ଭୁବନେଶ୍ୱର:6/2- କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣା ଓ ଏହାର ପରବର୍ତ୍ତୀ ସମସ୍ୟାକୁ ନେଇ ଜାତୀୟ ମାନବାଧିକାର କମିସନ ତଦନ୍ତ ଆରମ୍ଭ କରିଛନ୍ତି। ଯୋଗୀନ୍ଦର ସିଂଙ୍କ ନେତୃତ୍ୱରେ କମିସନଙ୍କ ଦୁଇ ଜଣ ପ୍ରତିନିଧି ବିଶ୍ୱବିଦ୍ୟାଳୟକୁ ଆସି ମାମଲାର ତଦାରଖ କରୁଛନ୍ତି। ପ୍ରଥମ ଦିନରେ ସେମାନେ କିଛି ବରିଷ୍ଠ ଅଧିକାରୀଙ୍କୁ ପଚରାଉଚୁରା କରିଛନ୍ତି। ଆସନ୍ତା ୧୦ ତାରିଖରେ ସେମାନେ ତଦନ୍ତ ରିପୋର୍ଟ ପ୍ରଦାନ କରିବେ।

ଦିଲ୍ଲୀରୁ ଆସିଥିବା ଦୁଇଜଣିଆ ଟିମ୍ ସକାଳେ ଭୁବନେଶ୍ୱର ବିମାନବନ୍ଦରରୁ ସିଧା କିଟ୍ କ୍ୟାମ୍ପସକୁ ଆସିଥିଲେ। ନେପାଳୀ ଛାତ୍ରୀ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ପ୍ରଥମେ ତାର ତଥ୍ୟ ସଂଗ୍ରହ କରିଥିଲେ। ଆତ୍ମହତ୍ୟାର ସବୁ ଦିଗକୁ ଏହି ଟିମ୍ ଅନୁଧ୍ୟାନ କରିବ ସହ ନେପାଳୀ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର ଏବଂ ମାଡ଼ ମାରି ବିଶ୍ୱବିଦ୍ୟାଳୟରୁ ତଡ଼ି ଦିଆଯିବା ଘଟଣାକୁ ସେମାନେ ଅଧିକ ଗୁରୁତ୍ୱ ଦେଇ ତଦନ୍ତ ଚଳାଇଛନ୍ତି। ସୂଚନାଯୋଗ୍ୟଯେ ଫେବୃଆରୀ ୧୬ ତାରିଖ ସଂଧ୍ୟାରେ କିଟ୍ ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷର ବି.ଟେକ୍ ଛାତ୍ରୀ ପ୍ରକୃତି ଲାମସାଲ୍ ଆତ୍ମହତ୍ୟା କରିଥିଲେ। ତାଙ୍କର ସହପାଠୀ ପୁରୁଷ ବନ୍ଧୁଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା।
ଏହି ଘଟଣାରେ ପ୍ରତିକ୍ରିୟାଶୀଳ ଶତାଧିକ ନେପାଳୀ ଛାତ୍ରଛାତ୍ରୀ କ୍ୟାମ୍ପସରେ ଭଙ୍ଗାରୁଜା କରିଥିଲେ। ସେମାନଙ୍କୁ ଶାନ୍ତ କରାଇବାରେ ବିଫଳ ମହିଳା ହଷ୍ଟେଲର ଦୁଇ ଅଧିକାରୀ ଜୟନ୍ତୀ ନାଥ ଏବଂ ମଞ୍ଜୁଶା ପାଣ୍ଡେ ପ୍ରତିହିଂସାପରାୟଣ ହୋଇ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ। ସୁରକ୍ଷା କର୍ମୀମାନେ ଗୁଣ୍ଡା ଭଳି ନେପାଳୀ ଛାତ୍ରଛାତ୍ରୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିବା ଭଳି ଅତ୍ୟନ୍ତ ଅମାନବୀୟ ଘଟଣା ଦେଖିବାକୁ ମିଳିଥିଲା।
ନେପାଳୀ ଛାତ୍ରଛାତ୍ରୀଙ୍କ ପାଇଁ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଘୋଷଣା କରାଯାଇ ତୁରନ୍ତ ହଷ୍ଟେଲ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଗଲା ଏବଂ ଦୁଇଟି ବସରେ ବସାଇ କଟକ ରେଳଷ୍ଟେସନରେ ଛାଡ଼ି ଦିଆଗଲା। ଏହାକୁ ନେଇ ଦେଶ ବ୍ୟାପି ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଥିଲା। କିଟ୍ କର୍ତ୍ତୃପକ୍ଷ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହଟାଇ ନେପାଳୀ ଛାତ୍ରଛାତ୍ରୀଙ୍କୁ ବିଶ୍ୱବିଦ୍ୟାଳୟ ଫେରାଇ ଆଣିବା ପାଇଁ ସବୁପ୍ରକାର ପଦକ୍ଷେପ ନେଇଥିଲେ। ସେମାନଙ୍କୁ ମାଡ଼ ମାରିଥିବା ଦୁଇ ସୁରକ୍ଷା ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିଥିଲେ। ର୍ଦୁବ୍ୟବହାର କରିଥିବା ହଷ୍ଟେଲର ଦୁଇ ଅଧିକାରୀ ଜୟନ୍ତୀ ନାଥ ଏବଂ ମଞ୍ଜୁଶା ପାଣ୍ଡେଙ୍କ ସମେତ ଅନ୍ତର୍ଜାତୀୟ ଲୋକସମ୍ପର୍କ ଅଫିସର ପ୍ରଶାସନିକ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ।
ସମୁଦାୟ ଘଟଣାକୁ ଅପ୍ରତ୍ୟାଶିତ କହି ବିଶ୍ୱବିଦ୍ୟାଳୟର କୁଳପତି ଦୁଃଖ ପ୍ରକାଶ କରିବା ସହ କ୍ଷମା ପ୍ରାର୍ଥନା କରିଥିଲେ। କିଟ୍ ଘଟଣାରେ ଅଭିଯୁକ୍ତ ଛାତ୍ରଙ୍କ ସମେତ ୧୦ ଜଣ ଗିରଫ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଜାମିନ୍ ମିଳିଛି। ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରି ମାମଲାର ତଦନ୍ତ କରୁଛନ୍ତି । କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍ ସିଂଙ୍କ ସମେତ ୧୦ରୁ ଅଧିକ ଅଧିକାରୀଙ୍କୁ ଇତିମଧ୍ୟରେ ପଚରାଉଚୁରା ସରିଲାଣି। ଫଳାଫଳକୁ ସମସ୍ତେ ଅପେକ୍ଷା କରିଛନ୍ତି।