-ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ 1977-81 ବ୍ୟାଚ ସହପାଠୀଙ୍କ ବନ୍ଧୁମିଳନ
-ଅକ୍ଷର କୀର୍ତ୍ତି ବଜାୟ ରଖ

ଭୁବନେଶ୍ୱର:୧୨/୧-ଭୁବନେଶ୍ୱର ଶ୍ରୀ ଅଭିରାମ ପରମହଂସ ଶାନ୍ତି ଆଶ୍ରମରେ ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ୧୯୭୭-୮୧ ବ୍ୟାଚର ସହପାଠୀମାନଙ୍କ ବନ୍ଧୁମିଳନ ପର୍ବ ସମସ୍ତଙ୍କ ଭାବାବେଗକୁ ନୂଆ ଦିଗଦର୍ଶନ ଦେଇଛି।ସହପାଠୀଙ୍କ ଏହି ମିଳନ ମଞ୍ଚ ତିନିଜଣ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିବା ପରି ଏକ ପରମ୍ପରା ସୃଷ୍ଟି କରିଥିବା ଉପସ୍ଥିତ ଅତିଥି ଏବଂ ପ୍ରାକ୍ତନ ଅଧ୍ୟାପକମାନେ ପ୍ରକାଶ କରିଛନ୍ତି।

୫୦ବର୍ଷ ଭିତରେ ଛାତ୍ରମାନେ ଗୁରୁଙ୍କୁ ସମ୍ବର୍ଦ୍ଧିତ କରିବା ଜୀବନର ଅଦ୍ଭୁତ ଅଭିଜ୍ଞତା ବୋଲି କହିଛନ୍ତି କଲେଜର ପୂର୍ବତନ ଅଧ୍ୟାପକ ସୁକଲ୍ୟାଣ ପାଣିଗ୍ରାହୀ। ମହାବିଦ୍ୟାଳୟର ବିକାଶ କାର୍ଯ୍ୟରେ ଗଠନମୂଳକ ସହଯୋଗ କରିବାକୁ ‘ନିର୍ମାଲ୍ୟ’ ନାମରେ ନାମିତ ଏହି ବ୍ୟାଚର ସହପାଠୀମାନଙ୍କୁ ସେ ପରାମର୍ଶ ଦେଇଥିଲେ।

ସମ୍ବର୍ଦ୍ଧିତ ଅନ୍ୟତମ ଅଧ୍ୟାପକ ମିହିର କୁମାର ରାୟ ଏକ ସ୍ମରଣିକା ପ୍ରକାଶନ ଉପରେ ଗୁରୁତ୍ୱ ଦେଇଥିଲେ। ପୂର୍ବତନ ଅଧ୍ୟାପକ ବିଜୟ କୁମାର ଶତପଥୀ କହିଥିଲେ ଛାତ୍ରଛାତ୍ରୀମାନେ ଯେତେବେଳେ ଶିକ୍ଷକଙ୍କୁ ବିଭିନ୍ନ କାର୍ଯ୍ୟରେ ଟପି ଯାଆନ୍ତି ସେତେବେଳେ ଶିକ୍ଷକଙ୍କ ଶିକ୍ଷାଦାନ ସାର୍ଥକ ହୁଏ ଏବଂ ଶିକ୍ଷକ ଗର୍ବ ଅନୁଭବ କରନ୍ତି। ଛାତ୍ରଛାତ୍ରୀଙ୍କ ଅନେକ ପୁସ୍ତକ ପ୍ରକାଶ ପାଇଥିବା ପ୍ରକାଶ କରି ସେ ବେଶ ଆନନ୍ଦିତ ହୋଇଥିଲେ। ଅକ୍ଷର କୀର୍ତ୍ତି ବଜାୟ ରଖିବାକୁ ସେ ଲେଖକ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ।

ଅଧ୍ୟାପକଙ୍କ ବ୍ୟତୀତ ଦୁଇଜଣ ପୂର୍ବତନ କୃତି ଛାତ୍ରଙ୍କୁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ମିଳନୀ ପ୍ରାରମ୍ଭରେ ସହପାଠୀମାନେ ଇତିମଧ୍ୟରେ ଇହଲୀଳା ସମ୍ବରଣ କରିଥିବା ୨୮ଜଣ ବନ୍ଧୁଙ୍କ ପାଇଁ ଶୋକ ପ୍ରସ୍ତାବ ଆଣି ପରଲୋକଗତ ଆତ୍ମାର ସଦ୍ଗତି କାମନା କରିଥିଲେ।

ବନ୍ଧୁମିଳନରେ ଏହି ବ୍ୟାଚର ୫୭ଜଣ ଉପସ୍ଥିତ ଥିଲେ। ସମାବେଶରେ ରାଜ୍ୟରେ ଲେଖକ ଭାବେ ପ୍ରତିଷ୍ଠା ଅର୍ଜନ କରିଥିବା ୭ଜଣ ମିନି କବିତା ଓ ଗଳ୍ପ ପାଠ କରିଥିଲେ। ମଦନମୋହନ ମହାପାତ୍ର ଓ ସଂଯୁକ୍ତା ଷଡ଼ଙ୍ଗୀଙ୍କ ତିନିଟି ପୁସ୍ତକ ଉନ୍ମୋଚିତ ହୋଇଥିଲା। କମ୍ ସମୟରେ ପୁରୁଣା ଦିନର ସ୍ମୃତିଚାରଣ କରିବା ପାଇଁ ଏକତ୍ରିତ ସହପାଠୀମାନେ ପରସ୍ପରକୁ ଅଭିନନ୍ଦନ ଜଣେଇବା ଭଳି ଏକ ସୁନ୍ଦର ପରିବେଶ ସମସ୍ତଙ୍କୁ ବେଶ ପ୍ରଭାବିତ କରିଥିଲା।