ଭୁବନେଶ୍ୱର:୨୪/୯-ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନ ଧାର୍ଯ୍ୟ ସମୟ ଅବଧିର ଦିନକ ଆଗରୁ ଶେଷ ହୋଇଛି । ବିଧାନସଭାରେ ଓଡ଼ିଶା ଓ ଦ୍ରବ୍ୟ ସେବାକର ବିଧେୟକ ପାରିତ ହେବା ପରେ ବାଚସ୍ପତି ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ମୌସୁମି ଅଧିବେଶନ ଗତ ୧୮ ତାରିଖରେ ଆରମ୍ଭ ହୋଇଥିଲା । ଏହା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବାର ଥିଲା । ତେବେ ୨୪ ତାରିଖରେ ମୁଲତବୀ ଘୋଷଣା କରାଯାଇଛି । ପ୍ରଥମ ଦିନ ଶୋକ ପ୍ରସ୍ତାବ ପରେ ଦିବଙ୍ଗତ ବିଧାୟକ ଓ ପୂର୍ବତନ ବିଧାୟକଙ୍କ ସମ୍ମାନାର୍ଥେ ଗୃହ କାର୍ଯ୍ୟ ବନ୍ଦ ରହିଥିଲା । ଏହାପରଠାରୁ ତିନିଦିନ ପର୍ଯ୍ୟନ୍ତ ବିଜେଡି ଓ କଂଗ୍ରେସ ବିଧାୟକ ଗୃହରେ ଅଚଳାବସ୍ଥା ସୃଷ୍ଟି କରିଥିଲେ । ୨୩ ତାରିଖ ଅପରାହ୍ଣରେ ବିଜେଡି ସଦସ୍ୟମାନେ ଉପସ୍ଥାପିତ ବିଧେୟକ ଏବଂ ସଂକଳ୍ପ ଆଲୋଚନାରେ ଭାଗ ନେଇଥିଲେ । ୨୪ ତାରିଖରେ ପ୍ରଶ୍ନକାଳ ଅଳ୍ପ କିଛି ସମୟ ଚାଲିଥିଲା । ଗୃହ ସ୍ୱାଭାବିକ ହେବାରୁ ଶୂନ୍ୟକାଳ ଓ ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା । ମହିଳା କନଷ୍ଟେବଳ ଶୁଭମିତ୍ରା ସାହୁ, ଏଫଏମ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ଏବଂ ଗୋପାଳପୁରରେ ଦୁଷ୍କର୍ମ ପ୍ରସଙ୍ଗ ଉଠାଇ ସରକାରକୁ ଘେରିଥବଲେ ବିଜେଡି ସଦସ୍ୟ। ଶେଷଦିନ ଗୃହରେ ଜିଏସଟି ସଂଶୋଧନ ସଂକଳ୍ପ ଗୃହୀତ ହୋଇଥିଲା ।
ଏଥର କଂଗ୍ରେସ ପକ୍ଷରୁ ଅଣାଯାଇଥିବା ଅନାସ୍ଥା ପ୍ରସ୍ତାବ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହେବାରୁ ଖାରଜ ହୋଇଥିଲା । ସାର ସମସ୍ୟା ଓ ନାରୀ ନିର୍ଯ୍ୟାତନାକୁ ନେଇ ବିରୋଧୀ ଗୃହରେ କ୍ରମାଗତ ଭାବେ ଅଚଳାବସ୍ଥା ସୃଷ୍ଟି କରିଥିଲେ ।