-ନିର୍ବାଚନ ସବୁବେଳେ ଉତ୍କଣ୍ଠାର ବିଷୟ ଥାଏ, ସବୁ ନିର୍ବାଚନର ନିଜସ୍ୱ ଚରିତ୍ର ଅଛି
-ଗତ ନିର୍ବାଚନରେ ଓଡ଼ିଆ ଲୋକମାନଙ୍କର ବିଜୟ ହୋଇଛି
-ଓଡ଼ିଆ ଲୋକମାନଙ୍କ ନିର୍ଣ୍ଣୟ ପାଇଁ ବିଜେପିର ବିଜୟ ହୋଇଛି
-ପୁସ୍ତକଟି ଅଧିକରୁ ଅଧିକ ଲୋକାଦୃତ ହେଉ, ଏହା ପ୍ରଭୁଙ୍କ ପାଖରେ କାମନା
ଭୁବନେଶ୍ୱର, ମାର୍ଚ୍ଚ ୦୭ – କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଭୁବନେଶ୍ୱର ଠାରେ ସାମ୍ବାଦିକ ତଥା ଲେଖକ ଚୌଧୁରୀ ଅମିତାଭ ଦାସଙ୍କ ଦ୍ୱାରା ଲିଖିତ “ନିର୍ବାଚନ ୨୦୨୪ – ଓଡ଼ିଶା ରାଜନୀତିର କଡ଼ ଲେଉଟାଣି” ପୁସ୍ତକ ଉନ୍ମୋଚନ କରିବା ସହ ଲୋକାର୍ପିତ ପୁସ୍ତକ ଓଡ଼ିଆ ସାମାଜିକ ଜୀବନରେ ପ୍ରେରକ ହେବ ବୋଲି କହିଛନ୍ତି।

ସେ କହିଛନ୍ତି, ୨୦୨୪ ନିର୍ବାଚନର ଟିକିନିଖି ବିବରଣୀକୁ ଏହି ପୁସ୍ତକରେ ସ୍ଥାନ ଦିଆଯାଇଛି। ପୁସ୍ତକଟି ତଥ୍ୟ ଭିତ୍ତି । ଅନେକ ଅକୁହା ଓ ସାର୍ବଜନୀନ କଥା ଏଥିରେ ଉଲ୍ଲେଖ ଅଛି। ଅନେକ ରାଜ୍ୟରେ ନିର୍ବାଚନ ଶେଷ ହେବା ଉପରାନ୍ତେ ପ୍ରବୀଣ ସାମ୍ବାଦିକମାନେ ନିର୍ବାଚନକୁ ନେଇ ପୁସ୍ତକ ଲେଖନ୍ତି। ଓଡ଼ିଶାରେ ମଧ୍ୟ ଆଜି ସେଭଳି ଜାତୀୟସ୍ତରର ପୁସ୍ତକ ଉନ୍ମୋଚନ ହେବା ଖୁସିର ବିଷୟ। ଆଜି ଏଭଳି ବିଷୟକୁ ତଥ୍ୟ ଆଧାରିତ ପୁସ୍ତକର ରୂପ ଦେଇଥିବାରୁ ଲେଖକ ଏବଂ ପ୍ରକାଶନ ସଂସ୍ଥାକୁ ସେ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଗଣତନ୍ତ୍ରରେ ଭିନ୍ନ ମତକୁ ସମ୍ମାନ ଦେବା ଦରକାର।
ସେ କହିଛନ୍ତି, ନିର୍ବାଚନ ସବୁବେଳେ ଉତ୍କଣ୍ଠାର ବିଷୟ ଥାଏ। ନୂଆ ନୂଆ ଚରିତ୍ର ସହ ଯୋଡି ହୋଇଥାଏ। ସବୁ ସମୟରେ ସବୁ ନିର୍ବାଚନର ନିଜସ୍ୱ ଚରିତ୍ର ଅଛି। ସବୁ ନିର୍ବାଚନର ପ୍ରସଙ୍ଗ, ପ୍ରଚାର ଶୈଳୀ ଭିନ୍ନ ଥାଏ ଏବଂ ଅନେକ ସମୟରେ ନୂଆ ନୂଆ ବିଷୟର ଅଭ୍ୟୁଦୋୟ ମଧ୍ୟ ହୋଇଥାଏ। ଓଡ଼ିଶା ନିର୍ବାଚନ ସମ୍ପର୍କରେ ସମ୍ପର୍କିତ ପୁସ୍ତକ ଭବିଷ୍ୟତର ପିଢି ତଥା ଆଗାମୀ ପିଢିର ଜନପ୍ରତିନିଧିମାନଙ୍କୁ ଅନୁପ୍ରାଣିତ କରିବ। ଏହ ବହି ଆଗାମୀ ଦିନରେ ଓଡ଼ିଶାର ସାମାଜିକ ଜୀବନକୁ ସ୍ୱଚ୍ଛ କରିବା ପାଇଁ ନିଶ୍ଚିତ ଭାବରେ ସହାୟକ ହେବ। ପୁସ୍ତକଟି ଅଧିକରୁ ଅଧିକ ଲୋକାଦୃତ ହେଉ, ଏହା ପ୍ରଭୁଙ୍କ ପାଖରେ କାମନା।

ଯେଉଁ ଜାତିର ନିଜସ୍ୱ ପରିଚୟ ଅଛି, ଅଭିମାନ ଅଛି, ସେହି ଜାତିର ଉନ୍ନତି ଏବଂ ଗାରିମା ଅକ୍ଷୁର୍ଣ୍ଣ ରଖିବା ପାଇଁ ଦଳ, ମତ, ବିଚାର ନିର୍ବିଶେଷରେ ସମସ୍ତ ରାଜନୈତିକ ନେତୃତ୍ୱ ଏକାଠି ହେବା ଦରକାର। ଗତ ନିର୍ବାଚନରେ ଓଡ଼ିଆ ଲୋକମାନଙ୍କର ବିଜୟ ହୋଇଛି। ଓଡ଼ିଆ ଲୋକମାନେ ସ୍ୱାଭିମାନୀ। ସେମାନଙ୍କ ଭିତରେ ସହିବାର ଗୋଟିଏ ସୀମା ଅଛି। ଏଥର ଓଡ଼ିଆ ଲୋକମାନଙ୍କ ନିର୍ଣ୍ଣୟ ପାଇଁ ବିଜେପିର ବିଜୟ ହୋଇଛି। ବିଜେପି ସରକାରକୁ ଆସିଛି। ସରକାର ଗଠନ ହେବା ପରେ ସୁଭଦ୍ରା ଭଳି ଯୋଜନାରେ ୧ କୋଟି ହିତାଧିକାରୀ ଯୋଡି ହୋଇଛନ୍ତି।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ଅନ୍ୟତମ ସମ୍ମାନିତ ଅତିଥି ଭାବେ ସମ୍ବାଦର ସମ୍ପାଦିକା ତନୟା ପଟ୍ଟନାୟକ ଓ ପ୍ରକାଶକ ଶୁଭ୍ରାଂଶୁ ପଣ୍ଡା ଉପସ୍ଥିତ ଥିଲେ।