ଭୁବନେଶ୍ୱର:୮/୧୨-ବିଭିନ୍ନ ନ୍ୟାୟିକ ଦସ୍ତାବିଜକୁ ପ୍ରମାଣିକୃତ ଓ ବୈଧ କରିବା କ୍ଷେତ୍ରରେ ନୋଟାରୀମାନେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛନ୍ତି। ତେଣୁ ନୋଟାରୀ ମ୍ୟାନେଜମେଣ୍ଟ ସିଷ୍ଟମକୁ ସହଜ ଓ ସରଳ କରିବା କ୍ଷେତ୍ରରେ ନୋଟାରୀ ଅଟୋମେସନ ପୋର୍ଟାଲ ବେଶ ଉପଯୋଗୀ ସାବ୍ୟସ୍ତ ହେବ ବୋଲି ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମତବ୍ୟକ୍ତ କରିଛନ୍ତି।
ଆଇନ ବିଭାଗ ପକ୍ଷରୁ ଲୋକସେବା ଭବନସ୍ଥିତ କନ୍ଭେନ୍ସନ୍ ହଲ ପରିସରରେ ନୋଟାରୀ ଅଟୋମେସନ୍ ପୋର୍ଟାଲକୁ ଉଦ୍ଘାଟନ କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଯେ ଏହି ପୋର୍ଟାଲରେ ନୋଟାରୀମାନଙ୍କର ନୂତନ ନିଯୁକ୍ତି, ପଞ୍ଜିକରଣ, ଦୈନିକ ଡକୁମେଣ୍ଟ ଅପ୍ଲୋଡ଼୍, କାର୍ଯ୍ୟ ବିବରଣୀ ଭଳି କାର୍ଯ୍ୟ ଅନ୍ଲାଇନ୍ରେ ସମ୍ଭବ ହୋଇପାରିବ। ଫଳରେ ସମୟ ବଞ୍ଚିବା ସହିତ ଆଇନ ପ୍ରକ୍ରିୟାରେ ସ୍ୱଚ୍ଛତା ଆସିପାରିବ।

ଏହି ଅବସରରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ସହକାରୀ ନିର୍ଦ୍ଦେଶକ, ଆଇନଙ୍କ ବିଭାଗୱାରୀ କାର୍ଯ୍ୟର ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଥିଲେ ଯେ ରାଜ୍ୟ ସରକାରଙ୍କୁ ଆଇନଗତ ପରାମର୍ଶ ଦେବା ଏବଂ ଚାଲିଥିବା ମାମଲା ପରିଚାଳନା କ୍ଷେତ୍ରରେ ସହକାରୀ ନିର୍ଦ୍ଦେଶକମାନେ ନିଜର ଦାୟିତ୍ୱ ନିର୍ବାହ କରିଆସୁଛନ୍ତି। ଏହି ଅଧିକାରୀମାନେ ହେଲେ ରାଜ୍ୟ ସରକାରଙ୍କ ପ୍ରମୁଖ ଅଙ୍ଗ ସଦୃଶ। ତେଣୁ ଏହି ଅଙ୍ଗଗୁଡ଼ିକର ସକ୍ରିୟତା ସରକାର ଓ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବ। ତେଣୁ, କାର୍ଯ୍ୟରତ ସହକାରୀ ନିର୍ଦ୍ଦେଶକ, ଆଇନ ମାନେ ବିଭିନ୍ନ ମାମଲା, ବିଶେଷ କରି ପୁରୁଣା ମାମଲାଗୁଡ଼ିକର ଭଲ ଭାବେ ତର୍ଜମା କରି ବିଭାଗକୁ ସଠିକ୍ ପରାମର୍ଶ ଦେବା ଉପରେ ମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏଥି ସହିତ ଅଧିକାରୀମାନଙ୍କ ନିୟମିତ ତାଲିମ ଓ କାର୍ଯ୍ୟଦକ୍ଷତା ବୃଦ୍ଧି ଉପରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଗୁରୁତ୍ୱ ଦେଇଥିଲେ।
ସେହିପରି ବିଭାଗୀୟ ପ୍ରମୁଖ ଶାସନ ସଚିବ ପବିତ୍ର ମୋହନ ସାମଲ ସବୁ ବିଭାଗରେ ପଡ଼ିଥିବା ମାମଲା ଏବଂ ଏହାର ସ୍ଥିତି ବାବଦରେ ସହକାରୀ ନିର୍ଦ୍ଦେଶକ ମାନଙ୍କ ଠାରୁ ତଥ୍ୟ ମାଗିବା ସହ ମଧ୍ୟସ୍ଥତା ଆଇନର ବ୍ୟବହାର ଏବଂ କାର୍ଯ୍ୟଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ୱତନ୍ତ୍ର ଶାସନ ସଚିବ ପ୍ରଣବ କୁମାର ପାତ୍ର ଓ ଭଗବାନ ପ୍ରସାଦ ସାହୁ, ଅତିରିକ୍ତ ଶାସନ ସଚିବ ଶିବପ୍ରସାଦ ମହାପାତ୍ର ଓ ଅରୁଣ କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗରେ କାର୍ଯ୍ୟରତ ସହକାରୀ ନିର୍ଦ୍ଦେଶକ, ଆଇନ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଏଠାରେ ସୂଚନାଯୋଗ୍ୟ ଯେ ନୋଟାରୀ ରୁଲ୍ ୧୯୫୬ରେ ସଂପ୍ରତି ହୋଇଥିବା ସଂଶୋଧନକୁ ଆଧାର କରି ନୋଟାରୀ ସେବାକୁ ସହଜ ଓ ସରଳ କରିବା ଲକ୍ଷ୍ୟରେ ବିଭାଗ ପକ୍ଷରୁ ଓକାକ୍ ସହାୟତାରେ ଏହି ପୋର୍ଟାଲ ବିକଶିତ କରାଯାଇଛି। ଏହି ନୋଟାରୀ ଅଟୋମେସନ୍ ପୋର୍ଟାଲ କାର୍ଯ୍ୟକ୍ଷମ ହେବା ପରେ ଓକିଲ ଓ ସାଧାରଣ ଜନତାଙ୍କ ପାଇଁ ସେବାଗୁଡ଼ିକ ଆହୁରି ସୁବିଧାଜନକ ହୋଇପାରିବ । ଏହି ପୋର୍ଟାଲରେ ନୋଟାରୀମାନେ ନିୟମିତ ଭାବେ ନିଜ କାର୍ଯ୍ୟ ସମ୍ପର୍କିତ ତଥ୍ୟ ଅପ୍ଲୋଡ଼୍ କରିବେ ଏବଂ ଏହା ପ୍ରକ୍ରିୟାଗତ ସ୍ୱଚ୍ଛତାକୁ ସୁନିଶ୍ଚିତ କରିବା ସହ ଦୁର୍ନୀତି ଓ ଠକାମିର ସମ୍ଭାବନା ହ୍ରାସ କରିବ।