍ ୨.୦ ଅଭିଯାନକୁ ସଫଳ କରିବା ପାଇଁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ସମସ୍ତ ଉଦ୍ୟୋଗୀ ତଥା ଶିଳ୍ପାନୁଷ୍ଠାନ ଗୁଡିକ ନିଜ ନିଜ ଅଂଚଳରେ ଯେତେ ଅଧିକ ସମ୍ଭବ ଚାରା ରୋପଣ କରନ୍ତୁ । ବିକାଶ ଓ ପରିବେଶ ପରସ୍ପରର ପରିପୁରକ ହୋଇ କାର୍ଯ୍ୟ କରିବା ଉଚିତ। ଆଗାମୀ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ୭୫ତମ ଜନ୍ମଦିବସ ପାଳନ ହେବ। ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାକୁ ସମ୍ମାନ ଜଣାଇ, ତାଙ୍କ ପ୍ରତି ଏକ ଉପହାର ସ୍ୱରୂପ, ଓଡ଼ିଶାବାସୀ ସେହି ଗୋଟିଏ ଦିନରେ ୭୫ ଲକ୍ଷ ଗଛ ଲଗେଇବା ପାଇଁ ନିଷ୍ପତ୍ତି କରିଛନ୍ତି। ଏହି ଅଭିଯାନରେ ଶିଳ୍ପସଂସ୍ଥା ମାନଙ୍କୁ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନୂତନ ଭାବେ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିବା ଶିଳ୍ପପତିମାନଙ୍କୁ ସମ୍ବର୍ଦ୍ଧିତ କରିବା ସହ ଗଞ୍ଜାମ, ଖୋର୍ଦ୍ଧା, ଝାରସୁଗୁଡା, କୋରାପୁଟ ଓ ଅନୁଗୋଳ ଠାରେ ଆଭାସୀ ମାଧ୍ୟମରେ ସେ ଅଞ୍ଚଳରେ କାର୍ଯ୍ୟକାରୀ ହେବାକୁଥିବା ଶିଳ୍ପପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ଶିଳ୍ପମନ୍ତ୍ରୀ କହିଥିଲେ ସୁଦକ୍ଷ ପ୍ରଶାସନିକ ବ୍ୟବସ୍ଥା ଏବଂ ଶିଳ୍ପ ଅନୁକୂଳ ପରିବେଶ ହିଁ ଆଜି ଓଡିଶାକୁ ଶିଳ୍ପ ସମୃଦ୍ଧ ଭାବେ ଏକ ପ୍ରମୁଖ ସମ୍ଭାବନାର ରାଜ୍ୟ ଭାବେ ଗଢିତୋଳିବା ପାଇଁ ସକ୍ଷମ ହୋଇଛି।