ସମର୍ଥନ ପାଇଁ ବିଜେଡିକୁ ଅନୁରୋଧ ; ବଲ ଏବେ ବିଜେଡି କୋର୍ଟରେ
ଭୁବନେଶ୍ୱର:୧୮/୯- ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ବିଧାନସଭା ଅଧିବେଶନ ପୂର୍ବ ଦିନ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ଏବଂ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ଉପସ୍ଥିତିରେ ଅନୁଷ୍ଠିତ ବିଧାୟକ ଦଳ ବୈଠକରେ ଦଳ ଚଳିତ ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ତଦନୁଯାୟୀ କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ କାଡାମଙ୍କ ନେତୃତ୍ୱରେ ବାଚସ୍ପତିଙ୍କ ଊଦ୍ଦେଶ୍ୟରେ ଅନାସ୍ଥା ପ୍ରସ୍ତାବ ନୋଟିସ ଦିଆଯାଇଛି। ରାଜ୍ୟ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପାଇଁ ପନ୍ଦର ଜଣ ବିଧାୟକଙ୍କ ସମର୍ଥନ ଥିବା ସମ୍ବଳିତ ନୋଟିସ ବାଚସ୍ପତିଙ୍କ ଊଦ୍ଦେଶ୍ୟରେ ବିଧାନସଭା ସଚିବଙ୍କୁ ପ୍ରଦାନ କରାଯାଇଛି।

ବହୁ ପୂର୍ବରୁ ଓଡିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ରାଜ୍ୟରେ ମହିଳାମାନଙ୍କ ବିରୋଧରେ ହେଊଥିବା ଅତ୍ୟାଚାର,ଗଣଧର୍ଷଣ, ହତ୍ୟା ଓ ଅନ୍ୟାନ୍ୟ ପାଶବିକ ଅତ୍ୟାଚାର ବହୁ ମାତ୍ରାରେ ବୃଦ୍ଧି ପାଉଥିଲେ ମଧ୍ୟ ସରକାର ଏଭଳି ପରିସ୍ଥିତିକୁ ଆୟତ୍ତ କରିବାରେ ବିଫଳ ହୋଇଥିବା କହିଥିଲେ । ଓଡିଶା ଆଜି ମହିଳା ଅତ୍ୟାଚାର କ୍ଷେତ୍ରରେ ଭାରତବର୍ଷରେ ପ୍ରଥମ ରାଜ୍ୟଭାବେ ସ୍ଥାନ ପାଇଛି, ଯେଉଁଠି କି ମହିଳା ଅତ୍ୟାଚାର ସର୍ବାଧିକ । ଏପରିକି ରାଜ୍ୟରେ କୌଣସି ଏକ ଜିଲ୍ଲା ନାହିଁ ଯେଉଁଠି କି ମହିଳାଙ୍କ ଉପରେ ଏଭଳି ସଙ୍ଗୀନ ଅପରାଧ ଘଟୁ ନାହିଁ । ସ୍କୁଲ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି ବୟସ୍କା ମହିଳା ଓ ଗୃହିଣୀ ମଧ୍ୟ ଏଭଳି ସଙ୍ଗୀନ ଅପରାଧର ଶିକାର ହେଊଛନ୍ତି । ଓଡିଶାରେ ମହିଳାମାନେ ସମ୍ପୂର୍ଣ୍ଣ ଭାବେ ଅସୁରକ୍ଷିତ। ତତସହିତ ରାଜ୍ୟରେ କୃଷକମାନଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ହୋଇ ପଡିଛି। ସାରର କଳା ବଜାରି ରୋକିବାରେ ସରକାର ସଂପୂର୍ଣ୍ଣ ବିଫଳ ହୋଇଛନ୍ତି। ସେହିଭଳି ଶିକ୍ଷା ଓ ସ୍ୱାସ୍ଥ୍ୟସେବା ସଂପୂର୍ଣ୍ଣ ଉଜୁଡି ଯାଇଛି। ସରକାର ପନ୍ଦର ମାସରେ ଗୋଟିଏ ବି ନିଯୁକ୍ତି ଭିତ୍ତିକ ପରୀକ୍ଷାକୁ ସୂଚାରୁ ରୂପେ କରି ପାରିଲେ ନାହିଁ। ଲକ୍ଷଲକ୍ଷ ଛାତ୍ରଛାତ୍ରୀମାନଙ୍କ ସହିତ ଏ ସରକାର ଖେଳ ଖେଳୁଛନ୍ତି। ଏ ସରକାର ଆସିବା ପରେ ବିକାଶର ନିରନ୍ତର ପ୍ରକ୍ରିୟା ସାମଗ୍ରିକଭାବେ ବିଫଳ ହୋଇଛି। ଜନତାଙ୍କୁ ଦେଇଥିବା କଥା ରକ୍ଷା କରିବାରେ ବିଫଳ ହୋଇଛି ସରକାର। ଏ ସମସ୍ତ ଘଟଣାକୁ ନେଇ କଂଗ୍ରେସ ପକ୍ଷରୁ ଅନାସ୍ଥା ପ୍ରସ୍ତାବ ଆଗତ କରିବାକୁ ନୋଟିସ ଦିଆଯାଇଛି।
ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ପିସିସି ସଭାପତି ଶ୍ରୀଦାସ ରାଜ୍ୟ ସରକାରଙ୍କ ବିଫଳତା ବିରୋଧରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବ ବୋଲି ଘୋଷଣା କରିଥିଲେ। ଶ୍ରୀ ଦାସ କହିଥିଲେ ଯେ ବିଜେଡି ଦଳ ଅନାସ୍ଥା ପ୍ରସ୍ତାବ ଆଣୁ, ଆମେ ତାହାକୁ ସମର୍ଥନ କରିବୁ। ନଚେତ ଆମେ ଅନାସ୍ଥା ପ୍ରସ୍ତାବ ଆଣିବୁ ଓ ବିଜେଡି ଉକ୍ତ ପ୍ରସ୍ତାବକୁ ସମର୍ଥନ କରୁ।