ବିଚାର ବିଭାଗ ତଦନ୍ତ ନ ହେବା ଯାଏଁ ଆନ୍ଦୋଳନ ଜାରି ରହିବ: ମିଳିତ ବିରୋଧୀ ଦଳ

ଭୁବନେଶ୍ୱର:୧୭/୭- ଓଡ଼ିଶା ବନ୍ଦକୁ ସଫଳ କରିଥିବାରୁ ରାଜ୍ୟର ଜନସାଧାରଣଙ୍କୁ କଂଗ୍ରେସ ସହିତ ଆଠଟି ବିରୋଧୀ ରାଜନୈତିକ ଦଳ କୃତଜ୍ଞତା ଜଣାଇଛନ୍ତି। ମିଳିତ ବିରୋଧୀ ଦଳ ପକ୍ଷରୁ କୁହାଯାଇଛି ଯେ ଏହି ବନ୍ଦକୁ ସମ୍ପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ଭାବେ ପାଳନ କରିଥିବା ଯୋଗୁଁ ସେମାନେ ରାଜ୍ୟବାସୀ, ବାମପନ୍ଥୀ ଓ ଗଣତାନ୍ତ୍ରିକ ଦଳ, ଟ୍ରେଡ୍ ୟୁନିୟନ, କୃଷକ ସଂଗଠନ, ମହିଳା, ଯୁବକ, ଛାତ୍ର, ଓକିଲ, ବ୍ୟବସାୟୀ ସଙ୍ଘ ଏବଂ ସମାଜର ସମସ୍ତ ବର୍ଗଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ରାଜ୍ୟବାସୀଙ୍କ ସମ୍ପୂର୍ଣ୍ଣ ସହଯୋଗ ଯୋଗୁଁ ଏହି ବନ୍ଦ ସଫଳ ହୋଇଛି । ଏହି ବନ୍ଦ ଜନଗଣଙ୍କ ବନ୍ଦରେ ପରିଣତ ହୋଇଛି ବୋଲି ମିଳିତ ବିରୋଧୀ ଦଳ ପକ୍ଷରୁ କୁହାଯାଇଛି ।

ଫକୀର ମୋହନ ମହବିଦ୍ୟାଳୟର ଛାତ୍ରୀଙ୍କୁ ହୋଇଥିବା ବ୍ୟବସ୍ଥାକୃତ ହତ୍ୟାର ନ୍ୟାୟିକ ତଦନ୍ତ ଦାବି ସହିତ ଡବଲ ଇଞ୍ଜିନ ବିଜେପି ସରକାରଙ୍କ କୁଶାସନ, ରାଜ୍ୟରେ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପ୍ରତି ଅବହେଳା ଏବଂ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ବିରୋଧରେ ଏହି ବନ୍ଦ ଆହ୍ଵାନ ଦିଆଯାଇଥିଲା। ବଜାର, ପରିବହନ, ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ୍, ବ୍ୟାଙ୍କ୍ ଏବଂ ବୀମା ଭଳି ରାଷ୍ଟ୍ରାୟତ ଉଦ୍ୟୋଗ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା।

ତେବେ, ଅତ୍ୟାବଶ୍ୟକ ସେବା, ଆମ୍ବୁଲାନ୍ସ ଏବଂ ରୋଗୀଙ୍କ ଚିକିତ୍ସା ସେବାକୁ ଏହି ବନ୍ଦରୁ ବାଦ ଦିଆଯାଇଥିଲା।ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ, ଉଚ୍ଚଶିକ୍ଷା ମନ୍ତ୍ରୀ, ବାଲେଶ୍ଵର ସାଂସଦ ଏବଂ ବାଲେଶ୍ଵର ସଦର ବିଧାୟକଙ୍କ ଇସ୍ତଫା ଦାବି କରାଯାଇଥିଲା। ଏହା ସହିତ ବାଲେଶ୍ଵର ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧୀକ୍ଷକଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ଉଠିଥିଲା। ମୋହନ ମାଝୀ ସରକାର ଶାସନ କରିବାର ନୈତିକ ଅଧିକାର ହରାଇଛନ୍ତି ବୋଲି ମିଳିତ ବିରୋଧୀ ଦଳ ତରଫରୁ କୁହାଯାଇଥିଲା।

ଆଜିର ବନ୍ଦରେ କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସ, ଓଡିଶା ପ୍ରଭାରୀ ଅଜୟ ଲାଲୁ, ଅଖିଳ ଭାରତ ଜାତୀୟ କଂଗ୍ରେସ ମହିଳା ସଭା ନେତ୍ରୀ ଅଳକା ଲମ୍ବା, କଂଗ୍ରେସ ବିଧାୟକ ଦଳର ନେତା ରାମଚଂଦ୍ର କାଡାମ, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ରାମଚନ୍ଦ୍ର ଖୁଣ୍ଟିଆ, ଶ୍ରୀକାନ୍ତ ଜେନା, ଜଗନ୍ନାଥ ପଟ୍ଟନାୟକ, ଅମର ପ୍ରଧାନ, ବିଧାୟକ ରମେଶ ଜେନା, ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷି ବାହିନିପତି, ଉପ ସଭାପତି ଦେବାଶିଷ ପଟ୍ଟନାୟକ, ଶୁଭେନ୍ଦୁ ମହାନ୍ତି, ଭୁବନେଶ୍ୱର ଜିଲ୍ଲା ସଂଯୋଜକ ବିଶ୍ୱଜିତ ଦାସ, ଜାନକୀ ବଲ୍ଲଭ ପଟ୍ଟନାୟକ, ସୁବ୍ରତ ମହାପାତ୍ର, ସିପିଆଇ ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା, ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସିପିଆଇ(ଏମ) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ମହାନ୍ତି, ସିପିଆଇ (ଏମଏଲ)-ଲିବେରେସନ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକ ରାଜ୍ୟ ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ଲକ୍ଷ୍ମୀ ଦୋରା,ଏନସିପି ରାଜ୍ୟ ସଭାପତି ବିକ୍ରମ ସ୍ୱାଇଁ, ଏସପି ରାଜ୍ୟ ସାଧାରଣ ସମ୍ପାଦକ ପ୍ରତାପ ବାରିକ, ବିଜୟ ବେହେରା, ଆରଜେଡି ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାର, କଂଗ୍ରେସର ଶିବାନନ୍ଦ ରାୟ, ରଜନୀ ମହାନ୍ତି, ଅରବିନ୍ଦ ଦାସ, ଅଶାକ ଦାସ, ପ୍ରଶାନ୍ତ ଚମ୍ପତି, ପ୍ରାଚୀ ରାଉତରାୟ, ଅନୱର ଖାନ୍,ମିହିର ଆଚାର୍ଯ୍ୟ, ପ୍ରଭାତ ପ୍ରତାପ ସିଂ, ଆଶିଷ ମଲ୍ଲିକ, ମନାରଞ୍ଜନ ଜେନା, ଦିପକ ସାହୁ,ଦେବାଶିଷ ରାଉତ, ଅକ୍ଷୟ କୁମାର ଦାସ, ସୌମେନ୍ଦ୍ର ମହାନ୍ତି, ମଣ୍ଟୁ ମଲ୍ଲିକ, ମନାଜ ସାହୁ, ଅନିଲ ଦାସ, ଶ୍ରୀୟା ମହାନ୍ତି, ପ୍ରସନ୍ନ ନାୟକ, ଲଲାଟେନ୍ଦୁ ଦାସ, ମିତ୍ରଭାନୁ ମହାପାତ୍ର, ସଂକୁନା କଅଁର,ଦେବାଶିଷ ମହାପାତ୍ର, କୃଷ୍ଣଚନ୍ଦ୍ର ପତି, ନିହାର ମହାପାତ୍ର ପ୍ରମୁଖ ନେତୃତ୍ଵ ନେଇ ରାଜ୍ୟସ୍ତରରେ ବନ୍ଦକୁ ସଫଳ କରିଥଲେ।


ପୁଲିସ ଶତାଧିକ କଂଗ୍ରେସ ନେତୃବୃନ୍ଦ ଓ କର୍ମୀଙ୍କୁ ଗିରଫ କରିଥିଲା ଓ ସେମାନଙ୍କୁ ରିର୍ଜଭ ପୁଲିସ ଲାଇନ ଅଫିସକୁ ନେଇ ଯାଇଥିଲା। ମିଳିତ ବିରୋଧୀ ଦଳ ତରଫରୁ ଫକୀର ମୋହନ କଲେଜ ଛାତ୍ରୀ ମୃତ୍ୟୁ ଘଟଣାର ନ୍ୟାୟିକ ତଦନ୍ତ, ନାରୀ ସୁରକ୍ଷା ଓ ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା ପାଇଁ ପ୍ରସଙ୍ଗ ଭିତ୍ତିକ ଆନ୍ଦୋଳନ ଜାରି ରଖିବାକୁ ଘୋଷଣା କରାଯାଇଛି।