
ଭୁବନେଶ୍ୱର:6/10-ଭାରତ ନିର୍ବାଚନ ଆୟୋଗ ଅକ୍ଟୋବର ୬ରେ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଓଡ଼ିଶାର ୭୧-ନୂଆପଡ଼ା ନିର୍ବାଚନମଣ୍ଡଳୀ ପାଇଁ ଉପ-ନିର୍ବାଚନ ଘୋଷଣା କରିଛନ୍ତି। ଏଥିସହ ୭୧- ନୂଆପଡ଼ା ନିର୍ବାଚନମଣ୍ଡଳୀ ପାଇଁ ଉପ-ନିର୍ବାଚନ ତାରିଖ ଘୋଷଣା ସହିତ ୬ ତାରିଖରୁ ସମଗ୍ର ନୂଆପଡ଼ା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି। ଏହା ଜିଲ୍ଲାରେ ଅବସ୍ଥିତ କେନ୍ଦ୍ର ସରକାରୀ ଏଜେନ୍ସି / ପି.ଏସ.ୟୁ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ।
ଉପ ନିର୍ବାଚନ କାର୍ଯ୍ୟସୂଚୀ-
୧୩.୧୦.୨୦୨୫(ସୋମବାର) ଗେଜେଟ ବିଜ୍ଞପ୍ତି ଜାରି ହେବ। ୨୦.୧୦.୨୦୨୫(ସୋମବାର) ନାମାଙ୍କନ ଦାଖଲର ଶେଷ ତାରିଖ। ୨୨.୧୦.୨୦୨୫ (ବୁଧବାର) ନାମାଙ୍କନ ଯାଞ୍ଚ।୨୪.୧୦.୨୦୨୫ (ଶୁକ୍ରବାର) ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ। ୧୧.୧୧.୨୦୨୫ (ମଙ୍ଗଳବାର) ଭୋଟ ଗ୍ରହଣ। ୧୪.୧୧.୨୦୨୫ (ଶୁକ୍ରବାର) ଭୋଟ ଗଣନା ୧୬.୧୧.୨୦୨୫(ରବିବାର) ପୂର୍ବରୁ ନିର୍ବାଚନ ସମାପ୍ତ ହେବ।
ଭୋଟର ବିବରଣୀ-
୧୫ ସେପ୍ଟେମ୍ବର ୨୦୨୫ରେ ପ୍ରକାଶିତ ଚିଠା ଭୋଟର ତାଲିକା ଅନୁସାରେ ନିର୍ବାଚନ ମଣ୍ଡଳୀରେ ୧୨୨୧୦୩ ପୁରୁଷ, ୧୨୬୧୩୨ ମହିଳା ଓ ୨୧ ଜଣ ତୃତୀୟ ଲିଙ୍ଗୀ ଏହିପରି ମୋଟ ୨୪୮୨୫୬ ଭୋଟର ଅଛନ୍ତି। ସେମାନଙ୍କ ମଧ୍ୟରେ ୨୩୪୩ ଜଣ ପୁରୁଷ ଭିନ୍ନକ୍ଷମ, ୧୬୫୭ ଜଣ ମହିଳା ଭିନ୍ନକ୍ଷମ ଭୋଟର ମୋଟ ୪ହଜାର ଭିନ୍ନକ୍ଷମ ଭୋଟର ରହିଛନ୍ତି। ୮୫ ବର୍ଷରୁ ଅଧିକ ବୟସ୍କ ୬୯୪ ପୁରୁଷ ଭୋଟର ଥିବାବେଳେ ୧୩୧୩ ଜଣ ମହିଳା ଭୋଟର ମୋଟ ୨୦୦୭ ଭୋଟର ଅଛନ୍ତି।
୪. ସ୍ଵତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-
ଜାନୁଆରୀ ୨୦୨୫ରେ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୫ ପ୍ରକାଶନ ପରେ ଏବେ ୭୧-ନୂଆପଡ଼ା ନିର୍ବାଚନମଣ୍ଡଳୀ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ଚାଲିଛି। ନିର୍ବାଚନମଣ୍ଡଳୀ ଅଞ୍ଚଳର ସମସ୍ତ ଯୋଗ୍ୟ ଭୋଟର ଯେଉଁମାନେ ୭୧-ନୂଆପଡ଼ାନିର୍ବାଚନ ମଣ୍ଡଳୀ ଇଆରଓଙ୍କ ନିକଟରେ ଭୋଟର ତାଲିକାରେ ସେମାନଙ୍କର ନାମ ଅନ୍ତର୍ଭୁକ୍ତ କରିବା ଏବଂ ସେମାନଙ୍କର ପ୍ରବେଶ ସଂଶୋଧନ ପାଇଁ ଆବେଦନ କରିଛନ୍ତି ସେମାନଙ୍କ ଆବେଦନଗୁଡ଼ିକ ୦୭.୧୦.୨୦୨୫ ଅର୍ଥାତ ଦାବି ଏବଂ ଆପତ୍ତିର ସମାଧାନର ଶେଷ ତାରିଖ ସୁଦ୍ଧା ଫଇସଲା କରିବାକୁ ଇଆରଓଙ୍କୁ ପରାମର୍ଶ ଦିଆଯାଇଛି। ୯.୧୦.୨୦୨୫ରେ ପ୍ରକାଶିତ ଏବଂ ନାମାଙ୍କନ ଦାଖଲ ତାରିଖ ପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇଥିବା ଭୋଟର ତାଲିକା ନିର୍ବାଚନ ପାଇଁ ବ୍ୟବହାର କରାଯିବ।
ବୁଥ୍ ବିବରଣୀ-
୭୧-ନୂଆପଡ଼ାନିର୍ବାଚନ ମଣ୍ଡଳୀ ଅଧୀନରେ ମୋଟ ୩୫୮ ମତଦାନ କେନ୍ଦ୍ର ଅଛି। ଏହି ଉପନିର୍ବାଚନରେ ବ୍ୟବହାର ପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଇ.ଭି.ଏମ ଏବଂ ଭି.ଭି.ପାଟର ବ୍ୟବସ୍ଥା କରାଯାଇଛି। ଆବଶ୍ୟକୀୟ ସଂଖ୍ୟକ ଇ.ଭି.ଏମ ଅର୍ଥାତ୍ ମତଦାନ କେନ୍ଦ୍ର ସଂଖ୍ୟାର ୨୦୦% ଯଥା ୭୨୦ ବାଲଟ୍ ୟୁନିଟ୍, ୭୨୦କଣ୍ଟ୍ରୋଲ ୟୁନିଟ୍ ଏବଂ ୭୨୦ଭି.ଭି.ପାଟ୍ପୂର୍ବରୁ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ନୂଆପଡ଼ା ଜିଲ୍ଲାପାଳଙ୍କ ପାଖରେ ଉପ ନିର୍ବାଚନରେ ବ୍ୟବହାର ପାଇଁ ଉପଲବ୍ଧ ଅଛି।
ଅନୁପସ୍ଥିତ ଭୋଟର-
୮୫ ବର୍ଷରୁ ଅଧିକ ବୟସ୍କ ଏବଂ ଭିନ୍ନକ୍ଷମ ଭୋଟର (ଇ-ରୋଲରେ ଚିହ୍ନିତ) ଭୋଟରମାନଙ୍କୁ ୧୨-ଡି ଫର୍ମ (ଅର୍ଥାତ୍ ଆବେଦନ ଫର୍ମ) ବଣ୍ଟନ କରାଯିବ। ଯାହା ସେମାନଙ୍କୁ ପୋଷ୍ଟାଲ୍ ବାଲଟ୍ ମାଧ୍ୟମରେ ଭୋଟ ଦେବାର ବିକଳ୍ପ ବ୍ୟବହାର କରିବାରେ ସାହାଯ୍ୟ କରିବ। ସେମାନଙ୍କ ତାଲିକା ପ୍ରସ୍ତୁତ ହେବ ଏବଂ ଭୋଟର ତାଲିକାରେ ଚିହ୍ନିତ କରାଯିବ। ଯଦି ସେମାନେ ପୋଷ୍ଟାଲ୍ ବାଲଟ୍ ମାଧ୍ୟମରେ ଭୋଟ ଦେବାର ବିକଳ୍ପ ବ୍ୟବହାର କରିସାରିଛନ୍ତି କିନ୍ତୁ ପୋଷ୍ଟାଲ୍ ବାଲଟ୍ ମାଧ୍ୟମରେ ଭୋଟ ଦେବାକୁ ଚାହୁଁ ନାହାଁନ୍ତି ସେହିଭଳି ଭୋଟର ମାନଙ୍କୁ ମତଦାନ କେନ୍ଦ୍ରରେ ଉପସ୍ଥିତ ରହି ପୁନଃ ଭୋଟ ଦେବାକୁ ଅନୁମତି ଦିଆଯିବ ନାହିଁ।
ପୂର୍ବବର୍ତ୍ତୀ ଅପରାଧିକ ମାମଲା ସମ୍ପର୍କିତ ସୂଚନା ପ୍ରକାଶନ-
ପ୍ରଚାର ସମୟରେ ପୂର୍ବବର୍ତ୍ତୀ ଅପରାଧିକ ମାମଲାରେ ଜଡ଼ିତ ଥିବା ପ୍ରାର୍ଥୀମାନଙ୍କୁ ଏହି ସମ୍ବନ୍ଧରେ ଖବରକାଗଜ ଏବଂ ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ ତିନିଥର ସୂଚନା ପ୍ରକାଶ କରିବାକୁ ପଡ଼ିବ। ଯେଉଁ ରାଜନୈତିକ ଦଳ ପୂର୍ବବର୍ତ୍ତୀ ଅପରାଧିକ ମାମଲାରେ ଜଡ଼ିତ ଥିବା ପ୍ରାର୍ଥୀଙ୍କୁ ଠିଆ କରିଛନ୍ତି ସେମାନଙ୍କୁ ମଧ୍ୟ ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ବିଷୟରେ ସୂଚନା, ଉଭୟ ୱେବସାଇଟ୍ ଏବଂ ଖବରକାଗଜ ତଥା ଟେଲିଭିଜନ ଚ୍ୟାନେଲରେ ତିନିଥର ପ୍ରକାଶ କରିବାକୁ ପଡ଼ିବ। ଏହାବ୍ୟତୀତ ସମସ୍ତ ବୁଥରେ ୱେବକାଷ୍ଟିଂ ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।