ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଅଗ୍ରସର ହେଉଛନ୍ତି ରାଜ୍ୟ ସରକାର – ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ: ୨୨ ନଭେମ୍ବର ୨୦୨୪-ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ୪୩ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ମଞ୍ଚରେ ‘ଓଡ଼ିଶା ରାଜ୍ୟ ଦିବସ ସମାରୋହ’ ଆୟୋଜିତ ହୋଇଯାଇଛି। ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ଓଡ଼ିଶାର ସମୃଦ୍ଧ କଳା, ସଂସ୍କୃତି ଓ ପରମ୍ପରା ପ୍ରସାର ଦିଗରେ ଏହି କାର୍ଯ୍ୟକ୍ରମ ବିଶେଷ ସହାୟକ ହେଉଥିବା କହିଛନ୍ତି।
ଓଡ଼ିଶାର ଅନନ୍ୟ ହସ୍ତକଳା ଓ ହସ୍ତତନ୍ତ ସାମଗ୍ରୀ ଆଜି ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଛି। ନୂଆଦିଲ୍ଲୀରେ ଚାଲିଥିବା ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଏହାକୁ ଓଡ଼ିଶା ପ୍ରଦର୍ଶନ କରୁଛି। ଫଳରେ ଦେଶ ବିଦେଶର ଲୋକେ ଓଡ଼ିଶାର ଏହି କଳା କାରିଗରି ବିଷୟରେ ଜାଣିବାର ସୁଯୋଗ ପାଉଛନ୍ତି ବୋଲି ସେ କହିଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଓଡ଼ିଶା ୨୦୩୬ ମସିହାରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରିବ। ଏଥିପାଇଁ ନୂତନ ତଥା ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଆମର ଯେଉଁ ପ୍ରତିବଦ୍ଧତା ରହିଛି ସେ ଦିଗରେ ରାଜ୍ୟ ସରକାର ଅଗ୍ରସର ହେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ଆହ୍ୱାନ ଦେଇଛନ୍ତି। ଏହି ଆଧାରରେ ଓଡ଼ିଶାର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଉଛି। ଭାରତ ବର୍ଷର ବିକାଶ ରେଳରେ ଓଡ଼ିଶା ପ୍ରଥମ ବଗି ହେବ।

‘ଓଡ଼ିଶାରେ ଆଧୁନିକ ଶିଳ୍ପ ପ୍ରତିଷ୍ଠା ପାଇଁ ସୁଦୃଢ଼ ଭିତ୍ତିଭୂମି ରହିଛି। ରାଜ୍ୟ ସରକାର ଏଥିପାଇଁ ସ୍ୱତନ୍ତ୍ର ନୀତି ମଧ୍ୟ ଲାଗୁ କରିଛନ୍ତି। ଓଡ଼ିଶାର ଖଣିଜ ସମ୍ପଦ, ସୁଦୀର୍ଘ ବେଳାଭୂମି ଏବଂ ବିସ୍ତୃତ ଜଙ୍ଗଲ ଦେଶ ବିଦେଶର ଶିଳ୍ପପତି ଓ ଉଦ୍ୟୋଗୀଙ୍କୁ ଆକର୍ଷିତ କରୁଛି। ଆଗାମୀ ଦିନରେ ଓଡ଼ିଶାରେ କିପରି ଅଧିକ ଶିଳ୍ପ ପ୍ରତିଷ୍ଠା ହୋଇପାରିବ ସେନେଇ ୨୦୨୫ ଜାନୁଆରି ମାସରେ ଉତ୍କର୍ଷ ଓଡ଼ିଶା – ମେକ୍ ଇନ୍ ଓଡ଼ିଶା କନକ୍ଲେଭ ଆୟୋଜନ କରାଯାଉଥିବା ସେ କହିଛନ୍ତି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଓଡ଼ିଶା ମଣ୍ଡପ ପରିଦର୍ଶନ କରିଥିଲେ। ଏଠାରେ ବିଭିନ୍ନ ଷ୍ଟଲରେ ପ୍ରଦର୍ଶିତ ହେଉଥିବା ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ, ମିଶନ ଶକ୍ତି ମହିଳାଙ୍କ ହାତ ତିଆରି ଜିନିଷ, ଜନଜାତି ସଂସ୍କୃତି ଓ କଳାକୃତି ଏବଂ ବିଭିନ୍ନ ଗ୍ରାମୀଣ ଉତ୍ପାଦ ଆଦି ବୁଲି ଦେଖିଥିଲେ। ଏଥର ବିକଶିତ ଭାରତ, ବିକଶିତ ଓଡ଼ିଶା ଥିମରେ ଡିଜାଇନ ହୋଇଥିବା ଓଡ଼ିଶା ମଣ୍ଡପକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଥିଲେ।
ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାର ଆମ୍ଫିଥିଏଟର-୧ଠାରେ ‘ଓଡ଼ିଶା ରାଜ୍ୟ ଦିବସ ସମାରୋହ’ ପାଳନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀ ଓ ସାଥୀ ରସଗୋଲା ସଙ୍ଗୀତ ଓ ଲୋକପ୍ରିୟ ଯା’ ଯା’ରେ ଭାସି ଭାସି ଯା’ ସଙ୍ଗୀତରେ ଓଡ଼ିଶୀ ନୃତ୍ୟନାଟିକା ଏବଂ ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ କରିଥିଲେ।
ସେହିପରି କଳାହାଣ୍ଡିର ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଘୁମୁରା ଓ ବଲାଙ୍ଗିରର ଦୁଲୁଦୁଲି କଳାପରିଷଦ ପକ୍ଷରୁ ଘୁଡ଼ୁକା ନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ଓଡ଼ିଶାର ଲୋକପ୍ରିୟ ଗାୟିକା ସୁସ୍ମିତା ଦାସଙ୍କ ଫ୍ୟୁଜନ ସଙ୍ଗୀତ ପରିବେଷଣ କରିଥିଲେ। ଓଡ଼ିଶାର ଏହି ସମୃଦ୍ଧ ନୃତ୍ୟ ଓ ସଙ୍ଗୀତ ଦିଲ୍ଲୀ ଦର୍ଶକମାନଙ୍କ ମନ ମୁଗ୍ଧ କରିଥିଲା।
ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶିତ ମାସିକ ପତ୍ରିକା ‘ଉତ୍କଳ ପ୍ରସଙ୍ଗ’ ଏବଂ ‘ଓଡ଼ିଶା ରିଭ୍ୟୁ’ର ସ୍ୱତନ୍ତ୍ର ସଂସ୍କରଣ ଉନ୍ମୋଚନ କରାଯାଇଥିଲା।
କାର୍ଯ୍ୟକ୍ରମରେ କୋରେଇ ବିଧାୟକ ଆକାଶ ଦାସନାୟକ, ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ, ନୂଆଦିଲ୍ଲୀରେ ଅବସ୍ଥାପିତ ସ୍ୱତନ୍ତ୍ର ଆବାସିକ ଆୟୁକ୍ତ ରିତୁ ଅରୋରା, ଆବାସିକ ଆୟୁକ୍ତ ବିଶାଲ ଗଗନ, ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲଙ୍କ ସହ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।