ଭୁବନେଶ୍ୱର:20/9-ଲୋକସେବା ଭବନର ନବକଳେବର ହେବ। ନୂଆ ଲୋକସେବା ଭବନ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏହାର ନୂତନ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ କରିବାକୁ ଓଡ଼ିଶା ସେତୁ ଓ ନିର୍ମାଣ ନିଗମକୁ ନିର୍ଦ୍ଦେଶଦିଆଯାଇଛି । ରାଜୀବ ଭବନ, ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ, ଖାରବେଳ ଭବନ ଓ କୃଷି ଭବନ ଆଦି ଅଂଚଳକୁ ମିଶାଇ ଏହି ନୂଆ ଲୋକସେବା ଭବନ କଂପ୍ଲେକ୍ସ କରାଯିବ।

ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଧାନସଭାରେ ଏ ସମ୍ପର୍କରେ ବିଧାୟିକା ସୁବାସିନୀ ଜେନାଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ଯେ ନୂଆ ଲୋକସେବା ଭବନର ମାଷ୍ଟର ପ୍ଲାନ ଅନୁମୋଦନ ହେଲା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ। ବ୍ୟୟ ଅଟକଳ ହେବ ଏବଂ ତାହା ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ। ଏବେର ଲୋକସେବା ଭବନ କୋଠା ୬୮ବର୍ଷ ପୁରୁଣା। ଏହା ପରିସରରେ ପାର୍କିଂ ସମସ୍ୟା ଗୁରୁତର ହେଉଛି।
ଏହି କଂପ୍ଲେକ୍ସରେ ଅତ୍ୟାଧୁନିକ ପାର୍କିଂ ସହ ଡିପାର୍ଟମେଂଟାଲ ଷ୍ଟୋର ରହିବ। ଏହି ସମଗ୍ର ଅଂଚଳକୁ ସୌରଶକ୍ତି ଚାଳିତ କରିବାକୁ ମଧ୍ୟ ମାଷ୍ଟର ପ୍ଲାନରେ ଗୁରୁତ୍ୱ ଦିଆଯାଇଛି । ସବୁଜ ଭବନ ନୀତି ଅନୁଯାୟୀ ଇନର୍ଜି ସଂଚୟ ଏବଂ ପରିବେଶ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଛି। ୬୮ବର୍ଷ ପୁରୁଣା ରାଜ୍ୟ ସଚିବାଳୟର ନାମ ପରିବର୍ତ୍ତନ କରି ବିଜେଡି ସରକାର ୨୦୧୯ ଜୁଲାଇ ୨୯ତାରିଖରେ ଲୋକସେବା ଭବନ ନାଁ ଦେଇଥିଲେ। କିଛି ବିଭାଗକୁ ନବନିର୍ମିତ ଖାରବେଳ ଭବନକୁ ମଧ୍ୟ ସ୍ଥାନାନ୍ତର କରାଯାଇଥିଲା।