
ଭୁବନେଶ୍ୱର:୧୫/୧୨-ରାଜ୍ୟ ଆରକ୍ଷୀ ମହା ନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଓଡ଼ିଶା ପୁଲିସର ଲୋକସେବା ଓ ପାରଦର୍ଶିତାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏକ ନୂତନ ୱେବସାଇଟ୍କୁ ଲୋକାର୍ପିତ କରିଛନ୍ତି। ରାଜ୍ୟ ପୁଲିସ ମୁଖ୍ୟାଳୟଠାରେ ଆୟୋଜିତ ହୋଇଥିବା ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ପ୍ରସ୍ତୁତ ହୋଇଥିବା ଏହି ୱେବସାଇଟ୍କୁ ଡିଜିପି ଉନ୍ମୋଚନ କରିଥିଲେ। ଆଗାମୀ ଦିନରେ ସାଧାରଣ ବ୍ୟକ୍ତି ବିଶେଷଙ୍କ ନିମନ୍ତେ ଏହି ୱେବ ସାଇଟ୍ଟି ବହୁ ଉପଯୋଗୀ ହେବ ଏବଂ ଏହା ମାଧ୍ୟମରେ ଲୋକମାନେ ପୁଲିସ ବିଭାଗର ବହୁ ଗୁରୁତ୍ୱପୂର୍ଣ୍ଣ ସୂଚନା ପାଇପାରିବେ ବୋଲି ସେ ମତପ୍ରକାଶ କରିଛନ୍ତି।
ନୂତନ ୱେବସାଇଟ୍ରେ ସାଧାରଣ ନାଗରିକଙ୍କ ପାଇଁ ବିଭିନ୍ନ ଅନଲାଇନ୍ ସେବା, ପୁଲିସ ସୂଚନା, ନୋଟିସ୍, ପ୍ରେସ୍ ବିଜ୍ଞପ୍ତି, ନିଯୁକ୍ତି ସମ୍ବନ୍ଧୀୟ ତଥ୍ୟ, ଟ୍ରାଫିକ୍ ଓ ସୁରକ୍ଷା ସଚେତନତା, ନାଗରିକ ସେବା, ଅପରାଧ ନିରୋଧକ ପଦକ୍ଷେପ, ଗୁରୁତ୍ୱପୂର୍ଣ୍ଣ ସୂଚନା, ଆଇନଗତ ବ୍ୟବସ୍ଥା, ବାର୍ତ୍ତା ଭଳି ସୂଚନା ଉପଲବ୍ଧ ରହିଛି। ଏହି ନୂତନ ୱେବସାଇଟ୍ ଓଡ଼ିଶା ପୁଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ଯୋଗାଯୋଗକୁ ଆହୁରି ସୁଦୃଢ଼ କରିବ। ଏହି ଓଡ଼ିଆ ଓ ଇଂରାଜୀ ୱେବସାଇଟ୍ ସାଧାରଣ ଜନତାଙ୍କୁ ସହଜ, ସୁବିଧାଜନକ ଓ ଯଥା ଶୀଘ୍ର ପୁଲିସ ସମ୍ପର୍କିତ ସୂଚନା ଓ ସେବା ଦେଇପାରିବେ। ସାଧାରଣ ଲୋକମାନେ କମ୍ପ୍ୟୁଟର, ଲାପଟପ, ମୋବାଇଲ ଆପ ଜରିଆରେ ଏହି ୱେବ ସାଇଟ୍କୁ ଖୋଲି ବିଭିନ୍ନ ସୂଚନା ପାଇପାରିବେ।