୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା
ଓଡିଶାର ନୃତ୍ୟ ଓ ସଙ୍ଗୀତରେ ବିମୋହିତ ହେଲା ବିଶ୍ୱ
ଭୁବନେଶ୍ୱର:୨୨/୧୧-ସମୃଦ୍ଧ ସଂସ୍କୃତି ଓ ପରମ୍ପରାର ସୁରକ୍ଷା ସହିତ ସମାନ୍ତରାଳ ଭାବେ ପ୍ରଗତି ଓ ଆଧୁନିକତାକୁ ଆଦରି ନେଇ ସବୁ ବର୍ଗର ଲୋକମାନଙ୍କ ସାମଗ୍ରୀକ ବିକାଶ ପ୍ରତି ସରକାରଙ୍କ ପ୍ରତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିବା ସହ ୨୦୩୬ ସୁଦ୍ଧା ବିକଶିତ ଓଡିଶା ଗଠନ ଦିଗରେ ସମସ୍ତେ ବ୍ରତୀ ହେବାକୁ ଆହ୍ୱାନ ଦେଇଛନ୍ତି।

୪୪ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ୨୦୨୫ର ନବମ ଦିବସରେ ଆଜି ପାଳିତ ଓଡିଶା ରାଜ୍ୟ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ବିଷୟବସ୍ତୁ ଯଥାର୍ଥରେ ଆମ ସ୍ୱପ୍ନ ଓ ସମ୍ଭାବନାକୁ ପ୍ରତିପାଦିତ କରିବା ସହିତ ପ୍ରଯୁକ୍ତି ବିଦ୍ୟାର ସଫଳ ଉପଯୋଗ ମାଧ୍ୟମରେ ସିଲିକନ ସେମିକଣ୍ଡକ୍ଟର୍ ଚିପ୍ ଭଳି ସୂକ୍ଷ୍ମାତିସୂକ୍ଷ୍ମ ଅତ୍ୟାଧୁନିକ ଉତ୍ପାଦ ପ୍ରସ୍ତୁତି କ୍ଷେତ୍ରରେ ଓଡ଼ିଶାକୁ ନୂତନ ପରିଚୟ ପ୍ରଦାନ କରିବ ବୋଲି ସେ କହିଥିଲେ। ଏହା ଆମ ଅର୍ଥନୀତିକୁ ସୁଦୃଢ କରିବ ଏବଂ ନୂତନ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବ। ନବୀକରଣୀୟ ବିଦ୍ୟୁତ ଶକ୍ତିର ଉତ୍ପାଦନ, ବ୍ୟାପକ ଚାରା ରୋପଣ ମାଧ୍ୟମରେ ପରିବେଶ ସନ୍ତୁଳନ ରକ୍ଷା ଏବଂ ପରବର୍ତ୍ତୀ ପିଢୀ ପାଇଁ ଏକ ସୁନ୍ଦର ପୃଥିବୀ ଛାଡିଯିବା ଆଭିମୁଖ୍ୟ ନେଇ ଆମେ ନୀତି ଓ ଯୋଜନା ପ୍ରଣୟନ କରିବା ସହିତ ତାର କାର୍ଯ୍ୟାନ୍ୱୟନ ଆମର ପ୍ରାଥମିକତା ବୋଲି ଉପସ୍ଥିତ ଗଣମାଧ୍ୟମକୁ ସୂଚନା ଦେଇଥିଲେ।
ସେ କହିଥିଲେ ଯେ, ଉତ୍କର୍ଷ ଓଡ଼ିଶା, ମେକ-ଇନ-ଓଡିଶା କନକ୍ଳେଭ ମାଧ୍ୟମରେ ବିଶ୍ୱର ଶିଳ୍ପପତି ଓ ପୁଞ୍ଜିପତିମାନଙ୍କୁ ଓଡ଼ିଶା ପ୍ରତି ଆକର୍ଷିତ କରିବା ହେଉ, ଓଡିଶାର ସୁଦକ୍ଷ ଯୁବଗୋଷ୍ଠୀ ଓ ସେମାନଙ୍କ ଷ୍ଟାର୍ଟ-ଅପ ଉତ୍ପାଦକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିବାକୁ ଅଥବା ଓଡିଶାରେ ଉତ୍ପାଦିତ ଶ୍ରୀଅନ୍ନ ବିସ୍ମୃତ ଖାଦ୍ୟ ବିଶ୍ୱ ବଜାର ସୁବିଧା ଉପଲବ୍ଧ କରିବାକୁ ନିକଟ ଅତୀତରେ ଅନ୍ତର୍ଜାତୀୟ ମିଲେଟ କନଭେନସନ ଆୟୋଜନ ହେଉ, ପ୍ରତିଟି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନରେ ଓଡିଶାର ପ୍ରଗତିଶୀଳ ନୀତିକୁ ସମଗ୍ର ବିଶ୍ୱ ସକାରାତ୍ମକ ଦୃଷ୍ଟିରେ ଦେଖୁଛି।
ଭାରତ ମଣ୍ଡପମ ପରିସରସ୍ଥ ମୁକ୍ତାକାଶ ନାଟ୍ୟଶାଳାରେ ଆୟୋଜିତ ଓଡିଶା ରାଜ୍ୟ ଦିବସ ସମାରୋହର ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ସମାରୋହକୁ ଉଦଘାଟନ କରିବା ସହିତ ଉତ୍କଳ ପ୍ରସଙ୍ଗ ଏବଂ ଓଡ଼ିଶା ରିଭ୍ୟୁ ପତ୍ରିକା ଦ୍ୱୟର ସ୍ୱତନ୍ତ୍ର ସଂଖ୍ୟାର ଶୁଭ ଉନ୍ମୋଚନ କରିଥିଲେ। ଏଥିସହିତ ସେ ବିଭିନ୍ନ ବିଭାଗର ଷ୍ଟଲ ଅଧିକାରୀ, ଶିଳ୍ପୀ ଓ ବୁଣାକାରଙ୍କ ସହ ବାର୍ତ୍ତାଳାପ କରି ଓଡିଶାର ଗୌରବମୟ ଅତୀତକୁ ବଜାୟ ରଖିବା ସହ ଓଡ଼ିଶାକୁ ଆତ୍ମନିର୍ଭର ଓଡ଼ିଶାରେ ପରିଣତ କରିବାକୁ ପରାମର୍ଶ ଦେଇଥିଲେ।

ରାଜ୍ୟ ଦିବସ ଅବସରରେ, ଭୁବନେଶ୍ୱର ନୁପୁର ଅନୁଷ୍ଠାନରେ କଳାକାରମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟାଭିନୟ, ଦିଗପହଣ୍ଡି(ଗଞ୍ଜାମ)ର ବିଚିତ୍ର ବର୍ଣ୍ଣାଳୀ ନାଟ୍ୟ ସଂସଦ ତରଫରୁ ପଶୁମୁଖା ନୃତ୍ୟ, ସୁବର୍ଣ୍ଣପୁର ସ୍ଥିତ ରୁମକୁଝୁମାର କଳାକାରମାନଙ୍କ ସମ୍ବଲପୁରୀ ନୃତ୍ୟ, କନ୍ଧମାଳ ଜିଲ୍ଲାର ନୂତନ କଳା ସଂସଦର ଶିଙ୍ଘନୃତ୍ୟ ଏବଂ କଳାହାଣ୍ଡିର ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ଘୁମୁରା ନୃତ୍ୟ ପରିବେଷଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ, ସାଂସଦ ପ୍ରତାପ ଷଡଙ୍ଗୀ,ନିରଞ୍ଜନ ବିଶି, ସୁଜିତ କୁମାର, ପୂର୍ବତନ ସାଂସଦ ଅମର ପଟ୍ଟନାୟକଙ୍କ ସମେତ ଓଡିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ନ୍ୟାୟମୂର୍ତ୍ତି ସାବିତ୍ରୀ ରଥ, ଶିଳ୍ପ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗର ଅତିରିକ୍ତ ଶାସନ ସଚିବ ହେମନ୍ତ ଶର୍ମା, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଶାସନ ସଚିବ ବିଜୟ କେତନ ଉପାଧ୍ୟାୟ, ନୂଆଦିଲ୍ଲୀରେ ଅବସ୍ଥାପିତ ଓଡ଼ିଶାର ପ୍ରମୁଖ ଆବାସିକ ଆୟୁକ୍ତ ବିଶାଲ ଗଗନ, ସ୍ୱତନ୍ତ୍ର ଆବାସିକ ଆୟୁକ୍ତ ଶ୍ରୀମତୀ ରିତୁ ଅରୋରା, ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଅନୁଜ କୁମାର ଦାସ ପଟ୍ଟନାୟକ, ବୈଷୟିକ ନିର୍ଦ୍ଦେଶକ ଗୁରବୀର ସିଂହଙ୍କ ସହ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।